ରାଉରକେଲା: ହକି ବିଶ୍ବ କପ୍ ପାଇଁ ସହରରେ ଚାଲିଛି ଜୋରଦାର ପ୍ରସ୍ତୁତି। ରାସ୍ତା ମରାମତି, ସମ୍ପ୍ରସାରଣରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ବିକାଶମୂଳକ କାମକୁ ସହରର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ମାତ୍ର ବିକାଶ ନାଁରେ ଯାତାୟତରେ ପ୍ରତିବନ୍ଦକକୁ ସହରବାସୀଙ୍କ ପକ୍ଷରୁ ନାପସନ୍ଦ କରାଯାଇଛି। ଯାତାୟତର ସୁବିଧା ଦୃଷ୍ଟିରୁ ଜନଗହଳିପୂର୍ଣ୍ଣ ରାସ୍ତାରେ ଯେଉଁ କାମ ରାତିରେ କରାଗଲା ଭଲ ହୁଅନ୍ତା, ସେସବୁ କାମ ଦିନରେ କରାଯାଉଛି। ଫଳରେ ଧୂଳିଧୂଆଁ ଓ ଟ୍ରାଫିକ ସମସ୍ୟାରେ ଦହଗଞ୍ଜ ହେଉଛନ୍ତି ସହରବାସୀ। ପଥଚାରୀ ଠାରୁ ଆରମ୍ଭ କରି ଗାଡି ଚାଳକ ନାହିଁ ନଥିବା ଅସୁବିଧାରେ ଭୋଗୁଛନ୍ତି। ଡାକ୍ତରଖାନା, ଜରୁରୀକାମରେ ଯାଉଥିବା ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟଲୋକମାନେ ବେଶି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅତି ଜରୁରୀ କାମରେ ଯାଉଥିବା ଲୋକଙ୍କୁ ଯେଉଁ ଜାଗାରେ ପହଞ୍ଚିବାକୁ ମାତ୍ର ୫ ମିନିଟ୍ ଲାଗିବା କଥା, ସେହି ଜାଗାରେ ପହଞ୍ଚିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ସହରର ପ୍ରମୁଖ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ବନ୍ଦ ରଖାଯାଉଛି। ବନ୍ଦ ପରିଧି ମଧ୍ୟରେ ଦୋକାନକୁ ଯିବାକୁ ମଧ୍ୟ ଗାଡ଼ିଗୁଡିକୁ ଯିବାକୁ ବାରଣ କରାଯାଉଛି। ଲୋକମାନେ କାର୍ଯ୍ୟରତ ପୁଲିସକୁ ଅନୁରୋଧ କଲେ ମଧ୍ୟ ସେମାନେ ଆଦୌ ଶୁଣୁ ନଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଅନେକ ସମୟରେ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି। ଏମିତି ସ୍ଥିତି ଉପୁଜୁଝି ଯେ, ବେଳେବେଳେ ପୁଲିସ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ଧମକଚମକ ଦେବାକୁ ବାଧ୍ୟ ହେଉଛନ୍ତି। ଆଜି ଏମିତି ସାଂଘତିକ ସ୍ଥିତି ଉପୁଜିଥିଲା ପାନପୋଷ ଗାନ୍ଧିଛକରେ।
ବ୍ରାହ୍ମଣୀ ପୁରୁଣା ବ୍ରିଜ ମରାମତି ପରେ ଯାତାୟତ ପାଇଁ ଖୋଲି ଦିଆଯାଇଥିଲା। ବେଦବ୍ୟାସ ଓ ବ୍ରିଜ ଆଖପାଖରେ ରହୁଥିବା ଲୋକମାନେ ବାଲୁଘାଟ ଦେଇ ଯିବା ପରିବର୍ତ୍ତେ ସିଧାସଳଖ ପୁରୁଣା ବ୍ରିଜ ଉପରେ ଦେଇ ଯାତାୟତ କରୁଥିଲେ। ଗାନ୍ଧି ଛକରେ ରାସ୍ତା ମରାମତି ପାଇଁ ସରକାରୀ କଲେଜରୁ ପାନପୋଷ ଗାନ୍ଧିଛକ ରାସ୍ତା, ହକି ଛକରୁ ପାନପୋଷ ଗାନ୍ଧିଛକକୁ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ସହର ସମସ୍ତ ଗାଡ଼ିକୁ ସରକାରୀ କଲେଜ ପାର୍ଶ୍ବ ରାସ୍ତା , ହନୁମାନବାଟିକା ରାସ୍ତା ଦେଇ ହକି ଛକ ପର୍ଯ୍ୟନ୍ତ ଛଡା ଯାଇଥିଲା। ପ୍ରାୟ ୩/୪ ଘଣ୍ଟା ଧରି ଏହି ରାସ୍ତା ଦେଇ ଗାଡିଗୁଡ଼ିକୁ ଛଡାଯିବାରୁ ଜଟିଳ ସମସ୍ୟା ସୃଷ୍ଟି ହୋଇଥିଲା। ଧୂଳିଧୂଆଁରେ ନୟାନ୍ତ ହୋଇଥିଲେ ସାଧାରଣ ଜନତା ଓ ଗାଡି ଚାଳକ। ମରାମତି କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ, ନୀରବଦ୍ରଷ୍ଟା ସାଜିଥିଲେ। କେବଳ ପାନପୋଷ ଗାନ୍ଧି ଛକ ନୁହେଁ ଡିଏଭି ଛକରୁ ସେକ୍ଟର-୯ ଆଡକୁ ଯାଇଥିବା ରିଂ ରୋଡରେ ଅଧିକାଂଶ ସମୟରେ ସେହି ସମାନ ସ୍ଥିତି ଉପୁଜିଛି। ବିକାଶ ହେଉ, କିନ୍ତୁ ସହରବାସୀଙ୍କ ସମସ୍ୟା ଉପୁଜିଲା ଭଳି କିଛି କାମ ନ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।