ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ବାଂଲାଦେଶ
ସାକିବ୍ ହେଲେ ସର୍ବାଧିକ ୱିକେଟ୍ ହାସଲକାରୀ
ଚଟ୍ଟୋଗ୍ରାମ : ଦିନିକିଆ ପରେ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିନେଇଛି ବାଂଲାଦେଶ। ବୁଧବାର ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଘରୋଇ ବାଂଲାଦେଶ ୭୭ ରନ୍ରେ ଆୟର୍ଲାଣ୍ଡକୁ ହରାଇଥିଲା। ଅଧିନାୟକ ସାକିବ ଅଲ୍ ହାସନଙ୍କ ୫ ୱିକେଟ୍ ସଫଳତା ବଳରେ କେବଳ ଦଳକୁ ଶୃଙ୍ଖଳା ଜିତାଇନଥିଲେ ବରଂ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇପାରିଥିଲେ। ସେ ତାଙ୍କର ପୂର୍ଣ୍ଣ କୋଟାରୁ ୨୨ ରନ୍ ବ୍ୟୟ କରି ଏହି ସଫଳତା ପାଇଥିଲେ। ଏହାଫଳରେ ଟ୍ବେଣ୍ଟି-୨୦ରେ ଟିମ୍ ସାଉଦି (୧୩୪) ଙ୍କୁ ପଛରେ ପକାଇ ୧୩୬ ୱିକେଟ୍ ସହ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଷା ବିଳମ୍ବିତ ଏହି ମ୍ୟାଚ୍ ୧୭ ଓଭର ବିଶିଷ୍ଟ ଖେଳାଯାଇଥିଲା। ବାଂଲାଦେଶ ୩ ୱିକେଟ୍ ବିନିମୟରେ ୨୦୨ ରନ୍ କରିଥିଲା। ଲିଟନ ଦାସ ଓ ରନି ତାଲୁକଦାର ପ୍ରଥମ ୱିକେଟ୍ରେ ୫୬ ବଲ୍ରୁ ୧୨୪ ରନ୍ ଭାଗୀଦାରି କରିବା ସହ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ତେବେ ଦଶମ ଓ ଦ୍ବାଦଶ ଓଭରରେ ଯଥାକ୍ରମେ ରନି (୪୪ ରନ୍, ୨୩ ବଲ୍) ଓ ଲିଟନ (୮୩ ରନ୍, ୪୧ ବଲ୍) ଆଉଟ୍ ହେବା ପରେ ସାକିବ୍ ଓ ତୋହିଦ୍ ହ୍ରିଦୟ (୨୪ ରନ୍, ୧୩ବଲ୍) ଦ୍ରୁତ ରନ୍ ସଂଗ୍ରହ କରି ଦଳକୁ ୨୦୦ ରନ୍ ପାଖରେ ପହଞ୍ଚାଇଥିଲେ। ସାକିବ୍ ୩୮ ରନ୍ କରି ଅପରାଜିତ ଥିଲେ। ତେବେ ଆୟର୍ଲାଣ୍ଡ ନିୟମିତ ବିପର୍ଯ୍ୟୟର ସାମ୍ନା କରି ୯ ୱିକେଟ୍ ବିନିମୟରେ ୧୨୫ ରନ୍ କରିପାରିଥିଲା। କେବଳ କର୍ଟିସ କାମ୍ଫର ଅର୍ଦ୍ଧଶତକ (୫୦) ଅର୍ଜନ କରିଥିଲା ବେଳେ ହାରି ଟେକ୍ଟର (୨୨) ଓ ଗ୍ରାହମ ହ୍ୟୁମି (୨୦) ଦୁଇ ଅଙ୍କ ସ୍କୋର କରିପାରିଥିଲେ। ସାକିବ୍ ତାଙ୍କ ଘାତକ ବୋଲିଂ ମଧ୍ୟରେ ରସ୍ ଆଡାୟର (୬), ଲୋର୍କାନ ଟକର (୫), ହାରି ଟେକ୍ଟର (୨୨), ଗାରେଥ ଡେଲାନି (୬) ଓ ଜର୍ଜ ଡକ୍ରେଲ୍ (୨)ଙ୍କୁ ନିଜ ସ୍ପିନ ଜାଲରେ ଫସାଇଥିଲେ। ତସ୍କିନ୍ ଅହମଦ ୩ ଓ ହାସନ ମହମୁଦ ୧ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସାକିବ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।