ଅଢ଼େଇ ଟଙ୍କାର ସିରିଞ୍ଜ୍‌ ୧୮ ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ: ହସ୍‌ପିଟାଲ୍‌ଗୁଡ଼ିକ ରୋଗୀମାନଙ୍କୁ ସିରିଞ୍ଜ ଏବଂ ଛୁଞ୍ଚି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଅଢ଼େଇ ଟଙ୍କାରେ କିଣୁଥିବା ସିରିଞ୍ଜକୁ ରୋଗୀଙ୍କୁ ୧୮ ଟଙ୍କା ୬୦ ପଇସାରେ ବିକ୍ରି କରୁଛନ୍ତି। ସେହିପରି ୧୬୦ ଟଙ୍କାରେ କିଣୁଥିବା ଛୁଞ୍ଚିକୁ ୭୩୦ ଟଙ୍କା ଭଳି ଚଢ଼ା ଦରରେ ବିକ୍ରି କରୁଛନ୍ତି। ହସ୍‌ପିଟାଲ୍‌ଗୁଡ଼ିକର ବିଲ୍‌କୁ ଅନୁଧ୍ୟାନ କରିବା ପରେ ନ୍ୟାସନାଲ୍‌ ଫାର୍ମାସ୍ୟୁଟିକାଲ୍‌ସ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଏହା ଜାଣିବାକୁ ପାଇଛି। ସିରିଞ୍ଜ ଏବଂ ଛୁଞ୍ଚିର ପ୍ରକୃତ ଦର ତୁଳନାରେ ଲେଖାଯାଉଥିବା ଏମ୍‌ଆର୍‌ପି ୧୨୦୦% ପର୍ଯ୍ୟନ୍ତ ଅଧିକ ରହୁଛି। ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ରୋଗୀଙ୍କଠାରୁ ଏହି ଦର ଆଦାୟ କରାଯାଉଛି। ସିରିଞ୍ଜ୍‌ରେ ହାରାହାରି ମାର୍ଜିନ୍‌ ୫୦୦% ରହୁଥିବା ବେଳେ ଛୁଞ୍ଚିରେ ୨୫୦% ରହୁଛି। ପୂର୍ବରୁ ଏନ୍‌ପିପିଏ କରିଥିବା ଅନୁଧ୍ୟାନଗୁଡ଼ିକରୁ ଜଣାପଡ଼ିଥିଲା ଯେ ହସ୍ପିଟାଲ୍‌ଗୁଡ଼ିକ ଅନେକ ସାମଗ୍ରୀ ବହୁତ କମ୍‌ ଦରରେ ଖରିଦ କରୁଥିବା ବେଳେ ସେଗୁଡ଼ିକୁ ରୋଗୀମାନଙ୍କୁ ଦେବା ବେଳେ ଚଢ଼ା ଦର ଆଦାୟ କରୁଛନ୍ତି। କଞ୍ଜ୍ୟୁମେବଲ୍‌ଗୁଡ଼ିକୁ ଆକାଶଛୁଆଁ ଦରରେ ବିକ୍ରି କରାଯାଉଛି। ହସ୍‌ପିଟାଲ୍‌୍‌ଗୁଡ଼ିକର ଲାଭ ପାଇଁ ଏହି ସାମଗ୍ରୀ ନିର୍ମାଣ କରୁଥିବା କଂପାନିଗୁଡ଼ିକ ବଢ଼ାଇ ଚଢ଼ାଇ ଏମ୍‌ଆର୍‌ପି ଲେଖୁଛନ୍ତି। ଏନ୍‌ପିପିଏ ଉଦାହରଣ ଦେଇ ଜଣାଇଛି ଯେ ବିନା ଛୁଞ୍ଚିର ହାଇପୋଡର୍ମିକ୍‌ ଡିସ୍‌ପୋଜେବଲ୍‌ ସିରିଞ୍ଜ୍‌ର ମୂଲ୍ୟ ବିତରକଙ୍କଠାରୁ ୨ ଟଙ୍କା ୪୦ ପଇସାରେ କିଣା ହେଉଛି। କିନ୍ତୁ ରୋଗୀଙ୍କୁ ତହା ୧୮ ଟଙ୍କା ୬୦ ପଇସାରେ ବିକ୍ରି କରାଯାଉଛି। ଯେଉଁ ଚୁଞ୍ଚିର ମୂଲ୍ୟ ୧୬୦ ଟଙ୍କା ତାହାର ପ୍ୟାକେଟ୍‌ ଉପରେ ଏମ୍‌ଆର୍‌ପି ୭୩୦ ଟଙ୍କା ଲେଖାହେଉଛି।

ସମ୍ବନ୍ଧିତ ଖବର