୩୨୬୯ କୋଟିର ବ୍ୟାଙ୍କ ଋଣ ଠକେଇ ‘ଶକ୍ତି ଭୋଗ’ ସିଏମ୍‌ଡି ଗିରଫ

୧୦ ବ୍ୟାଙ୍କରୁ ନେଇଥିଲେ ଋଣ, ସେହି ଟଙ୍କା ଅନ୍ୟତ୍ର ପଠାଉଥିଲେ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଠକେଇ ଓ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ଦିଲ୍ଲୀର କଂପାନି ଶକ୍ତି ଭୋଗ ଫୁଡସ୍‌ର ସିଏମ୍‌ଡି କେୱଲ୍‌ କ୍ରିଷ୍ଣନ୍‌ କୁମାରଙ୍କୁ ଗିରଫ କରାଯାଇଛି। ଆଜି ଇଡି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀ କୁମାରଙ୍କୁ ରବିବାର ଗିରଫ କରାଯିବା ପରେ ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍‌ଏ) କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଜୁଲାଇ ୯ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ଗିରଫ କରିବା ପୂର୍ବରୁ ଇଡି ତରଫରୁ ଦିଲ୍ଲୀ ଓ ହରିୟାଣାର ୯ଟି ସ୍ଥାନରେ ଚଢ଼ଉ କରାଯାଉଥିଲା। ସେହି ସମୟରେ ଅନେକ କାଗଜପତ୍ର ଓ ଡିଜିଟାଲ୍ ପ୍ରମାଣ ଜବତ କରାଯାଇଛି।

କିଛି ମାସ ପୂର୍ବରୁ ଶକ୍ତି ଭୋଗ୍‌ର ସିଏମ୍‌ଡି ଶ୍ରୀ କୁମାରଙ୍କ ବିରୋଧରେ ସିବିଆଇ ତରଫରୁ ଏକ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୧୦ଟି ବ୍ୟାଙ୍କରୁ ୩୨୬୯ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ତାଙ୍କ ନାମରେ ରହିଛି। ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଏନେଇ ଅଭିଯୋଗ କରାଯିବା ପରେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ କରୁଛି। ଷ୍ଟେଟ୍‌ ବ୍ୟାଙ୍କ ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ କଂପାନିର ନିର୍ଦେଶକମାନେ ଜାଲ୍‌ କାଗଜପତ୍ର ଦେଇ ବ୍ୟାଙ୍କରୁ ଋଣ ନେଇଥିଲେ।

୨୪ ବର୍ଷ ପୁରୁଣା ସଂସ୍ଥା ଶକ୍ତି ଭୋଗ ଫୁଡସ୍‌ ବଜାରରେ ଶକ୍ତି ଭୋଗ ଅଟା, ଗହମ, ଚାଉଳ, ବିସ୍କୁଟ ଓ କୁକିଜ୍‌ ଆଦି ବିକ୍ରି କରୁଥିଲା। ୨୦୦୮ରେ କଂପାନିର ମୋଟ କାରବାର ୧୪୧୧ କୋଟି ଟଙ୍କା ଥିଲା। ୨୦୧୪ ସୁଦ୍ଧା ତାହା ୬୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଶକ୍ତି ଭୋଗ ଅଟା ଜରିଆରେ ଏହା ଘରେ ଘରେ ପରିଚିତ ହୋଇଥିଲା। ଇଡି ତରଫରୁ କୁହାଯାଇଛି ଯେ ଶକ୍ତି ଭୋଗ ଫୁଡସ୍‌ ନାମରେ ଋଣ ନେଇ ସେହି ପାଣ୍ଠିକୁ ଅନ୍ୟ ସଂସ୍ଥା ଜରିଆରେ ଆତ୍ମସାତ କରାଯାଉଥିଲା। ୨୦୧୫ରେ କଂପାନିର ଅଭିବୃଦ୍ଧି ହଠାତ୍‌ ଅଟକି ଯାଇଥିଲା। ଏହାର ଋଣ ଖାତା ନନ୍-ପରଫରମିଂ ଆସେଟ୍‌ (ଏନ୍‌ପିଏ) ବର୍ଗରେ ସାମିଲ ହୋଇଥିଲା। ୨୦୧୯ରେ ଏହାକୁ ଠକେଇ ବୋଲି ଘୋଷଣା କରାଯାଇଥିଲା। ବ୍ୟାଙ୍କ ତରଫରୁ କରାଯାଇଥିବା ଏକ ଫରେନ୍‌ସିକ୍ ଅଡିଟ୍‌ରୁ ଜଣାପଡ଼ିଥିଲା ଯେ ୨୦୧୫-୧୬ରେ ପୋକ ଖାଇଯିବାରୁ କଂପାନିର ୩୦୦୦ କୋଟି ଟଙ୍କାର ମାଲ୍ ନଷ୍ଟ ହୋଇଥିଲା। ମାତ୍ର ଷ୍ଟକ ଓ ଅଡିଟ୍ ରିପୋର୍ଟ ତଥ୍ୟ ଭିତରେ ପାର୍ଥକ୍ୟ ଥିଲା। ୨୦୧୫ ସେପ୍ଟେମ୍ବର ବେଳକୁ କଂପାନି ପାଖରେ ୩୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଲ ଥିଲା। ସବୁ ଗୋଦାମରେ ମାଲ୍ ଭର୍ତ୍ତି ଥିଲା ଓ ସେଥିରୁ କିଛି ନଷ୍ଟ ହୋଇନଥିଲା ବୋଲି ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର