ଟୋକିଓ ଅଲିମ୍ପିକ୍ସ ଆଉ ୧୭ ଦିନ: ୧୨୧ ବର୍ଷରେ ଭାରତକୁ ୨୮ ପଦକ

ହରିୟାଣା ସବୁଠୁ ଆଗରେ, ଓଡ଼ିଶା ଖାତା ଖୋଲିନି

ନୂଆଦିଲ୍ଲୀ: ୧୮୯୬ରୁ ଆରମ୍ଭ ହୋଇଥିବା ଆଧୁନିକ ଅଲିମ୍ପିକ୍ସରେ ୧୯୦୦ ମସିହାରୁ ଭାରତୀୟମାନେ ଅଂଶଗ୍ରହଣ କର ଆସୁଛନ୍ତି। ୧୯୦୦ରେ ଭାରତର କେବଳ ଜଣେ ଖେଳାଳି ନର୍ମାନ ପ୍ରିଚାର୍ଡ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଦୁଇଟି ପଦକ ଜିତିଥିଲେ। ଦୁଇଟି ଯାକ ପଦକ ଆଥଲେଟିକ୍ସରୁ ଆସିଥିଲା। ଉଭୟ ବି ‌ରୌପ୍ୟ ପଦକ ଥିଲା। ଭାରତ କିନ୍ତୁ ଗ୍ରୀଷ୍ମ ଅଲିମ୍ପିକ୍ସକୁ ୧୯୨୦ରୁ କ୍ରମାଗତ ଭାବେ ଦଳ ପଠାଇ ଆସୁଛି।। ହେଲେ ୧୨୧ ବର୍ଷର ଏହି ଚମକହୀନ ଅଭିଯାନରେ ଆମ ଦେଶକୁ କେବଳ ୨୮ଟି ପଦକ ମିଳିଛି।

ସେଥିରେ ପୁଣି ସିଂହଭାଗ ରହିଛି ପୁରୁଷ ହକିର। ୧୯୨୦ରୁ ୧୯୮୦ ପର୍ଯ୍ୟନ୍ତ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଆଧିପତ୍ୟ ବିସ୍ତାର ଜାରି ରଖି ୮ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୧୧ ପଦକ ନିଜ ନାମରେ କରିଥିଲା। ଏଥିସହ ୧୯୨୮ରୁ ୧୯୫୬ ପର୍ଯ୍ୟନ୍ତ ସମସ୍ତ ୬ଟି ଅଲିମ୍ପିକ୍ସରେ ଦଳ ବିଜେତା ହୋଇଥିଲା। ଅବଶିଷ୍ଟ ୧୭ ପଦକ ବ୍ୟକ୍ତିଗତ ବର୍ଗରୁ ଆସିଛି। ଦେଶରେ ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳ ଥିଲା ବେଳେ ହକି ବାଦ୍‌ ପଦକ ଜିତିବାରେ କେବଳ ୧୦ ରାଜ୍ୟର ଖେଳାଳି ରହିଛନ୍ତି। ଏଥିରେ ଭାରତର ମୋଟ ସ୍ଥଳ ଭାଗର ମାତ୍ର ୧.୪ ପ୍ରତିଶତ ଏବଂ ଆକାର ଓ ଆୟତନରେ ୨୧ତମ ସ୍ଥାନରେ ଥିବା ହରିୟାଣା ୬ ପଦକ ସହ ସବୁଠୁ ଆଗରେ ରହିଛି।
ହରିୟାଣା: ୬
ମୁଷ୍ଟିଯୁଦ୍ଧରେ ବିଜେନ୍ଦର ସିଂହ, ଯୋଗେଶ୍ବର ଦତ୍ତ ଏବଂ ଫ୍ରିଷ୍ଟାଇଲ୍‌ କୁସ୍ତିରେ ସାକ୍ଷୀ ମଲିକ ‌ଗୋଟିଏ ଲେଖାଏଁ ପଦକ ଜିତିଥିଲେ। ‌ହରିୟାଣା ଜନ୍ମିତ କୁସ୍ତିଯୋଦ୍ଧା ସୁଶୀଲ କୁମାର ଦୁଇଟି (କାଂସ୍ୟ, ରୌପ୍ୟ) ପଦକ ଜିତିଥିଲେ। ସେହିପରି ହରିୟାଣା ଜନ୍ମିତ ସାଇନା ନେହୱାଲ ବ୍ୟାଡ୍‌ମିଣ୍ଟନରେ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ସା‌ଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲେ। ସାଇନା ହରିୟାଣାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପରିବାର ସହ ହାଇଦ୍ରାବାଦ ଚାଲିଆସିଥିଲେ।
ପଶ୍ଚିମବଙ୍ଗ: ୩
ଦେଶକୁ ଅଲିମ୍ପିକ୍ସ ପଦକ ଦେବାରେ ହରିୟାଣା ପଛକୁ ଦ୍ବିତୀୟରେ ରହିଛି ପଶ୍ଚିମବଙ୍ଗ। ଏହି ରାଜ୍ୟର ନର୍ମାନ ପ୍ରିଚାର୍ଡ ଦେଶର ପ୍ରଥମ ଅଲିମ୍ପିଆନ୍‌। ୧୯୦୦ ପ୍ୟାରିସ ଗ୍ରୀଷ୍ମ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରି ୨୦୦ ମିଟର ଦୌଡ଼ ଏବଂ ବାଧାଦୌଡ଼ରେ ୨ଟି ରୌପ୍ୟ ପଦକ ଜିତିଥିଲେ। ଲିଆଣ୍ଡର ପେସ୍‌ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସ‌ ପୁରୁଷ ଏକକ ଟେନିସରେ କାଂସ୍ୟ ପଦକ ରାଜ୍ୟ ପାଇଁ ତୃତୀୟ ପଦକ ଥିଲା।
ମଣିପୁର: ୧
ମଣିପୁରର ଏମ୍‌ସି ମେରିକମ୍‌ ପ୍ରଥମ ଥର ଲାଗି ୨୦୧୨ ଲଣ୍ଡନ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ। ‌ପ୍ରଥମ ପଦାର୍ପଣରେ ସେ ମହିଳା ଫ୍ଲାଏୱେଟ୍‌ ବର୍ଗରେ କାଂସ୍ୟ ପଦକ ଜିତି ଗୌରବ ଆଣିଥିଲେ।
ତାମିଲନାଡ଼ୁ: ୧
ବନ୍ଧୁକ ଚାଳନାରେ ଦେଶ ପାଇଁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ଗଗନ ନାରଙ୍ଗ ପୁରୁଷ ୧୦ ମିଟର ଏୟାର ରାଇଫଲରେ କାଂସ୍ୟ ପଦକ ଜିତିଥିଲେ।
ହିମାଚଳ ପ୍ରଦେଶ: ୧
୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ହିମାଚଳ ପ୍ରଦେଶର ବିଜୟ କୁମାର ପୁରୁଷ ୨୫ ରାପିଡ ଫାୟର ପିସ୍ତଲରେ ରୌପ୍ୟ ପଦକ ନିଜ ନାମରେ କରିଥିଲେ।
ଉତ୍ତରାଖଣ୍ଡ: ୧
ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଜନ୍ମିତ ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସ ପୁରୁଷ ୧୦ ମିଟର ଏୟାର ରାଇଫଲରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ।
ରାଜସ୍ଥାନ: ୧
୨୦୦୪ ଏଥେନ୍ସ ଅଲିମ୍ପିକ୍ସ ପୁରୁଷ ଡବଲ ଟ୍ରାପ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ ରାଜସ୍ଥାନର ରାଜ୍ୟବର୍ଦ୍ଧନ ସିଂହ ରାଠୋର।
ଆନ୍ଧ୍ରପ୍ରଦେଶ: ୧
ଆନ୍ଧ୍ରପ୍ରଦେଶର କ‌ର୍ଣ୍ଣମ ମାଲେଶ୍ବରୀ ୨୦୦୦ ସିଡ୍‌ନି ଅଲିମ୍ପିକ୍ସରେ ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଥିଲେ।
ତେଲେଙ୍ଗାନା: ୧
ହାଇଦ୍ରାବାଦର ପିଭି ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସ ମହିଳା ବ୍ୟାଡ୍‌ମିଣ୍ଟନ ଏକକ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।
ମହାରାଷ୍ଟ୍ର: ୧
୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ମହାରାଷ୍ଟ୍ରର ଫ୍ରିଷ୍ଟାଇଲ କୁସ୍ତିବିତ୍‌ ଖାସ୍‌ବା ଦାଦାସାହେବ ଯାଦବ ବାଣ୍ଟମୱେଟ୍‌ରେ କାଂସ୍ୟ ପଦକ ଜିତିଥିଲେ।

ପଦକ ବିହୀନ ରାଜ୍ୟ
ପଦକ ବିହୀନ ରାଜ୍ୟ ମଧ୍ୟରେ ଅଛନ୍ତି ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ସିକିମ, ତ୍ରିପୁରା ଓ ଉତ୍ତରାଖଣ୍ଡ ଭଳି ମୋଟ ୧୮ ରାଜ୍ୟ। ଏହି ରାଜ୍ୟଗୁଡ଼ିକ ଚଳିତ ବର୍ଷ ଟୋକିଓରେ ପଦକ ଖାତା ଖୋଲିବା ଲକ୍ଷ୍ୟରେ ରହିଛନ୍ତି। ଓଡ଼ିଶାରୁ ଏପର୍ଯ୍ୟନ୍ତ ୧୪ଜଣ ଖେଳାଳି ଅଲିମ୍ପିକ୍ସରେ ସାମିଲ ହୋଇଥିଲେ ମଧ୍ୟ ଜଣେ ହେଲେ ବି ପଦକ ଜିତିବାକୁ ସକ୍ଷମ ହୋଇ ନାହାନ୍ତି।

ତ୍ରିରଙ୍ଗା ଧରିବେ ମେରିକମ୍‌ ଓ ମନ୍‌ପ୍ରୀତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ୬ ଥରର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ଏବଂ ପୁରୁଷ ହକି ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ ଭାରତୀୟ ପତାକା ଧରିବେ। ସେହିଭଳି ଅଗଷ୍ଟ ୮ ତାରିଖରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ତ୍ରିରଙ୍ଗା ଧରିବେ କୁସ୍ତିବିତ୍‌ ବଜରଙ୍ଗ ପୁନିଆ ବୋଲି ସୋମବାର ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଫିସିଆଲ୍‌ ଚିଠିରେ ସ୍ପଷ୍ଟ କରିଛନ୍ତି। ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଅଲିମ୍ପିକ୍ସରେ ଭାରତରୁ ୧୨୬ ଖେଳାଳି ଏବଂ ୭୫ ଅଫିସିଆଲ୍‌ଙ୍କ ସହ ମୋଟ ୨୦୧ ଜଣ ପ୍ରତିନିଧିତ୍ବ କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ବାତ୍ରା ‌କହିଛନ୍ତି।

ସମ୍ବନ୍ଧିତ ଖବର