ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଆଜି ମଧ୍ୟ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ କମ୍ପାନି ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଇଡି ବହୁ ସଂଖ୍ୟାରେ ଦାମୀ ବିଦେଶୀ ହାତଘଣ୍ଟା ଜବତ କରିଛି। ଏହି ହାତଘଣ୍ଟା ଗୁଡ଼ିକ୧୭୬ଟି ଷ୍ଟିଲ ଆଲମିରା, ୧୫୮ଟି ବାକ୍ସ ଏବଂ ୬୦ଟି ପ୍ଲାଷ୍ଟିକ କଣ୍ଟେନରରେ ରଖାଯାଇଥିଲା। ଷ୍ଟିଲ ଆଲମିରା, ବାକ୍ସ ଓ ପ୍ଲାଷ୍ଟିକ କଣ୍ଟେନରଗୁଡ଼ିକୁ ବି ଇଡି ଜବତ କରିଛି। ଏଥିସହିତ ଇଡି ନିରବଙ୍କ ଗୋଟିଏ କମ୍ପାନିର ୩୦ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୧୩.୮୬ କୋଟି ଟଙ୍କା ମୂଲ୍ୟର ସେୟାରକୁ ଅଚଳ କରିଦେଇଛି। ଗତକାଲି ଇଡି ନିରବଙ୍କର ୧୦୦ କୋଟି ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ବ୍ୟାଙ୍କ ଜମା, ମ୍ୟୁଚୁଆଲ ଫଣ୍ଡ ଓ ସେୟାର ସମେତ ୯ଟି ଦାମୀ କାର ଜବତ କରିଥିଲା। ଅନ୍ୟପକ୍ଷରେ ନିରବଙ୍କ ସମୁଦ୍ର ମହଲସ୍ଥିତ ଘରୁ ପୂର୍ବରୁ ଜବତ ହୋଇଥିବା ପେଣ୍ଟିଂ ଗୁଡ଼ିକର ମୂଲ୍ୟ କେତେ ହେବ ତାହାର ମୂଲ୍ୟାୟନ ବିଶେଷଜ୍ଞମାନେ କରୁଛନ୍ତି। ଇଡି ଅଧିକାରୀମାନେ ନିରବ ମୋଦି ଗ୍ରୁପ୍‌ର ପ୍ରାୟ ୧୦୦ଟି ଚଳନ୍ତି ଖାତା ଠାବ କରିଛନ୍ତି। ସେଗୁଡ଼ିକର ତଦନ୍ତ ଚାଲିଛି। ଏତଦ୍‌ବ୍ୟତୀତ ଇଡି ଓ ଆୟକର ବିଭାଗ ଦେଶବିଦେଶରେ ପ୍ରାୟ ୨୦୦ ଜାଲ୍‌ କମ୍ପାନିର ସନ୍ଧାନ ପାଇଛନ୍ତି। ଜାଲ୍‌ କମ୍ପାନି ସମ୍ପର୍କରେ ସବିଶେଷ ତଥ୍ୟ ଇଡି ପକ୍ଷରୁ ଆୟକର ବିଭାଗକୁ ମଗାଯାଇଛି। ଏଥିସହିତ ଏହି ସ୍କାମ୍‌ର ଅର୍ଥ କେଉଁସବୁ ଆଡ଼େ ଯାଇଛି ତାହାକୁ ଇଡି ଅନୁଧ୍ୟାନ କରୁଛି। ଅନ୍ୟପକ୍ଷରେ ଏହି ମାମଲାରେ ଏପର୍ଯ୍ୟନ୍ତ ସିବିଆଇ ୧୨ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ନିରବଙ୍କ ଏକ କମ୍ପାନିର ସଭାପତି (ଅର୍ଥ) ବିପୁଳ ଅମ୍ବାନି, ପିଏନ୍‌ବି ବ୍ରେଡି ହାଉସ୍‌ ଶାଖାର ଜେନେରାଲ ମ୍ୟାନେଜର ରାଜେଶ ଜିନ୍ଦଲ ରହିଛନ୍ତି।

ଚୁକ୍ତି ବାତିଲ କଲେ ପ୍ରିୟଙ୍କା

Advertisment

publive-imageମୁମ୍ବାଇ: ନିରବ ମୋଦିଙ୍କ ଗହଣା ବ୍ରାଣ୍ଡ୍‌ର ପ୍ରଚାର କରୁଥିବା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କମ୍ପାନି ସହିତ ସଂପର୍କ ଛିନ୍ନ କରିଛନ୍ତି। ପ୍ରିୟଙ୍କାଙ୍କ ପ୍ରବକ୍କତା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏକ ଟିଭି ବିଜ୍ଞାପନରେ ପ୍ରିୟଙ୍କା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ବ୍ରାଣ୍ଡ୍‌ର ପ୍ରଚାର କରିଥିଲେ। ଏବେ ନିରବଙ୍କ ନାମରେ ଆସିଥିବା ଅଭିଯୋଗକୁ ଦେଖି ପ୍ରିୟଙ୍କା କମ୍ପାନି ସହିତ ଚୁକ୍ତି ବାତିଲ କରିଛନ୍ତି ବୋଲି କୁହାଯାଇଛି। ତେବେ ମେହୁଲ ଚୋକ୍‌ସିଙ୍କ ଦ୍ୱାରା ପରିଚାଳିତ ଗୀତାଞ୍ଜଳି ଜେମ୍‌ସର ବିଜ୍ଞାପନରେ ଅଭିନେତ୍ରୀ ବିପାଶାଙ୍କ ଚୁକ୍ତି କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ସେହି ବିଜ୍ଞାପନରେ ତାଙ୍କ ଚିତ୍ରକୁ ଏବେ ବି ବ୍ୟବହାର କରାଯାଉଛି।