କରୋନା ଭୂତାଣୁ ପ୍ରଭାବ: ଦିନକୁ ୧୨ କୋଟିର ଡିଜେଲ ବିକ୍ରି ଠପ୍

ଭୁବନେଶ୍ବର: ଦେଶରେ କରୋନା ଭୂତାଣୁ ବ୍ୟାପିବାରେ ଲାଗିଥିବାରୁ ସରକାର ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି। ବିଶେଷକରି ସ୍କୁଲ କଲେଜ ବନ୍ଦଠାରୁ ଆରମ୍ଭ କରି ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ହ୍ରାସ ପଦକ୍ଷେପ ନିଆଯାଇଛି। ଏଥି‌ଯୋଗୁ ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡ଼ି ଗୁଡ଼ିକ ରାସ୍ତାରେ ଗଡ଼ିବା ସଂଖ୍ୟା କମିଯାଇଛି। ଏହାର ପ୍ରଭାବ ରାଜ୍ୟର ଡିଜେଲ ବିକ୍ରି ଉପରେ ସିଧାସଳଖ ପଡ଼ିଛି। ଫଳରେ ରାଜ୍ୟରେ ଦିନକୁ ୧୨ କୋଟି ଟଙ୍କା ମୂଲ୍ୟର ଡିଜେଲ୍ ବିକ୍ରି ଠପ୍ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ଯଦି ଶୀଘ୍ର ନିୟନ୍ତ୍ରଣକୁ ନଆସେ ତା’ହେଲେ ସରକାର ଲଗାଇଥିବା କଟକଣା ଅଧିକ ଦିନ ଜାରି ରହିବ। ଏହା ହେଲେ ଆଗାମୀ ଦିନରେ ଡିଜେଲ ବିକ୍ରି ୫୦ ପ୍ରତିଶତ ପର୍ଯ୍ୟନ୍ତ କମିଯିବ। ଏହା ପେଟ୍ରୋଲ ପମ୍ପ ଡିଲରମାନଙ୍କ ଆୟ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ପେଟ୍ରୋଲ ପମ୍ପ ଡିଲରମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଏବେ ଦିନକୁ ପ୍ରାୟ ୨୮ ଲକ୍ଷ ୬୦ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଛି। ଘରୋଇ ଗାଡ଼ି ଏବଂ ଦୁଇ ଚକିଆ ଯାନ ଚଳାଚଳ ବନ୍ଦ ହୋଇ ନଥିବାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ବିକ୍ରି ପ୍ରଭାବିତ ହୋଇନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ପେଟ୍ରୋଲ ତୁଳନାରେ ୫ ଗୁଣ ଅଧିକ ଡିଜେଲ ବିକ୍ରି ହୋଇଥାଏ। ପେଟ୍ରୋଲ ପମ୍ପ ଗୁଡ଼ିକ ଦିନକୁ ପ୍ରାୟ ୮୯ ଲକ୍ଷ ୭୦ ହଜାର ଲିଟର ଡିଜେଲ ବିକିଥାନ୍ତି। କିନ୍ତୁ କରୋନା ପ୍ରଭାବରେ ୨୦% ପର୍ଯ୍ୟନ୍ତ ବିକ୍ରି ପ୍ରଭାବିତ ହେଲାଣି ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି। ୨୦% ହ୍ରାସ ଯୋଗୁଁ ରାଜ୍ୟରେ ଦିନକୁ ପ୍ରାୟ ୧୭ ଲକ୍ଷ ୯୪ ହଜାର ଲିଟର ଡିଜେଲ ବିକ୍ରି କମିଯାଇଛି। ଖୁଚୁରା ବଜାରରେ ବର୍ତ୍ତମାନ ଥିବା ମୂଲ୍ୟକୁ ଦେଖିଲେ ଦିନକୁ ପ୍ରାୟ ୧୨ କୋଟି ଟଙ୍କା ମୂଲ୍ୟର ଡିଜେଲ ବିକ୍ରି ବନ୍ଦ ହୋଇଯାଇଛି। କରୋନା ଶୀଘ୍ର ନିୟନ୍ତ୍ରଣକୁ ନଆସିଲେ ଆଗାମୀ ଦିନରେ ବିକ୍ରି ବହୁମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ପେଟ୍ରୋଲ ପମ୍ପ ଡିଲରମାନେ ମତ ଦେଇଛନ୍ତି। ବିକ୍ରି କମିଲେ ପେଟ୍ରୋଲ ପମ୍ପ ମାଲିକମାନଙ୍କର ଆୟ କମିବ। କିଛିଦିନ ପାଇଁ ମାଲିକମାନେ ଏହି ବିକ୍ରି ହ୍ରାସର ପ୍ରଭାବକୁ ବହନ କରିନେବେ। କିନ୍ତୁ ଅଧିକ ଦିନ ଜାରି ରହିଲେ କର୍ମଚାରୀମାନଙ୍କୁ ଦରମା ଦେବା କଷ୍ଟକର ହେବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର