୨୬ଟି ବଡ଼ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

ଚଳିତ ବର୍ଷ ହରିଦାସପୁର-ପାରାଦୀପ ମଧ୍ୟରେ ଟ୍ରେନ୍ ଚାଲିବ

ଭୁବନେଶ୍ବର: ରାଜ୍ୟରେ ୫୪ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ୨୬ଟି ବୃହତ ପ୍ରକଳ୍ପ କାର୍ଯ୍ୟର ଆଜି ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରକଳ୍ପ ପରିଚାଳନା କମିଟି ବୈଠକରେ କ୍ୟାବିନେଟ୍ କମିଟି ପ୍ରକଳ୍ପ ତଦାରଖ ଗ୍ରୁପ୍‌ର ଯୁଗ୍ମ ରାଜୀବ ଅଗ୍ରୱାଲ୍‌ଙ୍କ ଦ୍ବାରା କରାଯାଇଥିବା ଏହି ସମୀକ୍ଷା ବୈଠକରେ ରେଳ, ରାଜପଥ, ଖଣି, ପାୱାର ପ୍ଲାଣ୍ଟ୍‌ ଆଦି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଛି।

ଏକ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ହରିଦାସପୁର-ପାରାଦୀପ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ୩୫୦୦ କୋଟି ଟଙ୍କାର ଖୋର୍ଦ୍ଧା-ବଲାଙ୍ଗୀର ୧୧୨ କିମି ରେଳ ପଥ ପାଇଁ ଦରକାର ହେଉଥିବା ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଜମିର ଅଧିଗ୍ରହଣକୁ ତ୍ବରାନ୍ବିତ କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ବାଂଶପାଣି-ଜଖପୁଆ ରେଳପଥର ଦୋହରୀକରଣ, ରାଉରକେଲା-ଝାରସୁଗୁଡ଼ା, କୋରାପୁଟ-ସିନ୍‌ଗାପୁର ରେଳପଥର ଦୋହରୀକରଣ, କୋଟାଭାଲ୍‌ସା-କୋରାପୁଟ, ବୁଢ଼ାପଙ୍କ-ସାଲେଗାଁ, ବିଜୟନଗରମ୍-ସମ୍ବଲପୁର, ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦୋହରୀକରଣ, ତାଳଚେର-ବିମଳାଗଡ଼ ଓ ଅନୁଗୁଳ-ସୁକିନ୍ଦା ରେଳପଥ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏହି ସବୁ ରେଳ ପ୍ରକଳ୍ପର ମୋଟ ୧୪,୪୦୦ କୋଟି ଟଙ୍କା ଖର୍ଚ କରାଯାଉଛି।

ରାଜପଥ ପ୍ରକଳ୍ପ ମଧ୍ୟରେ ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ବର ସେକ୍‌ସନ୍ ଷଷ୍ଠ ରାସ୍ତାର ପ୍ରଶସ୍ତୀକରଣ, ବିରମିତ୍ରପୁର-ବାରକୋଟ, ବିଞ୍ଚବାହାଳି-ତିଲେଇବଣି, ସିନ୍‌ଗାରା-ବିଞ୍ଚବାହାଳ, ଅନୁଗୁଳ-ସମ୍ବଲପୁର ଟୋଲ୍‌ ରୋଡ୍‌, କଟକ-ଅନୁଗୁଳ ଟୋଲ୍‌ ରୋଡ୍ ଏବଂ ପାଣି କୋଇଲି-ରିମୋଳି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରାଯାଇଛି। ଏହି ସବୁ ପ୍ରକଳ୍ପରେ ୬୫୯୪ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏମ୍‌ସିଏଲ୍ ଖଣି ପ୍ରକଳ୍ପର ଅଗ୍ରଗତି ବିଷୟରେ ମଧ୍ୟ ସମୀକ୍ଷା କରାଯାଇଛି। କଂପାନି ତରଫରୁ ଏଦିଗରେ ୯୮୯୭.୮୭ କୋଟି ଟଙ୍କା ବିନିଯୋଗ କରାଯାଉଛି। ଡାଲ୍‌ମିଆ ସିମେଣ୍ଟ୍‌ର ୩୦୦୦ କୋଟି ଟଙ୍କାର ଖଣି ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଉଛି। ଏହି ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ପ୍ରକଳ୍ପ ପରିଚାଳନା ସେଲ୍‌ର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅସିତ ତ୍ରିପାଠୀ, ଓ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ସୁରେଶ ମହାପାତ୍ର ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର