୪୩୫୦ କୋଟି ଟଙ୍କାରେ ରୁଚି ସୋୟାକୁ କିଣିଲା ପତଞ୍ଜଳି, ବାବା ରାମଦେବ ହେଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଖାଦ୍ୟ ଉପଯୋଗୀ ତେଲ ଓ ସୋୟାବିନ ପ୍ରସ୍ତୁତ କରୁଥିବା କମ୍ପାନୀ ରୁଚି ସୋୟାକୁ କିଣିଛି | ପତଞ୍ଜଳି ଆୟୁର୍ବେଦ ୪୩୫୦ କୋଟି ଟଙ୍କାରେ ରୁଚି ସୋୟାକୁ କିଣିଥିବା ବେଳେ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ଏହା ପ୍ରଥମ ବଡ଼ ଅଧିଗ୍ରହଣ ବୋଲି କୁହାଯାଉଛି | ରୁଚି ସୋୟାକୁ ପତଞ୍ଜଳି ଅଧିଗ୍ରହଣ କରିବା ପରେ ଆଚାର୍ଯ୍ୟ ବାଳକୃଷ୍ଣ ନୂତନ  କମ୍ପାନୀର ଅଧ୍ୟକ୍ଷ ହୋଇଥିବାବେଳେ ବାବା ରାମଦେବ ନବଗଠିତ ପରିଚାଳନା ବୋର୍ଡର ନିର୍ଦ୍ଦେଶକ ହୋଇଛନ୍ତି | ବର୍ତ୍ତମାନ ରୁଚି ସୋୟାର ଦେଶରେ ୨୦ଟି ପ୍ଲାଣ୍ଟ ଥିବା ବେଳେ ୧୧.୫୦ ଲକ୍ଷ ରିଟେଲ ଆଉଟଲେଟ ମାଧ୍ୟମରେ କମ୍ପାନୀ ସାମଗ୍ରୀ ବିକ୍ରି କରୁଛି |

New Indian Express

ଏହି ଚୁକ୍ତିନାମା ସଂପନ୍ନ ହେବା ପରେ ୧୪ ପ୍ରତିଶତ ବଜାର ଅଂଶଧନ ସହ ପତଞ୍ଜଳି ଦେଶର ଦ୍ଵିତୀୟ ବୃହତମ ଖାଇବା ତେଲ ପ୍ରସ୍ତୁତ କରୁଥିବା କମ୍ପାନୀ ହୋଇପାରିଛି | ବର୍ତ୍ତମାନ ୧୯ ପ୍ରତିଶତ ବଜାର ଅଂଶଧନ ସହ ଅଦାନୀ ୱେଲମର ପ୍ରଥମ ସ୍ଥାନରେ ରହିଛି | ଏଠାରେ ସୂଚନା ଥାଉ କି ରୁଚି ସୋୟା ଉପରେ ବିଭିନ୍ନ ବ୍ୟାଙ୍କର ୯୩୪୫ କୋଟି ଟଙ୍କାର ଋଣ ରହିଛି |

ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ ଓ ଡ଼ିବିଏସ ବ୍ୟାଙ୍କର ଅଭିଯୋଗ ଆଧାରରେ  ରୁଚି ସୋୟା ଋଣ ଖିଲାପ ମାମଲା ରାଷ୍ଟ୍ରୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ(ଏନସିଏଲଟି) ପାଖକୁ ପଠାଯାଇଥିଲା। ଏହା ପରେ ୨୦୧୭ ମସିହାରେ ଏନସିଏଲଟି ରୁଚିସୋୟାକୁ ଦେବାଳିଆ ଘୋଷଣା କରିବା ସହ ଏହାର ନିଲାମୀ ଆଦେଶ ଦେଇଥିଲେ | ୨୦୧୯ ମସିହାରେ ପତଞ୍ଜଳି ରୁଚି ସୋୟାକୁ ଅଧିଗ୍ରହଣ କରିବାକୁ ମଞ୍ଜୁରୀ ହାସଲ କରିଥିଲା |

ସମ୍ବନ୍ଧିତ ଖବର