ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ପାଇଁ ୩ ଲକ୍ଷ କୋଟିର ଋଣ ସହାୟତା ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାମାନଙ୍କ ପାଇଁ ପ୍ରାୟ ୩ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ।
ଏହି ସ୍କିମ ଅନୁସାରେ ଏମଏସଏମଇମାନେ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ ପାଇପାରିବେ । ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର ଥିବା କିମ୍ବା ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ଥିବା ସଂସ୍ଥାମାନେ ଏହି ସ୍କିମର ଲାଭ ଉଠାଇପାରିବେ । ଏସବୁ ଋଣ ପାଇଁ ସରକାର ଗ୍ୟାରେଣ୍ଟି ଦେବେ ।

ଅନ୍ୟପକ୍ଷରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାମାନଙ୍କ ବ୍ୟାଖ୍ୟାକୁ ସରକାର ସଂଶୋଧନ କରିଛନ୍ତି । ଏଣିକି ୧ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଓ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର କରୁଥିବା ସଂସ୍ଥାକୁ ଲଘୁ ଉଦ୍ୟୋଗ କୁହାଯିବ । ସେହିପରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଓ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର କରୁଥିବା ସଂସ୍ଥାକୁ କ୍ଷୁଦ୍ର ଉଦ୍ୟୋଗ କୁହାଯିବ । ଅନ୍ୟପକ୍ଷରେ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଓ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର କରୁଥିବା ସଂସ୍ଥାକୁ ଲଘୁ ଉଦ୍ୟୋଗ କୁହାଯିବ ।

ଏହାଛଡ଼ା ଏମଏସଏମଇଗୁଡ଼ିକରେ ପ୍ରାୟ ୫୦ ହଜାର କୋଟିର ପୁଞ୍ଜିଭର୍ତ୍ତି କରାଯିବ ଓ ୧ ହଜାର କୋଟିର କର୍ପସ ଫଣ୍ଡ ଗଠନ କରାଯିବ । ଅନ୍ୟପକ୍ଷରେ ଏଣିକି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ଟେଣ୍ଡର ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯିବ ନାହିଁ । ଏହା ଦ୍ୱାରା ଦେଶର ଉଦ୍ୟୋଗମାନେ ଉପକୃତ ହେବେ । ୪୫ ଦିନ ମଧ୍ୟରେ କେନ୍ଦ୍ର ସରକାର ଓ ପିଏସୟୁଗୁଡ଼ିକ ପାଖରେ ଥିବା ଏମଏସଏମଇମାନଙ୍କର ବକେୟା ପରିଶୋଧ କରାଯିବ ।

ସମ୍ବନ୍ଧିତ ଖବର