ସର୍ବକାଳୀନ ରେକର୍ଡ ଉଚ୍ଚତାରେ ସେନସେକ୍ସ, ୪୦,୪୩୪ ପଏଣ୍ଟରେ ବନ୍ଦ ହେଲା

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସରେ ଉତ୍ସାହ ଅବ୍ୟାହତ ରହିଛି । ଆଜି ସେନସେକ୍ସ ସର୍ବକାଳୀନ ରେକର୍ଡ ଉଚ୍ଚତାରେ ବନ୍ଦ ହୋଇଛି । ସେନସେକ୍ସ ୨୨୧.୫୫ ପଏଣ୍ଟ ବୃଦ୍ଧି ପାଇ ୪୦,୪୬୯.୭୮ ପଏଣ୍ଟରେ ବନ୍ଦ ହୋଇଛି । ତେବେ ନିଫଟି ସାମାନ୍ୟ ହ୍ରାସ ପାଇ ୧୧,୯୬୬ ପଏଣ୍ଟରେ ବନ୍ଦ ହୋଇଛି । ଗତ ସୋମବାରଦିନ ସେନସେକ୍ସ ପ୍ରଥମ ଥର ପାଇଁ ୪୦,୪୩୪ ପଏଣ୍ଟକୁ ଛୁଇଁଥିଲା ।

ଅର୍ଥନୀତିକୁ ସଜାଡିବା ଓ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଅଧିକ ନିବେଶ କରୁଛନ୍ତି । ବ୍ୟାଙ୍କିଙ୍ଗ ଷ୍ଟକ ଗୁଡ଼ିକରେ ବିଶେଷ ବୃଦ୍ଧି ଦେଖାଦେଇଛି । ଆହୁରି ମଧ୍ୟ ବିଭିନ୍ନ ବ୍ଲୁଚିପ କମ୍ପାନିଙ୍କ ଦ୍ୱାରା ଉତ୍ତର ତ୍ରୈମାସିକ ପ୍ରଦର୍ଶନ ମଧ୍ୟ ନିବେଶକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।

ଆଜି ବୃଦ୍ଧି ପାଇଥିବା ଷ୍ଟକ ଗୁଡିକ ହେଲେ ଆଇସିଆଇସିଆଇ ବ୍ୟାଙ୍କ, ଇନଫୋସିସ,ଏଚଡିଏଫସି, ମାରୁତି ସୁଜୁକୀ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ । ଅନ୍ୟପକ୍ଷରେ ଡଲାର ତୁଳନାରେ ଭାରତୀୟ ଟଙ୍କା ଆଜି ୨୯ ପଇସା ହ୍ରାସ ପାଇ ୭୦.୯୮ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର