ସୌର ମିସନ ପାଇଁ ଖର୍ଚ୍ଚ ୩୭୮ କୋଟି, ପୃଥିବୀର ସବୁଠୁ ଶସ୍ତା ସୌରଯାନ

ନୂଆଦିଲ୍ଲୀ: ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଏହାର ସୌର ମିସନ ଅଧୀନରେ ମହକାଶକୁ ଆଦିତ୍ୟ-ଏଲ୍‌୧ ପ୍ରେରଣ କରାଯାଇଛି। ୧୫ ଲକ୍ଷ କିଲୋମିଟର ଏହି ଯାନ ଯାତ୍ରା କରିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠକୁ ପ୍ରେରଣ ହେବାର କିଛିଦିନ ପରେ ଏହାକୁ ମହାକାଶର ଲାଗ୍ରାଞ୍ଜ-୧ର ହେଲୋ ‌ଅର୍ବିଟ୍‌କୁ ପଠାଯାଇଛି। ପୃଥିବୀଠାରୁ ଏହି ସ୍ଥାନର ଦୂରତା ପ୍ରାୟ ୧୫ ଲକ୍ଷ କିଲୋମିଟର। ଚନ୍ଦ୍ରଯାନ ପାଇଁ ପ୍ରାୟ ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଇସ୍ରୋ ପକ୍ଷରୁ ସୌର ମିସନର ବଜେଟ୍‌ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ।

ତେବେ ସରକାର ଲୋକସଭାରେ ୨୦୧୯ରେ ସୂଚନା ଦେଇଥିଲେ ଯେ ସୌର ମିସନ ପାଇଁ ୩୭୮.୫୩ କୋଟି ଟଙ୍କା ଆବଣ୍ଟନ ହୋଇଛି। ଏହି ବଜେଟରେ ଭାରତର ସୋଲାର ମିସନ ସବୁଠୁ ଶସ୍ତା ବୋଲି କୁହାଯାଉଛି। ନାସାର ଷ୍ଟେରିଓ ସ୍ପେସକ୍ରାଫ୍ଟ ୨୦୦୬ ଅକ୍ଟୋବରରେ ପ୍ରେରଣ କରାଯାଇଥିଲା। ସେତେବେଳେ ଏହାର ବଜେଟ୍‌ ୫୫ କୋଟି ଡଲାର ବା ପ୍ରାୟ ୪୫୪୯ କୋଟି ଟଙ୍କା ରହିଥିଲା। ସେହିଭଳି ନାସା ପାର୍କର ସୋଲାର ପ୍ରୋବ୍‌ ବାବଦରେ ପ୍ରାୟ ୧.୫ ବିଲିଅନ ଡଲାର ଅର୍ଥାତ ୧୨୪୦୮ କୋଟି ଟଙ୍କା ବ୍ୟୟ ହୋଇଥିଲା। ପାର୍କର ସୋଲାର ପ୍ରୋବ୍ ସୂର୍ଯ୍ୟର ସବୁଠୁ ନିକଟକୁ ଯାଇଥିବା ମିସନ।

ସମ୍ବନ୍ଧିତ ଖବର