ଉତ୍ପାଦନ ଆରମ୍ଭ କରିବେ ଗାଡ଼ି କଂପାନି

ନୂଆଦିଲ୍ଲୀ: କରୋନା ସଙ୍କଟ ଲାଗି ଦେଶରେ ଗାଡ଼ି ଉତ୍ପାଦନ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି କଟକଣା କୋହଳ କରାଯାଇଥିବାରୁ ଗାଡ଼ି କଂପାନିଗୁଡ଼ିକ ଉତ୍ପାଦନକୁ ପୁନର୍ବାର ଆରମ୍ଭ କରୁଛନ୍ତି। କିଛି କଂପାନି କାରଖାନା ଚାଲୁ କରିବା ଆରମ୍ଭ କରିଥିବା ବେଳେ ଅନ୍ୟ କେତେକ କଂପାନି ଯୋଜନା ପ୍ରସ୍ତୁତ କରୁଛନ୍ତି। ଗତ ଏପ୍ରିଲ୍‌ରେ ଦେଶରେ ଗୋଟିଏ ବି ଗାଡ଼ି ବିକ୍ରି ହୋଇନଥିବା କୁହାଯାଉଛି। ମେ’ ମାସରେ କିଛି ପରିମାଣର ଗାଡ଼ି ବିକ୍ରି ହେବ ବୋଲି ଆଶା ସୃଷ୍ଟି ହୋଇଛି। ଚଳିତ ମାସ ୧୨ରୁ ହରିଆନାର ମାନେସର ଠାରେ ଥିବା କାରଖାନାରେ ଉତ୍ପାଦନ ଆରମ୍ଭ କରିବାକୁ ମାରୁତି ସୁଜୁକି ପ୍ରସ୍ତୁତ ହେଉଛି। ଏଥିପାଇଁ କଂପାନି ସ୍ଥାନୀୟ ସରକାରଙ୍କ ଠାରୁ ଅନୁମତି ହାସଲ କରିଛି। କଂପାନିର ଅଧ୍ୟକ୍ଷ ଆର୍‌ସି ଭାର୍ଗବ କହିଛନ୍ତି ଯେ, ଆମେ କାର୍‌ ଉତ୍ପାଦନ ଆରମ୍ଭ କରିବା ପୂର୍ବରୁ କାର୍‌ରେ ବ୍ୟବହାର ହେଉଥିବା ସାମଗ୍ରୀ ଉତ୍ପାଦନ କରୁଥିବା ଯନ୍ତ୍ରାଂଶ କଂପାନିଗୁଡ଼ିକର କାରଖାନା ଖୋଲିବା ଦରକାର। ଚେନ୍ନାଇର ଶ୍ରୀପେରୁମ୍ବୁଦୁର ଠାରେ ଥିବା କାରଖାନାରେ ଉତ୍ପାଦନ ପୁନର୍ବାର ଆରମ୍ଭ କରିବା ବିଷୟରେ ହୁଣ୍ଡାଇ ଚିନ୍ତା କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ମାସକୁ ୧୩ ହଜାର ଗାଡ଼ି ଉତ୍ପାଦନ କରିବ। ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିସ୍‌-ବେଞ୍ଜ୍‌ ପକ୍ଷରୁ ପୁନେର ଚକନ୍‌ ଠାରେ ଥିବା କାରଖାନାରେ ଉତ୍ପାଦନ ଆରମ୍ଭ କରାଯାଇଛି। କିନ୍ତୁ କେବଳ ଜରୁରୀ କାର୍ଯ୍ୟ ପାଇଁ ଦରକାର ହେଉଥିବା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଉଛନ୍ତି। ହୋଣ୍ଡା କାରସ୍‌ ଇଣ୍ଡିଆ ମଧ୍ୟ ଏହାର ରାଜସ୍ଥାନର ଟାପୁକାରା ଠାରେ ଥିବା କାରଖାନା ଖୋଲିବାକୁ ଯୋଜନା ପ୍ରସ୍ତୁ୍ତ କରିଛି।

ସମ୍ବନ୍ଧିତ ଖବର