ଭୁବନେଶ୍ବର ଏମ୍‌ସ ପରିସରରୁ ନାବାଳକ ନିଖୋଜ

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସ ପରିସରରୁ ୭ବର୍ଷର ଜଣେ ନାବାଳକ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛି। ସେ ହେଲା ସ୍ଥାନୀୟ ଶ୍ରୀକ୍ଷେତ୍ର ବିହାର ବସ୍ତିର ସୁନୀଲ୍ ସ୍ବାଇଁଙ୍କ ପୁଅ ବଳିଆ ଓରଫ୍ ଗୁଡ଼ୁ। ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ନାବାଳକକୁ ଖୋଜିବା ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ସଫଳ ହୋଇନାହିଁ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ସୁନୀଲ୍ ଆଇଗିଣିଆ ଶ୍ରୀକ୍ଷେତ୍ର ବିହାର ବସ୍ତିରେ ସପରିବାର ରହୁଛନ୍ତି। ଗତ ୨ ତାରିଖରେ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ସୁନୀଲ୍ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରିଥିଲେ। ୬ ତାରିଖ ପର୍ଯ୍ୟନ୍ତ ଗୀତାଞ୍ଜଳି ହସ୍ପିଟାଲରେ ରହିଥିଲେ। ସୁନୀଲ୍‌ ଓଲା କାର୍ ଚାଳକ ହୋଇଥିବାରୁ ୫ ତାରିଖ ରାତିରେ ଏକ ଭଡ଼ା ପାଇଁ ଚାଲି ଯାଇଥିଲେ। ତେଣୁ ଗୀତାଞ୍ଜଳିଙ୍କ ପାଖରେ ରାତିରେ ଦୁଇ ପୁଅ ରହିଥିଲେ। ୱାର୍ଡ ଭିତରକୁ ଅନୁମତି ନଥିବାରୁ ଦୁଇ ପୁଅ କାଜୁଆଲିଟି ନିକଟରେ ଶୋଇ ପଡ଼ିଥିଲେ। ୱାର୍ଡରେ ଥାଇ ଗୀତାଞ୍ଜଳି ସେମାନଙ୍କ ଉପରେ ନଜର ରଖିଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୩ଟା ବେଳେ ଗୀତାଞ୍ଜଳି ଦେଖିଲେ, ବଡ଼ପୁଅ(୧୪ ବର୍ଷ) ଏକୁଟିଆ ଶୋଇଥିବା ବେଳେ ପାଖରେ ସାନପୁଅ ବଳିଆ ନାହିଁ। ପରେ ବହୁ ଖୋଜାଖୋଜି କଲେ ମଧ୍ୟ ସେ ମିଳି ନଥିଲା। ତାଙ୍କ ପିଲାକୁ କିଏ ଚୋରି କରି ନେଇଛି ବୋଲି ବାପା ମା’ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର