ଜାପାନ କଂପାନିଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବାକୁ ଆହ୍ବାନ

ଭୁବନେଶ୍ବର: କରୋନା ସଙ୍କଟ ବିଶ୍ବର ପ୍ରାୟ ସବୁ ଦେଶର ଅର୍ଥନୀତିକୁ ବିଗାଡ଼ି ଦେଇଥିବା ବେଳେ ବିଦେଶୀ ପୁଞ୍ଜି ହାସଲ କରି ତାହାକୁ ସୁଧାରିବା ଲାଗି କିଛି ଦେଶ ଉଦ୍ୟମ ଆରମ୍ଭ କରିଛନ୍ତି। ଭାରତ ମଧ୍ୟ ନିଜ ଆଡ଼ୁ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ବିଦେଶୀ କଂପାନିଗୁଡ଼ିକୁ ଆମନ୍ତ୍ରଣ କରିବା ଦରକାର ବୋଲି ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର୍‌ର ସଭାପତି କୁନା ଦାଶ କହିଛନ୍ତି। ‌ଜାପାନର ଭାରି ଶିଳ୍ପ ବ୍ୟତୀତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାର ଆମନ୍ତ୍ରଣ କରନ୍ତୁ ବୋଲି ସେ ଚାହୁଛନ୍ତି। ଶ୍ରୀ ଦାଶଙ୍କ ମତରେ ଓଡ଼ିଶା ଓ ଜାପାନ ମଧ୍ୟରେ ବେଶ ସାମଞ୍ଜସ୍ୟ ରହିଛି। ଜାପାନର କନ୍‌ସାଇ୍‌ ଅଞ୍ଚଳରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ରହୁଥିବା ଶ୍ରୀ ଦାଶ କହିଛନ୍ତି ଯେ ଯେତେବେଳେ ବି ତାଙ୍କର ଜାପାନୀ ବନ୍ଧୁମାନେ ଓଡ଼ିଶା ଆସନ୍ତି ଏହି ରାଜ୍ୟକୁ ବହୁତ ପସନ୍ଦ କରନ୍ତି। ଏଠାକାର ଚାଲିଚଳନ, ସଂସ୍କୃତି, ଆତିଥେୟତା ଓ ଖାଦ୍ୟପେୟକୁ ସେମାନେ ପସନ୍ଦ କରନ୍ତି। ଜାପାନ ଏକ ଦ୍ବୀପ ଦେଶ ହୋଇଥିବା ବେଳେ ଓଡ଼ିଶାରେ ୪୮୦ କିଲୋମିଟରର ସମୁଦ୍ରକୂଳ ରହିଛି। ତେଣୁ ଜାପାନୀ ସଂସ୍ଥା ଏଠାରେ କାରଖାନା ସ୍ଥାପନ କଲେ ତାଙ୍କୁ ଜାପାନରେ ରହିବା ଭଳି ମନେ ହେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଜଳ ସମ୍ପଦ ଏବଂ ଶକ୍ତିର ବିପୁଳ ଭଣ୍ଡାର ରହିଥିବା ବେଳେ ଦକ୍ଷ ମାନବ ସମ୍ବଳ ମଧ୍ୟ ଅଛନ୍ତି। ଏହାର ଲାଭ ଉଠାଇବା ଲାଗି ଜାପାନୀ କଂପାନିଗୁଡ଼ିକୁ ବୁଝାଇବାକୁ ରାଜ୍ୟ ସରକାର ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର