ପୁଣି ଭାଇରାଲ୍‌ ହେଲା ଯୁବତୀଙ୍କ ନଗ୍ନ ଫଟୋ

ବଢ଼ୁଛି ପୁଲିସର ମୁଣ୍ଡବ୍ୟଥା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ୍‌ ହେବା ନେଇ ଦିନକୁ ଦିନ ପୁଲିସର ଚିନ୍ତା ବଢ଼ିବାରେ ଲାଗିଛି। ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ନଗ୍ନ ଫଟୋ ପୋଷ୍ଟ କରିବା ଘଟଣାରେ ସହିଦନଗର ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଅଞ୍ଚଳର ସୁଶୀଲ କୁମାର ପଣ୍ଡା(୨୮)। ଏଠାରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିଲା। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ସୁଶୀଲ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ମିଳାମିଶା କରୁଥିଲା। ତେବେ ଏହି ସମୟରେ ସୁଶୀଲ ଯୁବତୀଙ୍କୁ ଏକତରଫା ଭାବେ ଭଲପାଇଥିଲା। ଆଉ ଯୁବତୀଙ୍କ ସହ ବିଭିନ୍ନ ସମୟରେ ଫୋନ୍‌ରେ କଥା ହୋଇଥିଲା। ହେଲେ ଯୁବତୀ ଜଣଙ୍କ ସୁଶୀଲର ମନ୍ଦ ଉଦ୍ଦେଶ୍ୟ ବିଷୟରେ ଜାଣି ନଥିଲେ। ହଠାତ୍‌ ଦିନେ ସୁଶୀଲ ଯୁବତୀଙ୍କୁ ନିଜ ମନ କଥା କହିଥିଲା। ମାତ୍ର ଯୁବତୀ ଜଣଙ୍କ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏଥିରେ ସୁଶୀଲ ଉତ୍ତ୍ୟକ୍ତ ହୋଇ ଉଭୟଙ୍କ କଥାବାର୍ତାର ରେକର୍ଡିଂକୁ ପରିବାର ଲୋକଙ୍କୁ ଶୁଣାଇବ ବୋଲି ଧମକ ଦେଇଥିଲା। ଫଳରେ ଯୁବତୀ ଜଣଙ୍କ ଡରିଯାଇ ସୁଶୀଲର କେତୋଟି କଥାରେ ରାଜି ହୋଇଯାଇଥିଲେ। ଏହାର ସୁଯୋଗ ନେଇ ସୁଶୀଲ ବିଭିନ୍ନ ସମୟରେ ଯୁବତୀଙ୍କୁ ବ୍ଲାକମେଲ୍‌ କରିଥିଲା। ଏପରି ଧମକ ଦେଇ ଯୁବତୀଙ୍କ କିଛି ନଗ୍ନ ଫଟୋ ସଂଗ୍ରହ କରିନେଇଥିଲେ। ପରବର୍ତୀ ସମୟରେ ସୁଶୀଲ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା। ହେଲେ ଯୁବତୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। ପ୍ରତିଶୋଧ ନେବାକୁ ଯାଇ ଶେଷରେ ସୁଶୀଲ ଯୁବତୀଙ୍କ ନଗ୍ନ ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଦେଇଥିଲେ। ଏ ବିଷୟରେ ଜାଣିବା ପରେ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣା ବିଷୟରେ ଯୁବତୀ ଜଣଙ୍କ ତାଙ୍କ ଘରେ କହିଥିଲେ। ଏନେଇ ଯୁବତୀଙ୍କ ବାପା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ରାତିରେ ସୁଶୀଲକୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଗିରଫ କରିଥିଲା। ଥାନାରେ ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର