ସ୍କୁଲ୍‌ ହଷ୍ଟେଲରେ ୪ ଛାତ୍ର ସହପାଠୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ; ଘଟଣାକୁ ମାସେ କାଳ ଚପାଇବା ପରେ ପର୍ଦ୍ଦାଫାସ୍‌ କଲା ପୁଲିସ୍‌

ଡେରାଡୁନ୍‌: ଗତ ମାସରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଉପରୁ ଗତକାଲି ପର୍ଦ୍ଦା ହଟିଛି। ଅଗଷ୍ଟ ୧୪ ତାରିଖ ଦିନ ଡେରାଡୁନ୍‌ର ଏକ ବୋର୍ଡିଂ ସ୍କୁଲରେ ୪ ଜଣ ସହପାଠୀ ଜଣେ ୧୬ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ଆଜି ଜଣାପଡ଼ିଛି।

ଆଶ୍ଚର୍ଯ୍ୟର କଥା ହେଲା ସ୍କୁଲ୍‌ ପରିସରରେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ଏ ସଂପର୍କରେ କୌଣସି ସୂଚନା ସ୍କୁଲ୍‌ ପକ୍ଷରୁ ପୁଲିସକୁ ଦିଆ ଯାଇ ନ ଥିଲା। ଘଟଣାଚକ୍ରରେ କୌଣସି ସୂତ୍ରରୁ ଖବର ପାଇ ଡେରାଡୁନ୍‌ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କ କରିଥିଲା। ମିଳିଥିବା ସୂଚନା ଅନୁସାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଛାତ୍ରଙ୍କ ବୟସ ୧୭ ବର୍ଷ ଓ ସେମାନେ ସମାନ ଶ୍ରେଣୀରେ ପାଠ ପଢ଼ନ୍ତି।

ଘଟଣା ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିଲା। ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଘଟଣାକୁ ଚପାଇ ଦେଇଥିଲେ। ବର୍ତ୍ତମାନ୍‌ ପୁଲିସ ସ୍କୁଲ୍‌ର ନିର୍ଦ୍ଦେଶକ, ପ୍ରିନ୍ସିପାଲ୍‌, ହଷ୍ଟେଲ୍‌ କେୟାର ଟେକର୍‌ ଏବଂ ଆଡମିନିଷ୍ଟ୍ରେଟିଭ୍‌ ଅଫିସରଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍‌ ଅଧୀକ୍ଷକ ନିବେଦିତା କୁରେଟି କହିଛନ୍ତି।

ଦୁଷ୍କର୍ମ ଅଭିଯୁକ୍ତ ୪ ଛାତ୍ରଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର ଅଦାଲତରେ ପେଶ୍‌ କରିଛି। ପୀଡ଼ିତା ଜଣକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର