ଏହି ମହାରାଣୀଙ୍କୁ କେଉଁଠାରୁ ଆଣିଲ କହି, ସଫେଇ କର୍ମୀଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି ମାଲିକାଣୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଘରେ ସଫେଇ କାମ କରୁଥିବା ଯୁବତୀଙ୍କୁ ଘରର ମାଲିକାଣୀ ଅତି ନିସ୍ତୁକଭାବେ ମ‌ାଡ଼ ମାରୁଥିବା ଘଟଣ‌ା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ପୁଲିସ ଏଯାବତ ଏହି ଘଟଣାକୁ ନେଇ କୌଣସି ପଦ‌‌କ୍ଷେପ ନେଇ ନାହିଁ।

ଏହି ଘଟଣାଟି ନିରାଲା ଏସ୍ପାୟର ସୋସାଇଟିର କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳା କୌଣସି କଥାକୁ ନେଇ ଅସନ୍ତୋଷ ଅଛନ୍ତି। ଆଉ ତାଙ୍କ ସାମ୍ନାରେ ଘରେ ସଫେଇ କାମ କରୁଥିବାର ଜଣେ ମହିଳା ଛିଡା ହୋଇଛନ୍ତି। ଆଖପାଖରେ କିଛି ଲୋକ ବି ଭିଡ଼ ଜମାଇଛନ୍ତି। ଏତିକି ବେଳେ ପଛରେ ଛିଡ଼‌ା ହୋଇଥିବା ଜଣେ ବ୍ୟକ୍ତି ବୋଧ ହୁଏ ଏହି ଘଟଣାର ଭିଡିଓ ରେକର୍ଡ କରି ନେଇଥିଲେ। ଆଉ ତାହାକୁ ‌ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।

ଭିଡିଓରେ ଅସନ୍ତୋଷ ଥିବା ମହିଳା ଜଣକ କହୁଥିବା ଶୁଣିବାକୁ ମିଳୁଛି, ଏହି ମହାରାଣୀଙ୍କୁ କେଉଁଠାରୁ ଆଣିଛ। ଆଉ ସେ ସଫେଇ କର୍ମୀଙ୍କୁ କିଛି ଗୋଟେ ଉଠେଇବାକୁ କହୁଛନ୍ତି। ଯେମିତି ‌ସେ ତାହାକୁ ଉଠାଉଛନ୍ତି ମାଲିକ‌ାଣୀ ତାକୁ ଗୋଇଠା ମାରିବା ସହିତ ଚାପୁଡ଼ା ବି ମାରୁଛନ୍ତି।

ପୀଡିତା କିଛି କହିବାକୁ ଚେଷ୍ଟା କରୁଥିବା ବେଳେ ମାଲିକାଣୀ ତାକୁ ଚପଲରେ ମାରିବାକୁ ଧମକ ବି ଦେଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର