ହାତୀକୁ ଘଉଡ଼ାଉଥିଲେ ଗ୍ରାମବାସୀ: ଯୁବକଙ୍କୁ କଚାଡ଼ି ଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରତି ମାସରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି। ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୁରୁଣାଗଡ଼ ଗାଁ ନିକଟକୁ ହାତୀପଲ ଆସିଥିବା ବେଳେ ଗାଁ ଲୋକେ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏମାନଙ୍କ ଭିତରେ ଲିଟୁ ମଧ୍ୟ ହାତୀ ଘଉଡ଼ାଉଥିଲେ। ତେବେ ହଠାତ ହାତୀ ଲୋକଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ଲିଟୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଣେ କିଛି ଦିନ ତଳେ  ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ବେଳେ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ। ବନ୍ତଳା ବନାଞ୍ଚଳ ହମାମିରା ଗ୍ରାମର ନେହେରୁ ସାହୁ(୬୨)ମଧ୍ୟାହ୍ନରେ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବାପରେ ଲୋକମାନେ ତାଙ୍କୁ ଦେଖିବାକୁ ଘଟଣାସ୍ଥଳକୁ ଯାଇଥିଲେ। ତେବେ ସେଠାକୁ ଗ୍ରାମର ବୃଦ୍ଧା ମହିଳା ଚମ୍ପାବତୀ ସାହୁ(୬୪)ଯାଉଥିବା ବେଳେ ଉକ୍ତ ଦନ୍ତାହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର