ଦାୟରେ ମତ୍ସ୍ୟଜୀବୀ ଓ ଡଙ୍ଗା କାରିଗରଙ୍କ ଜୀବିକା, କାମ ନପାଇ ଯାଉଛନ୍ତି ଦାଦନ

ବାହାନଗା(ଭଗବାନ ଚନ୍ଦ୍ର ଦାସ): ଆବଶ୍ୟକତା ଓ ଆଧୁନିକତା ଭିତରେ ହାତ ତିଆରି ଡଙ୍ଗା ଦ୍ବାରା ସମୁଦ୍ରରୁ ମାଛ ଧରୁଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗା କାରିଗରମାନେ ଚାପି ହୋଇଗଲେଣି। ନା ମତ୍ସ୍ୟଜୀବୀମାନେ ଜୀବିକା ବଞ୍ଚାଇ ପାରୁଛନ୍ତି ନା କାରିଗରମାନେ କାମ ପାଉଛନ୍ତି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ଉପକୂଳ ଅଞ୍ଚଳରେ। ବିଶେଷ କରି ବାହାନଗା ଓ ରେମୁଣା ବ୍ଲକ୍‌ରେ ଏ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।
ବାହାନଗା ଓ ରେମୁଣା ବ୍ଲକ୍‌ରେ ଏବେ ୧ ହଜାରରୁ ଅଧିକ ମତ୍ସ୍ୟଜୀବୀ ଅଛନ୍ତି। ସେହିପରି ମୋଟ ୧୪୦ଟି ଯନ୍ତ୍ରଚାଳିତ ବୋଟ୍‌ ଏବଂ ହାତତିଆରି ଡଙ୍ଗା ରହିଛି। ଯାହାକୁ ବ୍ୟବହାର କରି ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରନ୍ତି ଏବଂ ପରିବାର ପ୍ରତିପୋଷଣ କରନ୍ତି। ଏହି ଧାରା ବର୍ଷ ବର୍ଷ ଧରି ଚାଲି ଆସିଥିବା ବେଳେ ଏବେ ବଡ଼ ବ୍ୟତିକ୍ରମ ଦେଖାଦେଇଛି। ଆବଶ୍ୟକତାକୁ ଆଖି ଆଗରେ ରଖି ଆଧୁନିକ ଯନ୍ତ୍ରଚାଳିତ ବୋଟ୍‌ ଓ ଡଙ୍ଗା ଆସିଲାଣି। ମତ୍ସ୍ୟଜୀବୀମାନେ ସେଗୁଡ଼ିକୁ ବ୍ୟବହାର କରି ମାଛ ମାରୁଛନ୍ତି ଏବଂ ଲାଭବାନ ହେଉଛନ୍ତି। ଫଳରେ ହାତ ତିଆରି ନୂଆ ଡଙ୍ଗା ନିର୍ମାଣରେ ଭଟ୍ଟା ପଡ଼ିଛି। ଯେଉଁ ପୁରୁଣା ଡଙ୍ଗାଗୁଡ଼ିକ ଥିଲା, ସେଗୁଡ଼ିକୁ ମତ୍ସ୍ୟଜୀବୀମାନେ କ୍ଷତି ଦୃଷ୍ଟିରୁ ମରାମତି କରୁନାହାନ୍ତି। ଫଳରେ ୫ ବର୍ଷ ମଧ୍ୟରେ ହାତତିଆରି ଡଙ୍ଗା ସଂଖ୍ୟା କମି କମି ୯୦ରୁ ୪୦କୁ ପହଞ୍ଚିଲାଣି। ଏପରି ସମୟରେ ହାତତିଆରି ଡଙ୍ଗା ବ୍ୟବହାର କରୁଥିବା କିଛି ମତ୍ସ୍ୟଜୀବୀ ଅନ୍ୟମାନଙ୍କର ଆଧୁନିକ ଯନ୍ତ୍ରଚାଳିତ ବୋଟ୍‌ ତଥା ଡଙ୍ଗାରେ କାମ କରୁଥିବା ବେଳେ ଆଉକିଛି ମତ୍ସ୍ୟଜୀବୀ ଦାଦନ ଖଟିବାକୁ ବାହାର ରାଜ୍ୟ ପଳାଇଗଲେଣି। ସମସ୍ୟା କେବଳ ଏତିକିରେ ଅଟକି ଯାଇନି। ଯେଉଁ କାରିଗରମାନେ ନିଜ ହାତରେ ଡଙ୍ଗା ତିଆରି କରୁଥିଲେ, ଆଉ କାମ ପାଉ ନାହାନ୍ତି। ଫଳରେ ସେମାନେ ମଧ୍ୟ ଦାଦନ ଖଟିବାକୁ ପଳାଇଯାଉଥିବା ଜଣାପଡ଼ିଛି। ଯେଉଁମାନେ ଅଛନ୍ତି, ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉଛନ୍ତି। ଏନେଇ ତାଳପଦା କଳମଗଡ଼ିଆ ପାହିର କାରିଗର ପଚୁ ମଣ୍ଡଳଙ୍କ ସହ କଥା ହୋଇଥିଲୁ। ସେ କହିଲେ, ମୁଁ ଅତ୍ୟନ୍ତ ଦୁର୍ଦିନରେ ଅଛି। କେବଳ ମୁଁ ନୁହେଁ, ମୋ ପରି ଅନେକ କାରିଗର ଅଛନ୍ତି। ୧୦ ବର୍ଷ ତଳେ ବର୍ଷକୁ ୪ରୁ ୫ଟି ଡଙ୍ଗା ତିଆରି ହେଉଥିଲା। ହେଲେ ଏବେ ବର୍ଷକୁ ଗୋଟିଏ ଡଙ୍ଗା ବି ତିଆରି ହେବା କାଠିକର ପାଠ। ଏନେଇ ମତ୍ସ୍ୟ ଅଧିକାରୀ ଶୁଭମ କୁମାର ମିଶ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଯାହା ପୁରୁଣା ଡଙ୍ଗା ଥିଲା, ଅଛି। ହେଲେ ଆଉ ନୂଆ ଡଙ୍ଗା ତିଆରି ହେଉନି ବୋଲି କହିଛନ୍ତି।
ତେବେ ଏହି ସମସ୍ୟା ଅତ୍ୟନ୍ତ ଗୁରୁତର। ଯେଉଁ ମତ୍ସ୍ୟଜୀବୀମାନେ ଡଙ୍ଗା ସହ ଜୀବିକା ହରାଇଛନ୍ତି ଏବଂ ଯେଉଁ କାରିଗରମାନେ କୁଳବେଉସା ହରାଇଛନ୍ତି, ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଥଇଥାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପ୍ରଶାସନ ଏ ଦିଗରେ କେବେ ଏବଂ କି ପଦକ୍ଷେପ ନେଉଛି, ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର