ଟ୍ରେନ୍‌ରୁ ପଡ଼ି ଶ୍ରମିକଙ୍କ ଦୁଇ ଗୋଡ଼ କଟିଲା, ଅଧା ରହିଗଲା ପ୍ରଥମାଷ୍ଟମୀ

ସୋର: ଆଜି ପ୍ରଥମାଷ୍ଟମୀ। ଘରଛାଡ଼ି ଅନ୍ୟତ୍ର କାମ କରୁଥିବା ଜଣେ ଶ୍ରମିକପ୍ରଥମାଷ୍ଟମୀ ପାଳିବାକୁ ଘରକୁ ଫେରୁଥିବା ବେଳେ ଟ୍ରେନ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଫଳରେ ତାଙ୍କର ଦୁଇଟି ଯାକ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଜୟଦେବ କସବା ଅଞ୍ଚଳର ମନୋଜ ନାୟକ (୪୦) ଏବଂ ତାଙ୍କ ସ୍ତ୍ରୀ ସୀମା ଦୀର୍ଘଦିନ ହେଲା ଯାଜପୁର ଅଞ୍ଚଳରେ ମୂଲମଜୁରି କରି ଚଳନ୍ତି।

ପ୍ରଥମାଷ୍ଟମୀ ଥିବାରୁ ଗତକାଲି ସଂଧ୍ୟାରେ ଉଭୟ ସ୍ବାମୀ-ସ୍ତ୍ରୀ ପୁରୀ-ବାଙ୍ଗିରିପୋଷି ଟ୍ରେନ୍‌ରେ ଯାଜପୁରରୁ ବାଲେଶ୍ୱର ଘରକୁ ଆସୁଥିଲେ। ଏତିକିବେଳେ ସୋର ନିକଟରେ ମନୋଜ ଚଳନ୍ତା ଟ୍ରେନ୍‌ରୁ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଆର୍‌ପିଏଫ୍‌ ପୁଲିସ ମନୋଜଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମନୋଜଙ୍କର ଦୁଇଟିଯାକ ଗୋଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଆଜି ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର