ଦିବଂଗତ ଝିଅଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବାପା

ବାହାନଗା: ସ୍ମୃତିରକ୍ଷା ପାଇଁ ଜଣେ ବାପା ଦିବଂଗତ ଶିକ୍ଷୟିତ୍ରୀ ଝିଅଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ବାଲେଶ୍ୱର ସହର ଉପକଣ୍ଠ ବାରବାଟୀ ଅଞ୍ଚଳର ଶ୍ରୀନାଥ ରଣାଙ୍କର ୨ ଝିଅ। ବୈଶାଳୀ ସାନ। ସେ ବହୁ ପରିଶ୍ରମ କରି ପାଠ ପଢ଼ିବା ସହ ୨୦୧୩ ମସିହାରେ ଠିକା ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ପ୍ରଥମ ନିଯୁକ୍ତି ବାହାନଗା ବ୍ଲକ୍‌ ବିଷ୍ଣୁପୁର ହାଇସ୍କୁଲ୍‌ରେ ହୋଇଥିଲା। ତେବେ ୨୦୨୧ ମସିହାରେ ଚାକିରି ସ୍ଥାୟୀ ହୋଇଥିବା ବେଳେ ୨୦୨୨ ମସିହାରେ ସେ ମୃତ୍ୟୁବରଣ କରିଥିଲେ।

ତେଣୁ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ବାପା ଝିଅ ବୈଶାଳୀଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛନ୍ତି। ଯାହାର ସୁଟିଂ ବାହାନଗା ବ୍ଲକ୍‌ର ବିଷ୍ଣୁପୁର, ଝାଡ଼ତା, ଗୋପାଳପୁର ଆଦି ଅଂଚଳରେ ଆରମ୍ଭ ହୋଇଛି। ପ୍ରଯୋଜନା, କାହାଣୀ ରଚନା ଓ ସଂଳାପ ରଚନା ଦାୟିତ୍ୱରେ ବାପା ଶ୍ରୀନାଥ ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ଶିବୁ ପଣ୍ଡା ଏବଂ ସଙ୍ଗୀତ ଦାୟିତ୍ବ ସୁବାସ ରାମ ଓ ମନୋରଞ୍ଜନ ଦାସ ନେଇଛନ୍ତି। ସେହିପରି ବୈଶାଳୀ ଚରିତ୍ରରେ ପ୍ରଗତି ଚାନ୍ଦ ଏବଂ ଅନ୍ୟ ଚରିତ୍ରରେ ରାଜେନ୍ଦ୍ର, ରାଜଶ୍ରୀ, ବିଶୁ, ପ୍ରମୋଦ, ଜେସି, ଶ୍ୱେତା, ପ୍ରତୀକ୍ଷା, ଜ୍ୟୋତି ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର