ସଙ୍ଗରୋଧ କେନ୍ଦ୍ରରୁ ନିଖୋଜ ସ୍ବାମୀ: ଅଢ଼େଇ ବର୍ଷ ‌ହେଲା ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ତ୍ରୀ

ଜଳେଶ୍ୱର: ଦୀର୍ଘ ଅଢ଼େଇ ବର୍ଷ ତଳେ କୋଭିଡରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ସେବେଠାରୁ ଆଉ ଘରକୁ ଫେରିନାହାଁନ୍ତି, କିମ୍ବା କିଛି ଖୋଜଖବର ମଧ୍ୟ ନାହିଁ। ସ୍ବାମୀଙ୍କ ଫେରିବା ବାଟକୁ ଅନେଇ ଅନେଇ ଆଖିରୁ ପାଣିମଲାଣି ଅସହାୟ ସ୍ତ୍ରୀ’ଙ୍କ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଳେଶ୍ବର ବ୍ଳକ୍‌ ସର୍ଦ୍ଦାରବନ୍ଧ ପଞ୍ଚାୟତ ବିଶ୍ବନାଥପୁର ଗ୍ରାମରେ।
ଗ୍ରାମର ଝଣ୍ଟୁ ବେହେରା (୫୧) ଗତ ୨୦୨୧ ମସିହା ଏପ୍ରିଲ ମାସରେ ଜ୍ବର‌ରେ ପୀଡ଼ିତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ପରେ ସେ କୋଭିଡ଼ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତାଙ୍କୁ ରେମୁଣା ସ୍ଥିତ ସୁତେଇ କୋଭିଡ଼ ହସ୍‌ପିଟାଲ୍‌କୁ ପଠାଇ ଦିଆଯାଇଥିଲା। ସେଠାରେ ପ୍ରାୟ ଦୁଇ ସପ୍ତାହ ସଙ୍ଗରୋଧରେ ରହିବା ପରେ ଝଣ୍ଟୁ ସୁସ୍ଥ ହୋଇଥିଲେ। ଖବର ପାଇ ତାଙ୍କ ସ୍ତ୍ରୀ ତୁଳସୀ ଏବଂ ମା’ ରୁକ୍ମିଣୀ ଝଣ୍ଟୁଙ୍କୁ ଆଣିବା ପାଇଁ ସୁତେଇ ହସ୍‌ପିଟାଲରେ ପହଞ୍ଚିବା ପରେ ଝଣ୍ଟୁ ଦିନକ ଆଗରୁ କାହାକୁ କିଛି ନଜଣାଇ ସେଠାରୁ ଚାଲିଯାଇଥିବା ମେଡିକାଲ କର୍ତ୍ତୁପକ୍ଷ କହିଥିଲେ। ଫଳରେ ନିରାଶ ହୋଇ ଶାଶୂବୋହୂ ଘରକୁ ଫେରି ଝଣ୍ଟୁଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନଥିବା ଝଣ୍ଟୁଙ୍କ ସ୍ତ୍ରୀ ତୁଳସୀ କୁହନ୍ତି। ସ୍ବାମୀ ନିଖୋଜ ହେବାପରେ ପାଗଳ ପ୍ରାୟ ହୋଇଥିବା ସ୍ତ୍ରୀ ତୁଳସୀ ଏନେଇ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଓ ରାଇବଣିଆ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଅଦ୍ୟାବଧି ପୁଲିସ ମଧ୍ୟ କୌଣସି ସନ୍ଧାନ ପାଉନଥିବା କାନ୍ଦି କାନ୍ଦି କହିଛନ୍ତି ସ୍ତ୍ରୀ ତୁଳସୀ।

ଏହାମଧ୍ୟରେ ତୁଳସୀ ଧାରକରଜ କରି ବଢ଼ିଲା ଝିଅର ବାହାଘର କରିଥିବା ବେଳେ ଏକମାତ୍ର ପୁଅ ସପନ ମଧ୍ୟ ‌ବିବାହ କରି ଅନ୍ୟତ୍ର ରହୁଛି। ନିସଙ୍ଗ ଜୀବନ ବିତାଉଥିବା ତୁଳସୀ ଅଢ଼େଇ ବର୍ଷ ଧରି ନିଖୋଜ ସ୍ବାମୀର ଅପେକ୍ଷାରେ। ପେଟ ପୋଷିବା ପାଇଁ କେବେ ମୁଲ ଲାଗୁଛନ୍ତି ତ କେବେ ପରଘରେ ପାଇଟି କରି ପେଟକୁ ଦାନା ଯୋଗାଡ଼ କରୁଛନ୍ତି। ନିଖୋଜ ସ୍ବାମୀଙ୍କୁ ପାଇବା ପାଇଁ ପ୍ରଶାସନିକ ସହାୟତା ମିଳିଲେ ଝଣ୍ଟଙ୍କୁ ଫେରି ପାଆନ୍ତେ ବୋଲି କାନ୍ଦି କାନ୍ଦି ଆକୁଳ ନିବେଦନ କରିଛନ୍ତି ତୁଳସୀ।

ସମ୍ବନ୍ଧିତ ଖବର