ବସ୍‌ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ

ରାଇସୁଆଁ: ରଜ ପାଇ ଘରକୁ ଆସିବାକୁ ବସକୁ ଅପେକ୍ଷା କରିଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ କନେଷ୍ଟବଳଙ୍କ ଜୀବନ ଯାଇଛି। ସେ ହେଉଛନ୍ତି ତେଲକୋଇ ବ୍ଲକ୍ ରାଇସୁଆଁ ପଞ୍ଚାୟତ ରାଣିବେଡା ଗ୍ରାମର ନୂଆସାହି ନିରଞ୍ଜନ ନାୟକଙ୍କ ପୁଅ ହେମନ୍ତ କୁମାର ନାୟକ(୩୩)। ୨୦୧୦ ମସିହା ଠାରୁ ଓଡ଼ିଶା ପୁଲିସ ବିଭାଗରେ ଚୟନ ହୋଇ ଢେଙ୍କାନାଳ ଜିଲ୍ଲାରେ ନିଯୁକ୍ତି ପାଇଥିଲେ। ଶ୍ରୀ ନାୟକ ରଜ ମହୋତ୍ସବ ଉପଲକ୍ଷେ ଘରକୁ ଆସିବାକୁ କ୍ବାର୍ଟରରୁ ବାହାରିଥିଲେ। ସହଧର୍ମିଣୀ ସ୍ବର୍ଣ୍ଣମୟୀ ସିଂହ(୩୧)ଙ୍କ ପାଇଁ ଲୁଗାପଟା ଓ ୫ ବର୍ଷର ଝିଅ ସ୍ନେହାଶ୍ରୀ ପାଇଁ ଡ୍ରେସ ପତ୍ର କିଣି ବସଷ୍ଟାଣ୍ଡରେ ବସ ଅପେକ୍ଷାରେ ଥିଲେ। ସେହି ସମୟରେ ଏକ ଯାତ୍ରୀବାହୀ ବସ ତାଙ୍କୁ ସାଇଡରେ ଧକ୍କା ଦେବାରୁ ସେ ଛିଟିକି ପଡିଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ରାଇସୁଆଁ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଗ୍ରାମବାସୀ ତାଙ୍କର ବାସଭବନ ଠାରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର