କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ

କୋଲକାତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ କାଉଣ୍ଟର ଅଂଚଳରେ ନିଆଁ ଲାଗିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୩ଟି ଦମକଳ କର୍ମୀମାନେ ପହଞ୍ଚି ନିଆଁ ଲିଭାଇଥିଲେ । କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ ନିକଟରେ ଥିବା ଡି-ପୋର୍ଟାଲ ଏରିଆରେ ରାତି ୯ଟା ୧୦ ମିନିଟରେ ନିଆଁ ଲାଗିଥିଲା । ଡି-ପୋର୍ଟାଲ ଏରିଆରେ ଯାତ୍ରୀମାନଙ୍କୁ  ବୋର୍ଡିଂ ପାସ ଦିଆଯାଇଥାଏ ।

ନିଆଁ ଲାଗିବା ପରେ ସେହି ଅଂଚଳରେ ଥିବା କର୍ମଚାରୀ ଓ ଯାତ୍ରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ।

ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ । ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି । ତେବେ ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଏହି ଅଗ୍ନିକାଣ୍ଡ ପରେ ଚେକ-ଇନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ବୋଲି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର