ଉଦ୍ଧାର ହେଲା ବଉଳା କୁମ୍ଭୀର, ମନ୍ତେଇ ନଦୀରେ ଛଡାଗଲା

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବନ ଖଣ୍ତ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ସୂଚନା ଅନୂଯାୟୀ ଜଗନ୍ନାଥପୁର ସାରଙ୍ଗପୁର ଗ୍ରାମର ଯୁବକ କାଂଶବାଂଶ ନଦୀରେ ବନିଶି ପକାଇ ମାଛ ଧରୁଥିବା ବେଳେ କୁମ୍ଭୀରଟି କଣ୍ଟାକୁ ଗିଳି ସୁତାରେ ଗୋଡେଇ ଛନ୍ଦି ହୋଇପଡ଼ିଥିଲା। ଗ୍ରାମବାସୀମାନେ ଜାଲ ବିଛାଇ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ କୁମ୍ଭୀର ପେଟରୁ କଣ୍ଟାକୁ ବାହାର କରାଯାଇଥିଲା। ତେବେ କୁମ୍ଭୀରଟିର ଲମ୍ବ ୪ ଫୁଟ ୩୦ କିଲୋ ଓଜନ ହୋଇଥିବା ବେଳେ ଏହାକୁ ମନ୍ତେଇ ନଦୀର ଛଡାଯାଇଛି।

ତେବେ କାଆଁଶ ବାଆଁଶ ନଦୀରୁ କୁମ୍ଭୀର ଉଦ୍ଧାର ହେବା ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ କୁମ୍ଭୀର ଉଦ୍ଧାର ହୋଇଥିଲା । ଗମେଇ ନଦୀରୁ ପ୍ରାୟ ୬ ମାସ ପୂର୍ବରୁ ଏକ କୁମ୍ଭୀର ଉଦ୍ଧାର ହୋଇଥିଲା । ସେହି ସମୟରେ ମଧ୍ୟ କୁମ୍ଭୀରଟି ମାଛ ଧରାଳୀଙ୍କ ଜାଲରେ ଛନ୍ଦି ହୋଇଯାଇଥିଲା । ପ୍ରାୟ ୭ ଫୁଟ ଲମ୍ବର ଏହି କୁମ୍ଭୀରକୁ ଉଦ୍ଧାର କରି ମତ୍ସଜୀବୀମାନେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ସେହି ଦିନଠାରୁ ଏହି ଅଞ୍ଚଳରେ ମତ୍ସଜୀବୀମାନେ ପାଣିକୁ ଯିବା ପାଇଁ ଭୟ କରୁଛନ୍ତି ।

ସମ୍ବନ୍ଧିତ ଖବର