ଢେଙ୍କାନାଳ ଆଶ୍ରୟ ଗୃହରେ ନିର୍ଯାତନା ମାମଲା: ଶିଶୁ ମଙ୍ଗଳ କମିଟି ଓ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ଆଶ୍ରୟ ଗୃହ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡିମସ୍‌ ସେଣ୍ଟର’ରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯିବା ଘଟଣା ଲୋକଲୋଚନକୁ ଆସିବା ପରେ ଶୁକ୍ରବାର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଓ ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଅଚାନକ ଭାବରେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ଅନ୍ତେବାସୀମାନେ କହିଛନ୍ତି, ସେମାନେ ଆଶ୍ରୟ ଗୃହରେ ନିର୍ଯାତନା ଓ ଅସଦାଚରଣର ଶିକାର ହୋଇଛନ୍ତି। ପିଲାମାଙ୍କ କହିବା ଅନୁସାରେ ଆଶ୍ରୟ ଗୃହର ସ୍ୱତ୍ତ୍ୱାଧିକାରୀ ଏବଂ କେୟାରଟେକରଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛନ୍ତି।

ଅଧିକାରୀମାନଙ୍କୁ ଅନ୍ତେବାସୀମାନେ କହିଛନ୍ତି, ଚେୟାରମ୍ୟାନ୍‌ ଆମକୁ କିସ୍‌ କରନ୍ତି, ହଗ୍‌ କରନ୍ତି। ଆଣ୍ଟିମାନେ ସବୁ ବଡ଼ ପିଲାଙ୍କୁ ଡାକନ୍ତି। ନଶୁଣିଲେ ଗାଳି ଦିଅନ୍ତି। ଆମକୁ ରୁମ୍‌ରୁ ବାହାର କରି ଦେଇଛନ୍ତି। ଅନ୍ୟଜଣେ ଅନ୍ତେବାସୀଙ୍କ ଅଭିଯୋଗ ଅନୁସାରେ ଡାଡି (ସଂସ୍ଥାର ମୁଖ୍ୟଙ୍କୁ ପିଲାମାନେ ଡାଡି ଡାକନ୍ତି) ଅନ୍ତେବାସୀଙ୍କ ଶରୀରରେ ହାତ ମାରନ୍ତି। ସେମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ।

ସୂଚନାଯୋଗ୍ୟ ଆଶ୍ରୟ ଗୃହରେ ଅନ୍ତେବାସୀ ଛାତ୍ରୀମାନଙ୍କୁ ଅନୁଷ୍ଠାନର ମୁଖ୍ୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଭିଯୋଗ ପାଇ ଘଟଣାସ୍ଥଳରେ ଏହାର ଅନୁଧ୍ୟାନ କରିଛି। ଏ ସଂପର୍କରେ ଅନୁଷ୍ଠାନ ମୁଖ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଅନୁରାଧା ଗୋସ୍ୱାମୀଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗର ଏହି ସଂସ୍ଥା ବେଲଟିକିରି ଗାଁରେ ଆଶ୍ରୟ ଗୃହ ଖୋଲି ଗରିବ ପିଲାମାନଙ୍କ ରକ୍ଷଣାବେକ୍ଷଣ କରୁଛି। ଅନ୍ୟପଟରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ପିଲାମାନଙ୍କୁ ନିର୍ଯାତନା ଦିଆଯାଉଛି।

ସମ୍ବନ୍ଧିତ ଖବର