ରାୟଗଡ଼ାରେ ଅପରେସନ୍ ଗ୍ରିନ୍ ଗୋଲ୍‌ଡ, ୬୬୫ ଏକରର ଗଞ୍ଜେଇ ଚାଷ ସଫା, ବନ୍ଧା ହେଲେଣି ୮୭

ରାୟଗଡ଼ା: ରାୟଗଡ଼ା ପୁଲିସର ଅପରେସନ ଗ୍ରିନ୍ ଗୋଲ୍‌ଡରେ ଧରାସାୟୀ ହୋଇ ପଡିଲେଣି ମାଫିଆ। ପ୍ରତିଦିନ ମାଫିଆଙ୍କୁ ପୁଲିସ ମାଡ଼ି ବସୁଥିବାରୁ ଗଞ୍ଜେଇ କରିଡର୍ ରାୟଗଡ଼ାରୁ କମିବାରେ ଲାଗିଛି ଚୋରା ଚାଲାଣ। ପୁଲିସ-ଅବକାରୀ ବିଭାଗର ମିଳିତ ଚଢ଼ାଉ ଯୋଗୁ ଅପହଞ୍ଚ, ଉପାନ୍ତ ଇଲାକାରେ ଚାଷ ପରିମାଣ ବି କମିବାରେ ଲାଗିଛି। ଗଞ୍ଜେଇ ଚାଷ ବଦଳରେ ପନିପରିବା ଓ ଅର୍ଥକାରୀ ଫସଲ କରିବାକୁ ସ୍ଥାନୀୟ ଲୋକଙ୍କୁ ସଚେତନତା କରିବା ଆରମ୍ଭ କରିଛି ପୁଲିସ। ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ-ଛତିଶଗଡ଼-ବିହାର-ମୁମ୍ବାଇ-ଦିଲ୍ଲୀ-ଗୁଜୁରାଟକୁ ବ୍ୟାପକ ପରିମାଣର ଗଞ୍ଜେଇ ଚାଲାଣ ହେଉଛି।

ଜିଲ୍ଲାର ଚନ୍ଦ୍ରପୁର, ପଦ୍ମପୁର, ଗୁଣୁପୁର, ଗୁଡାରି, ମୁନିଗୁଡ଼ା, କାଶୀପୁର ବ୍ଲକ୍ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଏହି ସମସ୍ତ ଅଞ୍ଚଳର ଅଧିକାଂଶ ଗ୍ରାମ ଅପହଞ୍ଚ ଓ ପାହାଡ଼ିଆ ଇଲାକାରେ ଥିବାରୁ ସ୍ଥାନୀୟ ଲୋକଙ୍କୁ ହାତବାରିସ୍ କରି ମାଫିଆ ଗଞ୍ଜେଇ ଚାଷ କରିଥାନ୍ତି। ସଚେତନତା ଅଭାବରୁ ଲୋକେ ଅନ୍ୟ କୃଷିଜାତ ଦ୍ରବ୍ୟ ଫସଲ ଛାଡ଼ି କିଛି ଟଙ୍କା ପାଇଁ ବର୍ଷ ତମାମ ଗଞ୍ଜେଇ ଚାଷରେ ନିୟୋଜିତ ହୋଇଥାନ୍ତି। ଯେଉଁଠି ପୁଲିସ-ଅବକାରୀ ବିଭାଗ ପହଞ୍ଚିବା କଷ୍ଟସାଧ୍ୟ। ଚନ୍ଦ୍ରପୁର ବ୍ଲକର ଅପହଞ୍ଚ ଇଲାକା କନ୍ଧମାଳ ଜିଲ୍ଲାକୁ ସଂଯୋଗ ହୋଇଥିବା ବେଳେ, ଗୁଡାରି କଳାହାଣ୍ଡି, ପଦ୍ମପୁର ଗଜପତି ଜିଲ୍ଲା ସୀମାକୁ ଛୁଇଁଛି। ଉଭୟ ଜିଲ୍ଲାର ଦୁର୍ଗମ ରାସ୍ତା ସଂପର୍କରେ ମାଫିଆ ବେଶ ଅଭ୍ୟସ୍ତ ଥିବାରୁ ପୁଲିସ, ଅବକାରୀ ବିଭାଗର ଚଢ଼ାଉ ସମୟରେ ଖସି ଯିବାରେ ସକ୍ଷମ ହେଉଛନ୍ତି। ତାହା ସତ୍ତ୍ବେ ଗଞ୍ଜେଇ ଚାଲାଣ ଓ ଚାଷ ରୋକିବାରେ ରାୟଗଡ଼ା ପୁଲିସକୁ ଚଳିତ ବର୍ଷ ବେଶ ସଫଳତା ମିଳିଛି। ବିଶେଷ କରି ବିଷମ କଟକ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ବିଷମ କଟକ, ମୁନିଗୁଡ଼ା, ଚନ୍ଦ୍ରପୁରରେ ଚାଲିଥିବା ଧରପଗଡ଼ ଅଭିଯାନ ମାଫିଆଙ୍କ ନିଦ ହଜାଇ ଦେଇଛି। ବହୁ ଅନ୍ତଃରାଜ୍ୟ ମାଫିଆଙ୍କୁ ପୁଲିସ୍ ଧରିବାରେ ସକ୍ଷମ ହେବା ସହ ଅନେକଙ୍କୁ ସ୍କାନରରେ ରଖିଛି।

ଯାହା ବିଭାଗୀୟ ସୂଚନାରୁ ସ୍ପଷ୍ଟ ହୋଇଛି। ଗତ ୮ ମାସରେ ପୁଲିସ ୬୬୫ ଏକରରେ ଲାଗିଥିବା ୭ ଲକ୍ଷ ୮୦ ହଜାର ଗଞ୍ଜେଇ ଗଛକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଛି। ଏଥିସହିତ ୧୫ ହଜାର ୫୨୨ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ୧୨ଟି ଭାରିଯାନ, ୧୬ଟି ହାଲୁକା ଯାନକୁ ଜବତ କରିଛି। ୫୮ଟି ମାମଲାରେ ପୁଲିସ ୮୭ ମାଫିଆଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୪ ଲକ୍ଷ ୨୮ ହଜାର ଟଙ୍କା ଜବତ କରିଛି। ସେହିପରି ଗଞ୍ଜେଇ ଚାଷ କରୁଥିବା ୨୯ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗଞ୍ଜେଇ ଚାଷରୁ ନିବୃତ ରହିବାକୁ ପୁଲିସ ଜନ ସଚେତନତା ରାଲି ମାଧ୍ୟମରେ ଲୋକଙ୍କୁ ଅବଗତ କରୁଛି।

ପ୍ରାଥମିକ ପର୍ଯ୍ୟାୟରେ ବିଷମ କଟକ ପୁଲିସ ସବ୍‌ଡ଼ିଭିଜନରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଅଗଷ୍ଟ ୨୫ ତାରିଖରେ ମୁନିଗୁଡ଼ା ପୁଲିସ୍ ପକ୍ଷରୁ ମୁନିଗୁଡ଼ା ସହରରେ ଜନସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଥିବାବେଳେ ସେପ୍ଟେମ୍ବର ୪ରେ ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ାରେ, ସେପ୍ଟେମ୍ବର ୬ରେ ହନୁମନ୍ତପୁରରେ, ସେପ୍ଟେମ୍ବର ୮ରେ ବିଜାପୁରରେ ସଚେତନତା ରାଲି କରାଯିବାକୁ ନିଷ୍ପତ୍ତି ହୋଇଛି। ଗଞ୍ଜେଇ ଚାଷରେ ସଂପୃକ୍ତ ଲୋକଙ୍କୁ କୃଷି ଓ ଉଦ୍ୟାନ ବିଭାଗ, ଆଇଟିଡିଏ, ଉଠା ଜଳସେଚନ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରି ଅର୍ଥକାରୀ ଫସଲ କରିବାକୁ ଅବଗତ କରାଯାଇଛି। ବାରମ୍ବାର ସଚେତନତା ପରେ ବି ଯଦି ଲୋକେ ଗଞ୍ଜେଇ ଚାଷ ଓ ‌ଚୋରା ଚାଲାଣରେ ସଂପୃକ୍ତ ରୁହନ୍ତି ତାହା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର