‘ନଗଡ଼ା ଶିଶୁମୃତ୍ୟୁ’ ମାମଲା: ପୁଷ୍ଟିସାଧନ କେନ୍ଦ୍ର ଗଲେ ୯ ଶିଶୁ

କାଳିଆପାଣି: ‘ସମ୍ବାଦ’ରେ ଆଜି ‘ନଗଡ଼ା ଶିଶୁମୃତ୍ୟୁ’ ମାମଲା, ସଂକଟରେ ୨ ରୋଗିଣା ଶିଶୁ, ସ୍ବାସ୍ଥ୍ୟ ସଚିବଙ୍କ ତନାଘନା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଦିନକ ମଧ୍ୟରେ ଅପହଞ୍ଚ ତଳଡିହ ଜୁଆଙ୍ଗ ବସ୍ତିରୁ ୯ ଜଣ ରୋଗା ଶିଶୁଙ୍କୁ ଉଦ୍ଧାର ପରେ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି)ରେ ଭର୍ତ୍ତି କରାଯାଇପାରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଲତା ନାୟକଙ୍କ ନିର୍ଦେଶରେ ତଥା ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ ଓ ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ୬ ଜଣିଆ ପ୍ରତିନିଧି ଦଳ ଗୁହିଆଶାଳ ମୌଜାର ତଳଡିହ ଗସ୍ତକରି ୯ ଜଣ ଶିଶୁଙ୍କୁ ଧରି ମାଆବାପାଙ୍କ ସହିତ ନାଲିଆଡାବ ପହଞ୍ଚିଥିଲେ।

ଏହି ଶିଶୁମାନେ ହେଲେ ଫୁଲମଣି ଓ ଅମିନ ପ୍ରଧାନଙ୍କ ପୁଅ ପୁଦୁ(୫), ବର୍ଷା ଓ ରାଧୁଆ ପ୍ରଧାନଙ୍କ ୨ପୁଅ ବୁରୁନ୍ଦା(୨) ଓ ରଇବ(୩) ଏବଂ ୨ଝିଅ ଯାତ୍ରୀ(୬) ଓ ଝିଅ ବେଙ୍ଗିରି(୮), ଅଙ୍ଗନବାଡ଼ି କର୍ମୀ ଆଗୁଣି ଓ ନନ୍ଦ ପ୍ରଧାନଙ୍କ ପୁଅ ରାହୁଲ(୬ ମାସ) ଓ ଭଗବାନିଆ(୨) ଏବଂ ମୁନିତା ଓ ଶିବ ପ୍ରଧାନଙ୍କ ଝିଅ ଝିଲି(୨) ଓ ହେମନ୍ତ(୩)। ସୁପରଭାଇଜର ଶକୁନ୍ତଳା ସଏଙ୍କ ନେତୃତ୍ବରେ ୩ ଜଣ ଅଙ୍ଗନବାଡ଼ି କର୍ମୀ ଚମ୍ପା ମହାନ୍ତ, ସବିତା ମହାନ୍ତ ଓ ଗୌରୀ ନାଏକ ୨ ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା ପରେ ସଂପୃକ୍ତ ଅଭିଭାବକମାନେ ରାଜି ହୋଇଥିଲେ। ଏହି ଶିଶୁମାନଙ୍କୁ ଏନ୍‌ଆର୍‌ସିରେ ୧୪ ଦିନ ପର୍ଯ୍ୟନ୍ତ ରଖାଯାଇ ସ୍ବତନ୍ତ୍ର ପୁଷ୍ଟିସାର ଖାଦ୍ୟ ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥିସହ ସଂପୃକ୍ତ ମାଆମାନଙ୍କୁ ୨ ବେଳା ମାଗଣା ଭୋଜନ ସହ ଦୈନିକ ପାରିଶ୍ରମିକ ରାଶି ପ୍ରଦାନ କରାଯିବ। ଶିଶୁକନ୍ୟା ମୃତକ ଶିଶୁ ମିତା(୩)ର ସାନ ଭଉଣୀ ରଇବାରୀ ଓ ଉଷା ପ୍ରଧାନଙ୍କ ସାନଝିଅ କୁମାରୀ(୫ ମାସ)କୁ ଏନ୍‌ଆର୍‌ସି ଆଣିବା ସମ୍ଭବ ହୋଇନଥିଲା। ଏହି ଦମ୍ପତି ଛୁଆମାନଙ୍କୁ ଧରି ଜଙ୍ଗଲ ପଳାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର