ବିଧାୟକଙ୍କ ବାସଭବନରେ ୨୦୨୨ ପଞ୍ଚାୟତ ନିର୍ବାଚନ ଲାଗି ପୂର୍ବ ପ୍ରସ୍ତୁତି ବୈଠକ

ବାଲିଅନ୍ତା: ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲୀଙ୍କ ବାସଭବନରେ ଆଜି ଜୟଦେବ ନିର୍ବାଚନମଣ୍ଡଳୀସ୍ତରୀୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସାଂଗଠନିକ ବୈଠକ ଆଲୋଚନାରେ ବିଧାୟକ ଢାଲୀ ପୌରୋହିତ୍ୟ କରିଥିଲେ। ବୈଠକରେ ଆଗାମୀ ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ତୃଣମୂଳସ୍ତରରୁ ବିଜେଡ଼ି ସଂଗଠନକୁ ଅଧିକ ସଶକ୍ତ କରିବା ନେଇ ବିଧାୟକ ଉପସ୍ଥିତ ଦଳୀୟ ନେତୃବୃନ୍ଦ , ଜନ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତାବୃନ୍ଦଙ୍କ ସହଯୋଗ ଲୋଡ଼ିଥିଲେ।

ପରସ୍ପର ଭିତରେ ଥିବା ମନୋମାଳିନ୍ୟ ଭୁଲି ୱାର୍ଡ଼, ବୁଥ,ପଞ୍ଚାୟତ ଓ ବ୍ଲକସ୍ତରରେ ଉତ୍ତମ ସମନ୍ବୟ ରକ୍ଷାକରି ସାଂଗଠନିକ କାର୍ଯ୍ୟ ପ୍ରକ୍ରିୟା ଜାରି ରଖିବାକୁ ଉପସ୍ଥିତ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ଉଭୟ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଏନେଇ ବୈଠକ ଆଲୋଚନା କରାଯିବା ସହ କର୍ମୀ ସମ୍ମିଳନୀ କରାଯିବ ବୋଲି କହିଥିଲେ। ୱାର୍ଡ଼ସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାବୃନ୍ଦ ଅଧିକ ସଜାଗ ହେବାକୁ ପଡ଼ିବ ବୋଲି ବିଧାୟକ ଗୁରୁତ୍ବାରୋପ କରିଥିଲେ।

ତତ୍ ସହିତ ଜୟଦେବ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସରକାରଙ୍କର ସାମଗ୍ରିକ ଜନ କଲ୍ୟାଣ କାର୍ଯ୍ୟର ସଫଳ ରୂପାୟନ ନେଇ ବିଧାୟକ ମତ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସମବେତ ଜନପ୍ରତିନିଧି ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଉପଯୁକ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର,ବାଲିପାଟଣା ପ୍ରତିନିଧି ପ୍ରତାପ କେଶରୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର, ବରିଷ୍ଠ ନେତା ଦୁର୍ଗାନନ୍ଦନ ମିଶ୍ରଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଏବଂ ପୁରୁଖା ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର