ଗୁଟ୍‌ଖା ଗୋଦାମ ଠାବ: ୧୮ ପେଟି ଗୁଟ୍‌ଖା, ପତି ଜବତ

ବ୍ରହ୍ମପୁର: ବଡ଼ବଜାର ଥାନା ପୁଲିସ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଚଢ଼ଉ କରି ପୁଣି ଏକ ଗୁଟ୍‌ଖା ଗୋଦାମ ଠାବ କରିଛି। ଘଟଣାସ୍ଥଳରୁ ପୁଲିସ ୧୯ପେଟି ବିଭିନ୍ନ ବ୍ରାଣ୍ଡ୍‌ର ଗୁଟ୍‌ଖା ଓ ପତି ଜବତ କରିଛି। ଏ ସଂକ୍ରାନ୍ତରେ ପୁରୁଣା ବ୍ରହ୍ମପୁର ନୀଳକଣ୍ଠନଗରର ପଙ୍କଜ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ପୁରୁଣା ବ୍ରହ୍ମପୁରର ଏକ ଘରେ ବିପୁଳ ପରିମାଣ ଗୁଟ୍‌ଖା ଗଚ୍ଛିତ ଥିବା ନେଇ ପୁଲିସ ସୂଚନା ପାଇଥିଲା। ସେ ନେଇ ପୁଲିସ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଘର ଯାଞ୍ଚ ପରେ ସେଠାରୁ ୧୬ପେଟି ଗୋକୁଲ୍‌ ଡ୍ୟୁଲକ୍ସ ମିକ୍ସ, ୨ପେଟି ଶିବାଜୀ ଗୁଟ୍‌ଖା ସହିତ ୧୫ ପେଟି ଗୁଟ୍‌ଖା ପତି ଏବଂ ବିପୁଳ ପରିମାଣ ଖଇନ ଏବଂ ଅନ୍ୟାନ୍ୟ କମ୍ପାନିର ଗୁଟ୍‌ଖା ଜବତ ହୋଇଥିଲା। ତଦନ୍ତ ପରେ ପଙ୍କଜ ନାମକ ଜଣେ ବ୍ୟକ୍ତି ସେହି ଘ‌ରକୁ ଗୁଟ୍‌ଖା ଗୋଦାମ କରିଥିବା ଜଣାପଡ଼ିଥିଲା। ଅନ୍ୟ ଏକ ସ୍ଥାନରୁ ଗୁଟ୍‌ଖା ଆଣି ସେଠାରେ ରଖାଯାଉଥିଲା। ପରେ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା ବୋଲି ପୁଲିସ କହିଛି। ଏ ନେଇ ବଡ଼ବଜାର ଥାନା ପୁଲିସ କେସ୍ ନମ୍ବର ୧୬୧/୨୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର