ତୃଣନାଶକ ପାରାକ୍ବାଟ ବ୍ୟବହାର ନିଷେଧ ନେଇ ଜିଲ୍ଲାସ୍ତରୀୟ ବୈଠକ

ଅକ୍ଟୋବର ୫ ତାରିଖରେ ରାଜ୍ୟ ସରକାର ପାରାକ୍ବାଟ ବ୍ୟବହାର ନିଷେଧ କରିଛନ୍ତି

ଖୋର୍ଦ୍ଧା: ରାଜ୍ୟରେ  ଗୁରୁବାର (୫ ଅକ୍ଟୋବର) ଠାରୁ ଚାଷ ଜମିରେ ଅନାବନା ଘାସ ଆଦି ନଷ୍ଟ କରିବାକୁ ଦିଆଯାଉଥିବା ମାରାତ୍ମକ ରସାୟକ ପାରାକ୍ବାଟ୍‌କୁ ନିଷିଦ୍ଧ କରାଯାଇଛି। ଏହାକୁ ନେଇ ଆଜି ଶୁକ୍ରବାର ଜିଲ୍ଲାପ୍ରଶାସନ ପକ୍ଷରୁ କୃଷି ସାର ଓ ରସାୟନିକ ସାମଗ୍ରୀ ବିକ୍ରେତାଙ୍କ ସହ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୪ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ​ରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ପରିଡ଼ା, ଯୋଜନା ଅଧିକାରୀ ତୁଷାରକାନ୍ତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ୨୫ରୁ ଉର୍ଦ୍ଧ୍ବ ସାର ଓ କୃଷି ରାସାୟନିକ ସାମଗ୍ରୀ ବିକ୍ରି କରୁଥିବା ଖୁଚୁରା ବିକ୍ରେତା ମାନେ ଉପସ୍ଥିତ ଥିଲେ। କୃଷି ଅଧିକାରୀ ଶ୍ରୀ ପରିଡ଼ା ବୈଠକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, କୀଟନାଶକ ଆଇନ ୧୯୬୮ର ଧାରା ୨୭ ଅନୁସାରେ, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶା (ଚିଠି ନମ୍ବର ୨୨୪୧/୫ ଅକ୍ଟୋବର ୨୦୨୩)ରେ ପାରାକ୍ବାଟ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ଏଣୁ ଏହାକୁ ଯେଭଳି ଆଉ ବିକ୍ରି କରାନଯିବ ସେନେଇ ସତର୍କ ରହିବେ। ଯେଉଁମାନେ ବିକ୍ରି କରୁଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଖୁଚୁରା ବିକ୍ରେତାଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା କି ସେମାନଙ୍କ ନିକଟରେ ଯେତିକି ପାରାକ୍ବାଟ୍‌ ମହଜୁଦ ରହିଛି ତାକୁ କମ୍ପାନି ନେଇଯିବା କିମ୍ବା ସେଗୁଡ଼ିକର କ୍ଷତିର ଭରଣା କରିବାର ବ୍ୟବସ୍ଥା କରାଯାଉ। ଚାଷୀମାନଙ୍କୁ ଏହା ନକିଣିବାକୁ ସଚେତନତା କରାଯାଉ ଏବଂ ଖୁଚୁରା ବିକ୍ରେତା ଅପେକ୍ଷା ହୋଲ୍‌ସେଲରଙ୍କ ଠାରେ ଏହା କେତେ ମହଜୁଦ ରହିଛି ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉ। ଏନେଇ କୃଷି ଅଧିକାରୀ ଶ୍ରୀ ପରିଡ଼ା କହିଥିଲେ ଯେ, ରସାୟନ ଗୁଡ଼ିକୁ ଫେରାଇ ନେବା ପ୍ରସଙ୍ଗରେ ସମ୍ପୃକ୍ତ କମ୍ପାନି ଗୁଡ଼ିକ ସହ ଆଲୋଚନା କରାଯାଉଛି। ତେବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ କହିଥିଲେ ଯେ ଆଜି ଠାରୁ ସ୍ବତନ୍ତ୍ର ଅଭିଯାନରେ ଜିଲ୍ଲାରେ କେତେକେ ଖୁଚୁରା ବିକ୍ରେତାଙ୍କ ଠାରେ ଏହି ମାରାତ୍ମକ ରସାୟନ କେତେ ପରିମାଣରେ ରହିଛି ସେନେଇ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରାଯାଉ।

ସମ୍ବନ୍ଧିତ ଖବର