ଟ୍ରକ୍‌ରେ ବେଆଇନ ମହୁଲ ଚାଲାଣ କରି ଜଣେ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଘୋଡାଖୁଣ୍ଟା ନିକଟରେ ଟ୍ରକ୍ରେ ବେଆଇନ ମହୁଲ ଚୋରା ଚାଲାଣ କରୁଥିବା ସମୟରେ ଜଣେ ବ୍ୟକ୍ତି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଗିରଫ ବ୍ୟକ୍ତି ଜଣକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ତାରାଗାଁ ଗ୍ରାମର ଟମକୁ ମେହେର (୪୭) ବୋଲି ଜଣାପଡିଛି। ଡାବୁଗାଁ ପୁଲିସ ଟ୍ରକ ଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ ଗତକାଲି ଡାବୁଗାଁ ପୁଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ସନ୍ଦେହ ହେବାରୁ ଏକ ଟ୍ରକ ନ (ସିଜି ୦୪ ଜେ ୯୫୬୮)କୁ ଘୋଡାଖୁଣ୍ଟା ଠାରୁ ୨ କିମି ଦୂର ଏକ ପୋଲ ନିକଟରେ ଅଟକାଇ ଥିଲେ। ଟ୍ରକ ଡ୍ରାଇଭର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ତାରାଗାଁର ଟମକୁ ମେହେର କୁ ପଚରା ଉଚରା କରିବା ପରେ ଜଣା ପଡିଥିଲା ଉକ୍ତ ଟ୍ରକ୍ ରେ ମହୁଲ ଭର୍ତି ହୋଇ ଚୋରା ଚାଲାଣ ହେଉଛି। ଡାବୁଗାଁ ପୁଲିସ ଉକ୍ତ ଟ୍ରକ୍କୁ ଜବତ କରିବା ସହ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭର ଟମକୁ ମେହେରକୁ ଗିରଫ କରିଛି। ଟ୍ରକଟି ଛତିଶଗଡ ରାଜ୍ୟ ଜଗଦଲପୁରରୁ ଡାବୁଗାଁ ଥାନା ଅଂଚଳରେ ପ୍ରବେଶ କରିବା ସମୟରେ ଧରା ପଡ଼ିଥିବା ବେଳେ ବେଆଇନ ମହୁଲ ଚୋରା ଚାଲାଣ କରୁଥିବା ଟ୍ରକ୍ଟି କେଇଁଠିକୁ ଯାଉଥିଲା ତାହା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଟ୍ରକରୁ ୩୦୦ ବସ୍ତା ମହୁଲ ଜବତ ହୋଇଥିବା ବେଳେ ୧୧୭ କୁଇଣ୍ଟାଲ ଓଜନ ରହିଛି। ଆଜି ଅଭିଯୁକ୍ତ ଟମକୁ ମେହେରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କେସ ନ ୪୩/୨୦ରେ ମାମଲା ରୁଜୁ କରାଯାଇଛି। ଏହାର ତଦନ୍ତ କରୁଛନ୍ତି ପୁଲିସ ଏସ ଆଇ ଚନ୍ଦ୍ରଭାନୁ ମହାନ୍ତି।

ସମ୍ବନ୍ଧିତ ଖବର