ଗୋଡ଼ଭଙ୍ଗା ଘାଟିରେ ଜଳିଗଲା ପିକ୍‌ଅପ୍‌

ଆନନ୍ଦପୁର: ଆନନ୍ଦପୁର ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ହଠାତ୍ ନିଆଁଲାଗି ଏକ ପିକ୍ଅପ୍ ଭ୍ୟାନ ହୁତୁହୁତି ହେଇ ଜଳିଯାଇଛି। ଅପରାହ୍ଣ ପ୍ରାୟ ୩ଟାବେଳେ ଆନନ୍ଦପୁରରୁ ଗଛର ସୁରକ୍ଷାପାଇଁ ଝୁଡ଼ି ଲୋଡକରି ଏକ (ଟାଟା ଏସି) ପିକ୍ଅପ୍(ଓଡି୦୫ଏଲ-୧୭୪୮) ଠାକୁରମୁଣ୍ଡା ଅଭିମୁଖେ ଯାଉଥିବାବେଳେ ଗୋଡ଼ଭଙ୍ଗା ଘାଟିରେ ହଠାତ୍ ନିଆଁ ଲାଗି ଯାଇଥିଲା।

ନିଆଁ ଦେଖି ଗାଡ଼ିର ଡ୍ରାଇଭର ଓ ତିନିଜଣ ଶ୍ରମିକ ପ୍ରାଣ ବିକଳରେ ଓହ୍ଲାଇ ପଳାଇଥିଲେ। ଖବରପାଇ ଆନନ୍ଦପୁର ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗାଡ଼ିର ଡ୍ରାଇଭର ଅନୁପସ୍ଥିତ ଥିବାରୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ବୋଲି ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂହ ଗଣମାଧ୍ୟମକୁ କହିଛନ୍ତି। ଅଗ୍ନିକାଣ୍ଡରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ମହୁଲଡିହା ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର