ସମଲେଇ ପ୍ରକଳ୍ପ ବାବଦରେ ଜାଣିଛନ୍ତି କି ଏସବୁ କଥା

ସମ୍ବଲପୁର: ମା ସମଲେଇଙ୍କ ପ୍ରକଳ୍ପକୁ ନେଇ ଏବେ ଉତ୍ସବମୂଖର ହୋଇପଡିଛି ପଶ୍ଚିମ ଓଡିଶା | ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରକଳ୍ପ ବାବଦରେ କିଛି ରୋଚକ କଥା କହିବୁ | ୪୪ ଏକରର ଭବ୍ୟ ମନ୍ଦିର ପରିସର ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ। ଏକସମୟରେ କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମନ୍ଦିର । ୫-ଟି ରୂପାନ୍ତର ପରେ ଆଜି ପ୍ରାୟ ୪୪ ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର। ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଅନେକ ଚାରାରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି । ପ୍ରତିଟି ନୂତନ ନିର୍ମାଣ ଖଣ୍ଡୋଲାଇଟ ପଥରରେ ହୋଇଛି । ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବହୃତ ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭାପାଉଛି । ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍‌, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।

ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ମା’ଙ୍କର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ବିଭିନ୍ନ ନିର୍ମାଣ ସବୁ କରାଯାଇଛି। ଧାଡ଼ିରେ ଛିଡ଼ାହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ୍‌ ପାନୀୟ ଜଳ, ଶୌଚାଳୟ, ପାର୍କିଂସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଦ୍ଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି । ନିର୍ମିତ ହୋଇଥିବା ୱାଚ୍‌ ଟାୱାରରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍‌ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କ୍ୟାଫ୍‌ଟେରିଆ ପରିଚାଳନା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା କରାଯାଇ ନାରୀ ସଶକ୍ତୀକରଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି । ସମ୍ବଲପୁରୀ ବାନ୍ଧକଳାକୁ ଏଠାରେ ଅଗ୍ରାଧିକାର ଦିଆଯାଇଛି। ଦେଶ ବିଦେଶରୁ ଆସୁଥିବା ମା’ଙ୍କ ଭକ୍ତମାନେ ସମ୍ବଲପୁରୀ ବାନ୍ଧକଳାର ସ୍ୱତନ୍ତ୍ର ସଂସ୍କରଣର ସାମଗ୍ରୀ ପାଇପାରିବେ।

ସମ୍ବନ୍ଧିତ ଖବର