ହୀରାକୁଦକୁ ବଢ଼ୁଛି ପକ୍ଷୀଙ୍କ ଆଗମନ

ସମ୍ବଲପୁର: ହୀରାକୁଦ ଜଳଭଣ୍ତାରକୁ ପ୍ରତି ବର୍ଷ ନୂଆ ନୂଆ ପ୍ରଜାତିର ପକ୍ଷୀଙ୍କ ଆଗମନ ବଢୁଛି। କିଛି ବର୍ଷ ହେଲା ଜଳଭଣ୍ତାରକୁ କେତେ ସଂଖ୍ୟାରେ କେଉଁ କେଉଁ ପ୍ରଜାତିର ପକ୍ଷୀ ଆସୁଛନ୍ତି ତାହାର ଗଣନା କରାଯାଉଛି। ଏଥର ୨୦୨୪ ଜାନୁଆରି ୮ ତାରିଖରେ ପକ୍ଷୀଗଣନା କରାଯିବାକୁ ବନବିଭାଗ ସ୍ଥିର କରିଛି। ଚଳିତ ବର୍ଷ ଆଉ ନୂଆ ୫ଟି ପ୍ରଜାତିର ପକ୍ଷୀ ଆସିଥିବା ସୂଚନା ମିଳିଛି।

ହୀରାକୁଦ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୧ ମସିହାରେ ପକ୍ଷୀଗଣନାରେ ୯୮ଟି ପ୍ରଜାତିର ୧ଲକ୍ଷ ୨୪ ହଜାର ପକ୍ଷୀ ହୀରାକୁଦକୁ ଆସିଥିଲେ। ସେହିପରି ୨୦୨୨ରେ ୧୦୪ ପ୍ରଜାତିର ୨ଲକ୍ଷ ୮ ହଜାର ପକ୍ଷୀ ଆସିଥିଲେ। ୨୦୨୩ ମସିହାରେ୧୦୮ଟି ପ୍ରଜାତିର ୩ଲକ୍ଷ ୧୬ ହଜାର ପକ୍ଷୀଙ୍କ ଆଗମନ ହୋଇଥିଲା। ଏଥର ଗଣନାରେ ପକ୍ଷୀଙ୍କ ଆଗମନ ବଢିବ ବୋଲି ଆକଳନ କରାଯାଉଛି। ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ଏଥର ଜଳଭଣ୍ତାରକୁ ଲାଗି ରହିଥିବା ପକ୍ଷୀ ଗ୍ରାମର ବିଭିନ୍ନ ଗୋଷ୍ଠୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ବର୍ତ୍ତମାନ ହୀରାକୁଦକୁ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଭାଗ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି।

ସମ୍ବନ୍ଧିତ ଖବର