ହୀରାକୁଦର ୨୦ ଗେଟ୍‌ ଖୋଲିଲା, ଛ‌ାଡୁଛି ୩ ଲକ୍ଷ କ୍ୟୁସେକ୍‌ ପାଣି

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷାଫଳରେ  ହୀରାକୁଦ ଜଳଭଣ୍ଡାରକୁ ଜଳ‌ ପ୍ରବେଶ ବୃଦ୍ଧି ପାଇଚାଲିଛି । ଏହା ଫଳରେ ସୋମବାର ୩ଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍‌ ଖୋଲା ଯାଇଛି। ଫଳରେ ମୋଟ ୨୦ଟି ଗେଟ୍ ଦେଇ ମହାନଦୀକୁ ୩ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ନିଷ୍କାସିତ ହେଉଛି। ଗତ ୧୫ ଓ ୧୬ ତାରିଖ ଦିନ ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଜଳ ପ୍ରବେଶ ବୃଦ୍ଧି ପାଇଛି। ରବିବାର ୧୨ଟି ଗେଟ୍ ଖୋଲାଥିବାବେଳେ ସୋମବାର ଦିନ ୧୨ଟାରୁ ୧ଟା ମଧ୍ୟରେ ୩ଟି, ୨ଟାରୁ ୩ଟା ମଧ୍ୟରେ ୩ଟି ଓ ରାତି ୯ଟା ବେଳେ ଆଉ ୨ଟି ଗେଟ୍ ଖୋଲା ଯାଇଛି ।

ସୋମବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୦୮ ଫୁଟ୍‌ରେ ପହଞ୍ଚିଛି। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୩ ଲକ୍ଷ ୩୩ ହଜାର ୪୩୧ କ୍ୟ‌ୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୩ ଲକ୍ଷ ୨୩ ହଜାର ୮୯୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ବାମ ସ୍ପିଲ୍‌ୱେର ୧୩ ଓ ଡାହାଣ ସ୍ପିଲ୍‌ୱେର ୭କୁ ମିଶାଇ ମୋଟ ୨୦ ସ୍ଲୁଇସ୍‌ ଗେଟ୍ ଦେଇ ୩ ଲକ୍ଷ ୬ ହଜାର ୯୨୦ କ୍ୟୁସେକ୍‌ ଜଳ ମହାନଦୀକୁ ନିଷ୍କାସିତ ହେଉଥିଲା। ଏହାଛଡ଼ା ପାୱାର୍‌ ଚାନେଲରେ ୧୫,୧୫୭ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୧୫୦୦ କ୍ୟୁସେକ୍‌, ଶାସନ କେନାଲ୍‌ରେ ୧୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୯ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାର୍ଇ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା।
ସୋମବାର ରାତି ୯ଟା ବେଳକୁ ମହାନଦୀ ତଳମୁଣ୍ଡ ବେଲଗାଁଠାରେ ୨୦ ହଜାର ୫୦୦ କ୍ୟୁସେକ୍‌, ପଥର୍ଲାଠାରେ ୬୫ ହଜାର କ୍ୟୁସେକ୍‌, ଖଇରମାଳଠାରେ ୩ ଲକ୍ଷ ୮୫ ହଜାର କ୍ୟୁସେକ୍‌, ବରମୂଳଠାରେ ୪ ଲକ୍ଷ ୫୦ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୪ ଲକ୍ଷ ୩୧ ହଜାର ୪୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ସୋମବାର ବୁର୍ଲା ଜଳବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୯୮.୩୩୩ ମେଗାୱାଟ୍‌ ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ୫୧.୨୦୮ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨୫.୩୫ ମିଲିମିଟର୍‌ ତଳ ମୁଣ୍ଡରେ ୮.୦୮ ମିଲିମିଟର୍‌ ବ‌ର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର