ପଞ୍ଚାୟତକୁ ଆସୁ ନାହାନ୍ତି ସରପଞ୍ଚ, ପ୍ରତିବାଦ ଜଣାଇଲେ ଗ୍ରାମବାସୀ

ହାଟଡିହି: ହାଟଡିହି ବ୍ଲକ୍‌ ବାଲିବରେଇ ପଞ୍ଚାୟତରେ ଏବେ ଅଚଳାବସ୍ଥା ଦେଖାଦେଇଛି। ସରପଞ୍ଚ, ପିଇଓ କିମ୍ବା ଜିଆର୍‌ଏସ୍‌ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନଥିବାରୁ କୌଣସି କାର୍ଯ୍ୟ ହୋଇପାରୁନି। କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି। ଆଜି ଶତାଧିକ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ଏହାର ପ୍ରତିବାଦ କରିଛନ୍ତି। ସରପଞ୍ଚ ନିର୍ବାଚିତ ହେବା ପରଠାରୁ କାର୍ଯ୍ୟାଳୟକୁ ଆଦୌ ଆସୁନାହାନ୍ତି। କୌଣସି କାମରେ ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ହେଉଛି। ତାଙ୍କ ଘରେ ନଚେତ ଭଦ୍ରକ ଯାଇ ତାଙ୍କୁ ଭେଟିବାକୁ ପଡ଼ୁଛି। ସେହିପରି ପିଇଓ ଓ ଜିଆର୍‌ଏସ୍‌ ମଧ୍ୟ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଠିକ ସମୟରେ ଲୋକଙ୍କୁ ରାସନ ଓ ଭତ୍ତା ମିଳୁନାହିଁ।

ଏନେଇ ବାରମ୍ବାର ବ୍ଲକ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି କମଳା ଯେନା, ଅରବିନ୍ଦ ଓଝା, ବସନ୍ତ ଦାସ, ହଳଧର ମଲ୍ଲିକ, ଅବନ୍ତୀ ପାତ୍ର, ଦୀନବନ୍ଧୁ ରାଉତ, ଆନନ୍ଦ ଜେନା, ଗଦାଧର ଜେନା, ସ୍ୱର୍ଣ୍ଣଲତା ସାହୁ, ରସାନନ୍ଦ ଜେନା, ଦୁର୍ଯ୍ୟୋଧନ ଶତପଥୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ହରପ୍ରିୟା ଦଣ୍ଡପାଟଙ୍କୁ ପଚାରିବାରୁ, ବୈଠକ ସମୟରେ ଓ ଆବଶ୍ୟକ ସ୍ଥଳେ ସେ ପଞ୍ଚାୟତକୁ ଯାଉଛନ୍ତି। ବାଲିବରେଇ ପିଇଓଙ୍କୁ ୪ଟି ପଞ୍ଚାୟତ ଦାୟିତ୍ବ ଦିଆଯାଇଥିବାରୁ ସେ ସବୁବେଳେ କାର୍ଯ୍ୟାଳୟକୁ ଆସୁ ନଥିଲେ। ଏବେ ଅନ୍ୟଜଣେ ପିଇଓଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ବ୍ଲକ୍‌ ପକ୍ଷରୁ ଯେଉଁ ଜିଆର୍‌ଏସ୍‌ଙ୍କୁ ପଞ୍ଚାୟତରେ ନିଯୁକ୍ତି ଦିଆଯାଇଥିଲା ସେ ଆଦୌ ନଆସିବାରୁ ବର୍ତ୍ତମାନ ସୋସୋ ପଞ୍ଚାୟତର ଜିଆରଏସଙ୍କୁ ବାଲିବରେଇ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ବୋଲି ସରପଞ୍ଚ କହିଛନ୍ତି।

ସମ୍ବନ୍ଧିତ ଖବର