କେବେ ଖୋଲିବ ସତୀଗୁଡା ଡ୍ୟାମ ପାର୍କ ? 

ଜୟପୁର:‌ ଦିନକୁ ଦିନ ଜୟପୁର ସହରରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କ ମନୋରଂଜନ ତଥା ସମୟ ଅତିବାହିତ  କରି ଆମୋଦ ପ୍ରମୋଦ କରିବା ପାଇଁ ଭଲ ପାର୍କ ଖଣ୍ଡିକ ବି ନାହିଁ। ଜୟପୁର ସହରରେ କିଛି ହାତ ଗଣତି ପାର୍କ ରହିଛି। ତେବେ  ଯାହା କିଛି ବି ରହିଥିଲା ତାହା ଆରମ୍ଭ ହେବା ପୂର୍ବରୁ ହିଁ ପରିଚାଳନାଗତ ସମସ୍ୟା ଯୋଗୁଁ ଖତ ଖାଇବା ଅବସ୍ଥାରେ। ପ୍ରଦୂଷଣ ଯୁକ୍ତ ଗହଳି ଚହଳି ସହରରେ କିପରି ମଣିଷ ଭଲରେ ଖୋଲା ପବନ ନେଇ ବଞ୍ଚି ପାରିବ ସେନେଇ ଚେଷ୍ଟା ଚଳାଉଛି।  ସହରରୁ ଟିକେ ଦୁରକୁ ଗଲେ ରହିଛି ସ୍ଥାନୀୟ ସତୀଗୁଡା ଡ୍ୟାମ୍ (ୱେଲୋ ବ୍ରିଜ୍)।

ଏହି ୱେଲୋ ବ୍ରିଜ ନିକଟରେ ଉପରକୋଲାବ ପ୍ରୋଜେକ୍ଟ ପକ୍ଷରୁ ଏକ ପାର୍କ ନିର୍ମାଣ କରାଯାଇଥିଲା।  ଯାହା ଆଜି ଅର୍ଦ୍ଧ ନିର୍ମିତ ହୋଇ  ପଡ଼ି ରହିଛି। ଏହାକୁ ସରସ ସୁନ୍ଦର କରିବା ପାଇଁ ଏହି ପରିସରରେ ୧୬ଟି ସୋଲାର ଲାଇଟ ଲଗାଯାଇଥିଲା।  କିନ୍ତୁ ଦେଖାରଖା ଓ ରକ୍ଷଣା ବେକ୍ଷଣ ଅଭାବରୁ ତାହା ଚୋରି ହେବାକୁ ଲାଗିଲାଣି। ପାର୍କରେ କେବଳ ପାଥୱେ , ୧୦ଟି ସିମେଣ୍ଟ ବେଂଚ ଓ ପାଚେରୀ ନିର୍ମାଣ କରାଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଅଧପନ୍ତରିଆ ଅବସ୍ଥାରେ ଏହି ପାର୍କ ଏବେ ପଡ଼ି ରହିଛି। ପାର୍କକୁ ନନ୍ –ପ୍ଲାନରେ ଆସୁଥିବା ଟଙ୍କାରେ ନିର୍ମାଣ କରାଯାଇଥିଲା।

ଏଠାରେ ଆହୁରି ୩୦ଟି ସିମେଣ୍ଟ ବେଂଚ, ଫୁଲ ଗଛ, ପାଉଣ୍ଟେନ୍ ଆଦି ଲଗାଯିବାର ଯୋଜନା ରହିଛି। କୋଭିଡ୍ ପାଇଁ ଏ ବର୍ଷ କିଛି ଅନୁଦାନ ଆସି ପାରିନି। ତେଣୁ ଏହି ବର୍ଷ ଆଉ କିଛି ପାର୍କ କାମ ହେବ ନାହିଁ ବୋଲି କହିଛନ୍ତି ସତୀଗୁଡା ଡ୍ୟାମ୍ ଡିଭିଜନର ସହକାରୀ ଯନ୍ତ୍ରୀ ଇଂ.ଆରକେ ମିଶ୍ର ଓ ଉପରକୋଲାବ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଇଂ ସରୋଜ କୁମାର ସାହୁ। ସୋଲାର ଲାଇଟ୍ ଗତ ୨ବର୍ଷ ତଳେ ଭୁବନେଶ୍ବରର ଏକ ସଂସ୍ଥା ପକ୍ଷରୁ ଲଗାଯାଇଥିଲା। ଲଗାଯିବାର ଦିନକ ପରେ ହିଁ ଲାଇଟ୍ ଗୁଡିକ ଆଉ ଲାଗିନଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା ସୋଲାର ପ୍ୟାନେଲ୍, ବୋର୍ଡ ଓ ଖୁଣ୍ଟ ଆଦି ଛାଡି ପଳାଇଥିଲେ। ବ୍ୟାଟେରୀ ଗୁଡ଼ିକ ସ୍ଥାନୀୟ ଅଂଚଳର କିଛି ଦୁର୍ବତ୍ତ ଚୋରି କରି ନେଇଛନ୍ତି ବୋଲି କହିଛନ୍ତି ଇଂ.ମିଶ୍ର।

 

ସମ୍ବନ୍ଧିତ ଖବର