କେନ୍ଦୁଝର: ଟ୍ରାକ୍ଟରରୁ ଖସି ଡ୍ରାଇଭର ମୃତ, ଗାଡ଼ି ଧକ୍କାରେ ଯୁବକ ମୃତ

କେନ୍ଦୁଝର/ଚମ୍ପୁଆ: କେନ୍ଦୁଝର ସଦର ଥାନା କାଇଁଝରୀ ଛକ ମହୁଲ ଗୋଦାମ ଛକ ନିକଟରେ ଆଜି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପରିଚୟ ମିଳିପାରିନାହିଁ। ଘଟଣାରୁ ପ୍ରକାଶ ଯେ,୨୦ନମ୍ବର ଜାତୀୟ ରାଜପଥ ମଝିରେ ଯୁବକ ଜଣଙ୍କ ମୁଣ୍ତ ଉପରେ ଗାଡ଼ି ଚଢିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୩୩ ଏନ୍ ଏଚ୍ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ଡ଼ାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲା।

ଏକ ଚାଳନ୍ତା ଟ୍ରାକ୍ଟରରୁ ଖସି ପଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ମଙ୍ଗଳପୁର ଗ୍ରାମର ନରେନ ମୁଣ୍ଡା। ସେ ଚମ୍ପୁଆ ଥାନା ଅଧୀନସ୍ଥ ଜାମୁଦଳକ ଗ୍ରାମର ପ୍ରଧାନଙ୍କ ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରୁଥିଲେ। ପ୍ରତିଦିନ ପରି ଆଜି ଭୋରରୁ ନରେନ ଜାମୁଦଲକ୍ ନିକଟସ୍ଥ ନାଳରୁ ବାଲି ଲୋଡ୍ କରି ଫେରୁଥିଲେ। ମାତ୍ର ଭାରସାମ୍ୟ ହରାଇ ସେ ତଳେ ପଡ଼ି ଯାଇଥିଲେ। ଫଳରେ ଟ୍ରାକ୍ଟରର ଚକ ନରେନଙ୍କ ଅଣ୍ଟାରେ ଚଢ଼ି ଯାଇଥିଲା। ସେ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଟ୍ରାକ୍ଟର ମାଲିକ ଓ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିଲେ। ଘରେ ତାର ମୃତ୍ୟୁ ଘଟିଥିଲା। ନରେନଙ୍କ ସ୍ତ୍ରୀ ଜାକି ମୁଣ୍ଡା ଚମ୍ପୁଆ ଥାନାରେ ଅଭିଯୋଗ କରିବା ପରେ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର