ବିଭାଗୀୟ ଉଦାସୀନତା, କାହିଁକି ହେଲାନି ଘେରିବନ୍ଧ ମରାମତି?

କଲବଲ ହେଲେ ୧୭ହଜାର ଅଧିବାସୀ

ମାର୍ଶାଘାଇ: ଠିକଣା ସମୟରେ ଘେରିବନ୍ଧ ମରାମତି ହେଲାନାହିଁ। ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଆଖି ବୁଜିଦେଲା। ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣିଲେନି। ଶେଷକୁ ସ୍ଥିତି ଏମିତି ହେଲା ମାର୍ଶାଘାଇ ବ୍ଲକ୍‌ର ୧୭ ହଜାର ଅଧିବାସୀ ଜଳସଂପଦ ବିଭାଗର ଉଦାସୀନତାର ଫଳ ଭୋଗିଲେ। ୨୪ଟି ପଞ୍ଚାୟତରୁ ୧୬ଟି ବନ୍ୟାପ୍ଲାବିତ ହୋଇଛି। ବିଭାଗର ଖାମଖିଆଲି ମନୋଭାବ ପାଇଁ ଲୋକେ ଦହଗଂଜ ଭୋଗିଲେ। ସୂଚନା ଅନୁସାରେ, ବନ୍ୟା ନିୟନ୍ତ୍ରଣ ନଦୀବନ୍ଧର କେତେକ ସ୍ଥାନରେ ଘଳିଆକୁ ବାଦ୍‌ ଦେଲେ ମୁଖ୍ୟ ବନ୍ଧରେ କୌଣସିଠାରେ ଘାଇ ସୃଷ୍ଟି ହୋଇନାହିଁ। ଅଂଚଳବାସୀଙ୍କ ଉଦ୍ୟମ ଯୋଗୁ ବଡ଼ ଘଳିଆ ମରାମତି ହୋଇପାରିଛି। ମହାନଦୀର ଶାଖା ପାଇକା ନଦୀର ଉତ୍ତରପାର୍ଶ୍ବ ନଦୀବନ୍ଧର ବଟିରା ଏହାର ଉଦାହରଣ। ଏହି ନଦୀବନ୍ଧର ନୀଳାଞ୍ଚଳ ବଜାର ପର୍ଯ୍ୟନ୍ତ ବହୁ ସ୍ଥାନ ଉଛୁଳି ପଡିଥିଲା। ମାତ୍ର ଏହି ନଦୀବନ୍ଧର ପୋତାରୀ ଯୋରମୁହଁ, ଧନିଆପଡାର ନୂଆଗାଁ ଆଦି ସ୍ଥାନରେ ଘଳିଆ ସୃଷ୍ଟି ହୋଇ ପାଣି ଚାଲିଥିଲା। ଏହି ନଦୀବନ୍ଧର ସୁଦୃଢୀକରଣ ଓ ସଂପ୍ରସାରଣ ନାଁରେ ଅର୍ଥ ବ୍ୟୟ କରାଯାଇଥିଲେ ହେଁ ତାହାର ସଠିକ୍‌ ବିନିଯୋଗ ନ ହୋଇଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବଟିରାଠାରେ ସୃଷ୍ଟି ହୋଇଥିବା ଘଳିଆରୁ ଅତଡ଼ା ଧସିଥିଲା। ଏହି ସ୍ଥାନରେ ଏକ ପରିତ୍ୟକ୍ତ ପୋଖରୀ ଏହି ବିପଦକୁ ଟାଣି ଆଣିଥିଲା। ସେହିପରି ଚିତ୍ରୋତ୍ପଳା ନଦୀବନ୍ଧର ଆଖୁଆ-ଓଡଙ୍ଗ ସ୍କୁଲ ପଛରେ ଏକ ଘଳିଆ ଚିତ୍ରୋତ୍ପଳା–ଲୁଣା ଦ୍ବୀପାଂଚଳବାସୀଙ୍କ ନିଦ ହଜାଇ ଦେଇଥିଲା। ଅନ୍ୟପକ୍ଷରେ ଲୁଣାନଦୀର ଉତ୍ତରପାର୍ଶ୍ବ ବସପୁରଠାରୁ ମାର୍ଶାଘାଇ ମଧ୍ୟରେ କେନ୍ଦ୍ରାପଡା ବ୍ଲକ୍‌ର ବଗଡା ମୁଣ୍ତରେ ଥିବା ଦୁଧିଆମୁହଁ ଓ ଏହି ନଦୀବନ୍ଧର ଏକାଧିକ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିଲା। ଉଲ୍ଲେଖନୀୟ ଏହିକି ଯେ, ମାର୍ଶାଘାଇ ବ୍ଲକ୍‌ର ୧୬ଟି ପଞ୍ଚାୟତରେ ହୋଇଥିବା ଘାଇ କେବଳ ଘେରିବନ୍ଧଗୁଡିକରେ ହିଁ ହୋଇଥିଲା।

ଏଥିରେ କରାଣ୍ତିଆ ନଦୀର ଆଇତିପୁର, ବାଳିସିଂ, ଡିହବଳରାମପୁରଠାରେ ୩ଟି ଓ କରାଣ୍ତିଆପାଟଣାଠାରେ ଗୋଟିଏ ଘାଇ ସୃଷ୍ଟି ହୋଇଥିଲା। ଚିତ୍ରୋତ୍ପଳା ନଦୀବନ୍ଧର ପିକରାଳି, ମାଣ୍ତିଆଠାରେ ଘେରିବନ୍ଧରେ ବି ଘାଇ ସୃଷ୍ଟି ହୋଇଥିଲା। ବଟିରା ଓ ମଙ୍ଗରାଜପୁର ପଞ୍ଚାୟତରେ ପାଇକା ନଦୀର ଘେରିବନ୍ଧର ଉପରବଟିରାଠାରେ ଘାଇ ସୃଷ୍ଟି ଫଳରେ ଉପରବଟିରା, ରତନପୁର ଓ ଦଶମାଣପୁର ପ୍ରଭାବିତ ହୋଇଥିଲା। ଏହାବ୍ୟତୀତ ବହୁ ସ୍ଥାନରେ ଘେରିବନ୍ଧରେ ସୃଷ୍ଟ ଘାଇକୁ ଅଂଚଳବାସୀ ବନ୍ଧାଇବାରେ ସକ୍ଷମ ହୋଇଥିଲେ। ବହୁପୂର୍ବରୁ ନଦୀବନ୍ଧ ଓ ଘେରିବନ୍ଧ ମରାମତି ଅଭାବରୁ ଏସବୁ ଦ୍ବୀପାଂଚଳରେ ବନ୍ୟା ଆଶଙ୍କାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏ ସମ୍ପର୍କିତ ଖବର ବି ସମ୍ବାଦପତ୍ରରେ ଏକାଧିକବାର ପ୍ରକାଶ ପାଇଥିଲା। ତଥାପି ସଂପୃକ୍ତ ବିଭାଗର ଏଥିପ୍ରତି ନିଘା ରହିଲା ନାହିଁ। ଫଳରେ କେବଳ ଘେରିବନ୍ଧରେ ବନ୍ୟା ଜଳ ପଶି ବ୍ଲକ୍‌ର ୧୭ହଜାର ଅଧିବାସୀ ପ୍ରଭାବିତ ହେଲେ।
ଅନ୍ୟପକ୍ଷରେ କରିଲୋପାଟଣା ପଞ୍ଚାୟତର ତଳଗାଁ, ଜଳପୋକ ପଞ୍ଚାୟତର ଜଳପୋକ, ପକ୍ଷୋଟ, ଶ୍ରୃତିପୁର, ନାନକାର, ଆଖୁଆ-ଦକ୍ଷିଣୀ ପଞ୍ଚାୟତର ଓଡଙ୍ଗ, ପରକୁଳାର ଆଙ୍କୋ, ନାରଣପୁର, ଗରଜଙ୍ଗା ପଞ୍ଚାୟତର ବଡପାଳଡିଆ, ଦୁମୁକାର କୁସୁନପୁର, ମଣିକୁଣ୍ତାର କଷୋଟି, ହିନ୍ଦୁଳିଆର କୁଞ୍ଜକୋଠି(ମାଣତୀର)ଆଦି ସ୍ଥାନରେ ଘେରିବନ୍ଧ ନ ଥିବା କାରଣରୁ ବନ୍ୟା ଜଳ ପ୍ରବେଶ ଏକ ଚିରାଚରିତ କଥା।

ବନ୍ୟା ନିୟନ୍ତ୍ରଣ ନଦୀବନ୍ଧ ଥାଇ ବି ଲୁଣା-ଚିତ୍ରୋତ୍ପଳା ଦ୍ବୀପାଂଚଳର ଶେଷମୁଣ୍ଡରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସେହିପରି ବନ୍ୟା ସମୟରେ ଜଳନିଷ୍କାସନ ଅଭାବରୁ ଲୁଣା-ଚିତ୍ରୋତ୍ପଳା ଦ୍ବୀପାଂଚଳର ଉପରମୁଣ୍ତରୁ ଗଡି ଆସି ଶେଷ ମୁଣ୍ତରେ ଠୁଳ ହେଉଥିବା ଉଦବୃତ୍ତ ଜଳରେ ପରକୁଳା, ବଛରାଇ, ବନ୍ଧକଟା, ରାଘବପୁର, ଆଖୁଆ–ଦକ୍ଷିଣୀ ପଞ୍ଚାୟତର ପ୍ରଭୂତ କ୍ଷତି ପହଂଚାଇଛି। ଏପରିକି ଏହି ଦ୍ବୀପାଂଚଳର ଅନ୍ୟତମ ଜଳ ନିଷ୍କାସନ ପଥ ନାରଣପୁର ମାଛମରା ଫାଟକ ଦେଇ ଆଜି ବି ପ୍ରବେଶ କରୁଥିବା ବନ୍ୟାଜଳ ଦ୍ବୀପାଂଚଳକୁ ବୁଡାଇ ଚାଲିଛି। ନିର୍ମାଣଜନିତ ତ୍ରୁଟି ଯୋଗୁ ସ୍ଲୁଇସ୍‌ରେ ଲାଗିଥିବା ଫାଟକ ତଳେ ଫାଙ୍କା ଥିବାରୁ ଅବାଧରେ ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଏହି ୫ଟି ପଞ୍ଚାୟତର ୧ହଜାର ୯୬୦ ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଫସଲ ସାଙ୍ଗକୁ ତଳିଘେରା, ନଳିତା ଓ ପନିପରିବା ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଚଳିତ ଖରିଫ ଋତୁରେ ଆଉ ଧାନଚାଷ ସମ୍ଭବ ହେଉ ନ ଥିବା ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର