କରୋନାକୁ ହରାଇଲେ ୮୭ ବର୍ଷର ବୃଦ୍ଧ

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍‌ ଭଂଜକିଆ ଗ୍ରାମରେ ରହନ୍ତି ଯୋଗେଶ୍ଵର ପାତ୍ର। ବୟସ  ୮୭ ବର୍ଷ ହେବ। ୧୫ ବର୍ଷ ହେଲାଣି ସେ ଭଂଜକିଆ ବଜାରରେ ଏକ ସାଇକେଲ୍‌ ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ମାସକ ତଳେ ଯୋଗେଶ୍ବର ପ୍ରଥମ ଡୋଜ୍‌ କରୋନା ଟିକା ନେଇଥିଲେ। ତଥାପି କିଛିଦିନ ପରେ ତାଙ୍କୁ ଜ୍ଵର ଆସିଥିଲା। ଫଳରେ ସେ ରରୁଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇଥିଲେ। ପରୀକ୍ଷାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଯୋଗେଶ୍ବର ଡାକ୍ତରଖାନାରୁ ଔଷଧ ‌ନେଇ ଖାଇଲେ। ୧୫ ଦିନ ଧରି ତାଙ୍କର ଅବସ୍ଥା ଗୁରୁତର ରହିଲା। ସେ ବିଛଣାରୁ ଉଠି ଚଲାବୁଲା କରିବା ମଧ୍ୟ ସମ୍ଭବ ହେଲାନି। ଏହ‌ି ସମୟରେ ଘରଲୋକଙ୍କ ସହ ବନ୍ଧୁ କାଳିଆ ଭାଇ, ତ୍ରିଭୁବନ ମହାନ୍ତ ଓ ଆଶା ଦିଦି ତାଙ୍କୁ ଅନେକ ସହାୟତା କରିଥିଲେ। ତେବେ ଯାହାହେଉ ଶେଷରେ ଯୋଗେଶ୍ବର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। କରୋନାକୁ ହରାଇଛନ୍ତି। ଘରର ପାଞ୍ଚପ୍ରାଣୀ କୁଟୁମ୍ବଙ୍କୁ ପୋଷିବା ପାଇଁ ତାଙ୍କର ଯେଉଁ ଦାୟିତ୍ବ ରହିଛି, ସେଥିପାଇଁ ସେ ମନକୁ ଦୃଢ଼ କଲେ ଏବଂ କରୋନାକୁ ହରାଇଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର