ଦୁଇ ସତ୍ୟାନୁରାଗୀ ଲେଖକ

ହିରଣ୍ୟ ମହାନ୍ତି

୧୯୨୮ ମସିହାରେ, ରୁଷିଆର ମହାନ ଲେଖକ ଲିଓ ଟଲ୍‌ଷ୍ଟୟଙ୍କ ଜନ୍ମ ଶତବାର୍ଷିକୀରେ, ମହାତ୍ମା ଗାନ୍ଧୀ ଯୁବକମାନଙ୍କୁ ଉଦ୍‌ବୋଧନ ଦେଇ ଟଲ୍‌ଷ୍ଟୟଙ୍କୁ ତାଙ୍କ ଯୁଗର ସର୍ବଶ୍ରେଷ୍ଠ ସତ୍ୟାନୁରାଗୀ ଭାବେ ଅଭିହିତ କରିଥିଲେ। ଗାନ୍ଧୀଜୀ କହିଥିଲେ ଯେ ଟଲଷ୍ଟୟଙ୍କ ଜୀବନ ଥିଲା ସତ୍ୟାନ୍ବେଷଣ ଦିଗରେ ଏକ ନିରବଚ୍ଛିନ୍ନ ସାଧନା। ଗାନ୍ଧୀଜୀଙ୍କ ଉପରେ ଟଲଷ୍ଟୟଙ୍କ ପ୍ରଭାବ ଏଥିରୁ ପ୍ରମାଣିତ ହୁଏ ଯେ ଦକ୍ଷିଣ ଆଫ୍ରିକାରେ ସେ ପ୍ରତିଷ୍ଠା କରିଥିଲେ ଟଲଷ୍ଟୟ ଫାର୍ମ।
ଟଲ୍‌ଷ୍ଟୟ ତାଙ୍କ ଜୀବନ ଓ ସାହିତ୍ୟରେ ଯେଉଁ ସ୍ବପ୍ନ ଓ ସମ୍ଭାବନାର ଭିତ୍ତି ରଖିଥିଲେ, ତାହା ଉପରେ ରୁଷର ପରବର୍ତ୍ତୀ ସାହିତ୍ୟିକମାନେ ନିର୍ମାଣ କରିଥିଲେ ବିଶ୍ବକୁ ଚମକାଇ ଦେଲା ଭଳି ସାହିତ୍ୟ ସୌଧ। ଟଲ୍‌ଷ୍ଟୟଙ୍କ ମୃତ୍ୟୁର ଦଶ ବର୍ଷ ପୂର୍ବରୁ ସମସାମୟିକ ଅମର ସାହିତ୍ୟିକ ଆଣ୍ଟନ୍‌ ଚେକଭ୍‌ ଲେଖିଥିଲେ- ମୋର ଭୟ ଟଲ୍‌ଷ୍ଟୟ ଆଉ ରହିବେ ନାହିଁ। ତାଙ୍କ ମୃତ୍ୟୁ ପରେ ମୋ ଜୀବନରେ ଦେଖା ଦେବ ଏକ ବିରାଟ ଶୂନ୍ୟତା। ତାଙ୍କ ବିନା ଆମ ସାହିତ୍ୟ ଜଗୁଆଳି ନ ଥିବା ଏକ ଗୋରୁ ପଲରେ ପରିଣତ ହେବ!
ବିଂଶ ଶତାବ୍ଦୀର ପ୍ରଥମ ଦଶକ ବେଳକୁ ଲେଖକ ଇଭାନ୍‌ ତୁର୍ଗେନେଭ୍‌ ଏବ˚ କବି ଆଲେକ୍‌ଜାଣ୍ତାର ବ୍ଲକ୍‌ଙ୍କ ପରି ବିଶିଷ୍ଟ ରୁଷୀୟ ଲେଖକ ବିଶ୍ବ ସାହିତ୍ୟ ଆକାଶରେ ତାରକା ଭଳି ଚମକିବା ଆରମ୍ଭ କରିଥିଲେ। ସେମାନେ ମଧ୍ୟ ଟଲଷ୍ଟୟଙ୍କ ଅବର୍ତ୍ତମାନରେ ରୁଷୀୟ ସାହିତ୍ୟର ଗତିବିଧି ବିଷୟରେ ସନ୍ଦିହାନ ହୋଇପଡ଼ିଥିଲେ। ଏଥିରେ ସନ୍ଦେହ ନାହିଁ ଯେ ପୃଥିବୀରେ ଯଦି ସର୍ବକାଳୀନ ସର୍ବଶ୍ରେଷ୍ଠ ସାହିତ୍ୟିକ ବା ସାହିତ୍ୟିକମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ, ତେବେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିବେ ଲିଓ ଟଲଷ୍ଟୟ।
ଟଲ୍‌ଷ୍ଟୟ ଖୁବ୍‌ ନିକଟରୁ ଦେଖିଥିଲେ ତାଙ୍କ ସମୟର ସାଧାରଣ ଲୋକଙ୍କ ଦୁଃଖ, ଶ୍ରମିକ ଓ କୃଷକମାନଙ୍କ ଶୋଷଣ। କିନ୍ତୁ ଆଧ୍ୟାତ୍ମିକବାଦୀ ଟଲଷ୍ଟୟ ବିଚାର କରୁଥିଲେ ଯେ ଈଶ୍ବରଙ୍କ ପ୍ରଦତ୍ତ ସଦ୍‌ଗୁଣମାନେ ଦିନେ ନା ଦିନେ ଉଦ୍‌ଭାସିତ ହୋଇ ମନୁଷ୍ୟ ଜାତି ସକାଶେ ପରିତ୍ରାଣର ମାର୍ଗ ଫିଟାଇବେ। ଟଲ୍‌ଷ୍ଟୟ ଥିଲେ ଅତ୍ୟନ୍ତ ଧନୀ କିନ୍ତୁ ଏଭଳି ବୈରାଗୀସୁଲଭ ଜୀବନ ସେ ଅତିବାହିତ କରୁଥିଲେ ଯେ ତାଙ୍କୁ ଋଷି ଟଲ୍‌ଷ୍ଟୟ ବୋଲି ମଧ୍ୟ କୁହାଯାଉଥିଲା।
ଲିଓ ଟଲ୍‌ଷ୍ଟୟ ଯେଉଁ ମଞ୍ଜି ରୁଷୀୟ ଚିନ୍ତନ ଭୂମି‌େର ପୋତି ଥିଲେ ତାହା ପଲ୍ଲବିତ ହୋଇଥିଲା ଆଣ୍ଟନ୍‌ ଚେକଭ୍‌ଙ୍କ ଭଳି ଲେଖକମାନଙ୍କ କଲମରେ। ଚେକଭ୍‌ ତାଙ୍କ କଲମ ଚଳାଇଥିଲେ ଖଳ, ଚତୁର, ତୋଷାମଦିଆ ଏବଂ କ୍ଷମତାନ୍ଧମାନଙ୍କୁ ସୂକ୍ଷ୍ମ ଢଙ୍ଗରେ ବ୍ୟଙ୍ଗ ଓ ବିିଦ୍ରୂପ କରିବା ପାଇଁ। ସେ ଲେଖୁଥିଲେ କମ୍ୟୁନିଷ୍ଟ ଶାସନ ଅଧୀନସ୍ଥ ରୁଷିଆରେ। ସେଥି ଲାଗି ଯେଉଁ ସାହସର ପ୍ରୟୋଜନ ଥିଲା, ତାହା ତାଙ୍କୁ ମିଳିଥିଲା ଟଲ୍‌ଷ୍ଟୟଙ୍କ ଠାରୁ। ଚେକଭ୍‌ କହୁଥିଲେ କେଉଁ ବର୍ଗର ମନୁଷ୍ୟମାନଙ୍କୁ ଲେଖକ ପ୍ରତିନିଧିତ୍ବ କରୁଛି, ତା’ ଉପରେ ନିର୍ଭର କରେ ତା’ର ସାର୍ଥକତା। ସେ ମଧ୍ୟ ଭାବୁଥିଲେ ଯେ ପ୍ରକୃତ ଲେଖକ ହେଉଛି ସତ୍ୟର ଏକାନ୍ତ ପକ୍ଷଧର।
ଚେକଭଙ୍କ ଏକ ‌େଶ୍ରଷ୍ଠ ଗଳ୍ପ ‘ଏନ୍‌ଗେଜ୍‌ଡ’ରେ ବର୍ଣ୍ଣିତ ଅଛି କିଭଳି ପ୍ରାତଃ କାଳରେ ନାୟିକାର ନିଦ ଭାଙ୍ଗିବା ପରେ ତା’ର ଦୃଷ୍ଟି ପଡୁଛି ଘନ କୁହୁଡ଼ି ଘେରା ଉଦ୍ୟାନ ଉପରେ। ତା’ ଆଖି ଆଗରେ କୁହୁଡ଼ିର ପରଦା ନଇଁ ଆସି ସବୁ ସୌନ୍ଦର୍ଯ୍ୟକୁ ଲୁଚାଇ ଦେଉଛି। ତା’ର ବିଷାଦ ବହୁ ମାତ୍ରାରେ ବଢ଼ିଯାଇଛି। କିନ୍ତୁ ସହସା ତା’ର ଚିତ୍ତରେ ପୁଲକ ଜଗାଇ ସୂର୍ଯ୍ୟଙ୍କ ଆତ୍ମପ୍ରକାଶ ଘଟେ। କୁହୁଡ଼ିର ଆସ୍ତରଣ ହଟିଯାଏ। ଉଦ୍ୟାନରେ ଉଜ୍ଜ୍ବଳ ବର୍ଣ୍ଣର ଫୁଲ ଧୀର ସମୀରଣରେ ନାଚି ଉଠନ୍ତି। ସତେ ଯେମିତି ପୃଥିବୀ ଉଲ୍ଲାସରେ ଭରିଯାଏ। ବାହାର ପରିବେଶରେ ଏଭଳି ପରିବର୍ତ୍ତନ ସହିତ ନାୟିକାର ମନ ଭିତରେ ମଧ୍ୟ ଏକ ପରିବର୍ତ୍ତନ ଘଟିଯାଏ। ସେ ନିଷ୍ପତ୍ତି ନିଏ ଯେ ତା’ ଅନ୍ତର ମଧ୍ୟରେ ସେ ମଧ୍ୟ ଆଲୋକର ପ୍ରକାଶ ଘଟାଇବ ଏବଂ ସଂକୀର୍ଣ୍ଣତାକୁ ଅତିକ୍ରମ କରିବ।
ଏହି ଗଳ୍ପରେ ଯେଉଁ ପ୍ରତ୍ୟୟ ଓ ଆ‌ଶାବାଦ କଥା କୁହାଯାଇଛି, ତା’ ଠାରୁ ଭିନ୍ନ ଏକ ରାଜନୈତିକ ବିଭାବକୁ ମଧ୍ୟ ଅନେକ ଆବିଷ୍କାର କରନ୍ତି। ସେମାନେ କହନ୍ତି ଯେ ଅତ୍ୟାଚାରୀ ଶାସକ ଦ୍ବାରା ତମସାଚ୍ଛନ୍ନ ହୋଇ ପଡ଼ିଥିବା ରୁଷିଆରେ ଯେ ଦିନେ ସୂର୍ଯ୍ୟ ଝଲସି ଉଠିବ, ଏହା କହିବାକୁ ଚାହିଁଥିଲେ ଚେକଭ୍‌। ଟଲ୍‌ଷ୍ଟୟ ଯେଉଁ ଚିରନ୍ତନ ସତ୍ୟ କଥା କରିଥିଲେ, ତାହାର ମେଟାଫର ହିଁ ହେଉଛି ଚେକଭଙ୍କ ଗଳ୍ପରେ ଅନ୍ଧକାରକୁ ଦୂର କରିଥିବା ସୂର୍ଯ୍ୟାଲୋକ।
ମୋ: ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର