‘ଆରୋଗ୍ୟ ସେତୁ’କୁ ନେଇ ବିବାଦ
ଅରୁନ ପୂଜାରୀ
କରୋନା ମହାମାରୀ ସଂକ୍ରମଣର ନିୟନ୍ତ୍ରଣ ଲାଗି ଅନେକ ରାଷ୍ଟ୍ର ‘କଣ୍ଟାକ୍ଟ ଟ୍ରେସିଙ୍ଗ୍’ ଉଦ୍ଦେଶ୍ୟରେ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି। ଭାରତରେ ‘ଆରୋଗ୍ୟ ସେତୁ’ ନାମକ ଆପ୍ ପ୍ରଚଳନ କରାଯାଇଛି। ଏହି ଆପ୍ ଯେ କୌଣସି ବ୍ୟକ୍ତିଙ୍କ ଅନ୍ୟ କୌଣସି କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କ ସହିତ ସଂସ୍ପର୍ଶରେ ଆସିବା ଓ ତା’ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନାକୁ ଆକଳନ କରିଥାଏ। ବ୍ଲୁ ଟୁଥ୍ ଏବଂ ଜିପିଏସ୍ ଟେକ୍ନୋଲୋଜି ମାଧ୍ୟମରେ କାମ କରୁଥିବା ଏହି ଆପ୍ଟି ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହିତ ବିଗତ କିଛି ଦିନରେ ସଂସ୍ପର୍ଶରେ ଆସିଥିବା ଲୋକ ତଥା ସ୍ଥାନ ଆଦିର ତଥ୍ୟ ସଂଗ୍ରହ କରେ। ଏହି କାରଣରୁ ‘ଆରୋଗ୍ୟ ସେତୁ’ର ବ୍ୟବହାରକୁ ସରକାରଙ୍କ ଦ୍ବାରା ଅନିବାର୍ଯ୍ୟ କରାଯିବାର ନିର୍ଦ୍ଦେଶ ସ୍ବାଭାବିକ ଭାବେ ବିବାଦକୁ ଜନ୍ମ ଦେଇଛି। ପ୍ରଶ୍ନ ଉଠୁଛି ଯେ ଏହା ଦ୍ବାରା ବ୍ୟକ୍ତିଗତ ଗୋପନୀୟତା କ୍ଷୁଣ୍ଣ ହେବାର ଆଶଙ୍କା ନାହିଁ ତ? ଭବିଷ୍ୟତ୍ରେ ଏହି ଡାଟାର ଅପବ୍ୟବହାର ହେବାର ଆଶଙ୍କା ନାହିଁ ତ? ଏହା ଫଳରେ ବିଭିନ୍ନ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍ରେ ଅନ୍ୟମାନଙ୍କର କଣ୍ଟାକ୍ଟ ହିଷ୍ଟୋରି ବା ସଂସର୍ଗଗତ ତାଲିକା ରହିଯିବ ନାହିଁ ତ? ଏ ପ୍ରକାର ବ୍ୟକ୍ତିଗତ ଡାଟା ସଂଗ୍ରହ କରିବା କେତେ ଆଇନ ସଙ୍ଗତ? ଏଭଳି ପ୍ରଶ୍ନ ପରିପ୍ରେକ୍ଷୀରେ ଜନସାଧାରଣ ‘କଣ୍ଟାକ୍ଟ ଟ୍ରେସିଙ୍ଗ’ ପ୍ରକ୍ରିୟା ବିଷୟରେ ଟିକିଏ ବୁଝିବା ଆବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ଧରନ୍ତୁ ଅଶୋକ ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହି ‘କଣ୍ଟାକ୍ଟ ଟ୍ରେସିଙ୍ଗ’ ଆପ୍ ଡାଉନ୍ଲୋଡ୍ କରି ତହିଁରେ ନିଜକୁ ପଞ୍ଜିକୃତ କଲେ। ତହିଁରେ ତାଙ୍କର ମୋବାଇଲ ନମ୍ବର ରହିଲା। ତାଙ୍କ ସ୍ମାର୍ଟ ଫୋନ୍ର ‘ବ୍ଲୁ ଟୁଥ୍’ ଏବଂ ‘ଜିପିଏସ୍’ ଚାଲୁଥିବା ଦରକାର। ତା ପରେ ସେ ଯଦି ସୁକାନ୍ତ ନାମକ ଜଣେ ବନ୍ଧୁଙ୍କୁ ଭେଟିଲେ ଓ ସେମାନଙ୍କ ଭିତରେ ଛଅ ଫୁଟ ବ୍ୟବଧାନ ନ ରହିଲା, ତେବେ ଦୁଇ ଜଣଙ୍କ ମୋବାଇଲ ପରସ୍ପରର ଉପସ୍ଥିତିକୁ ଠଉରାଇବ ଏବଂ ଫୋନ୍ ଦ୍ବୟ ମଧ୍ୟରେ କିଛି ତଥ୍ୟ ଆଦାନପ୍ରଦାନ ହେବ। ଧରନ୍ତୁ, କିଛି ଦିନ ପରେ ସୁକାନ୍ତ କୋଭିଡ୍ ପଜିଟିଭ୍ ବୋଲି ଚିହ୍ନଟ ହେଲେ। ତାହା ହେଲେ ତାଙ୍କ ଫୋନ୍ରେ ଥିବା ତଥ୍ୟ ସଂପୃକ୍ତ ଆପ୍ର ପରିଚାଳକ (ଏ କ୍ଷେତ୍ରରେ ସରକାରଙ୍କ ପ୍ରତିନିଧି)ଙ୍କ ପାଖରେ ଥିବା ‘ସର୍ଭର୍’ରେ ଅପଲୋଡ୍ ହେଇଯିବ। ଏହି ‘ସର୍ଭର୍’ଟି ‘ପ୍ରକ୍ସିମିଟି’ ବା ସାମୀପ୍ୟ ଗ୍ରାଫ୍ ତିଆରି କରି ଜାଣିବ ଯେ ସୁକାନ୍ତଙ୍କ ଠାରୁ ଅଶୋକଙ୍କୁ ସଂକ୍ରମଣ ହେବାର ଭୟ ରହିଛି। ତେଣୁ ଅଶୋକଙ୍କୁ ଚିହ୍ନଟ କରାଯାଇ ତାଙ୍କୁ ସଙ୍ଗରୋଧରେ ରଖା ଯାଇପାରିବ। ଅଶୋକ ଯଦି ‘ରେଡ୍ ଜୋନ୍’ ନିକଟବର୍ତ୍ତୀ ସ୍ଥାନକୁ ଯାଇଥିବେ, ‘ଜିପିଏସ୍’ ଦ୍ବାରା ଜାଣିହେବ। ଅଶୋକ ଓ ସୁକାନ୍ତଙ୍କ ମଧ୍ୟରେ ଦୂରତ୍ବ ଜିପିଏସ୍ ଦ୍ୱାରା ନିର୍ଣ୍ଣୟ କରା ଯାଇପାରିବ। ଏହା ଦ୍ବାରା ‘କଣ୍ଟାକ୍ଟ ଟ୍ରେସିଙ୍ଗ’ ସହଜସାଧ୍ୟ ହେବ।
ନାନା ରାଷ୍ଟ୍ର ଏହି ପ୍ରକ୍ରିୟାକୁ ଭିନ୍ନ ଭିନ୍ନ ଉପାୟରେ ରୂପ ଦେଇଥାନ୍ତି। ବିଭିନ୍ନ ସ୍ତରର ଗୋପନୀୟତା ସୁରକ୍ଷା କରାଯିବାର ପ୍ରାବଧାନ ବି ରହିଥାଏ। କରୋନା ‘ପାନ୍ଡେମିକ’ ମୁକାବିଲା ଲାଗି ଭାରତ ଭଳି ଚୀନ, କୋରିଆ, ସିଙ୍ଗାପୁର, ୟୁରୋପୀୟ ରାଷ୍ଟ୍ର, ଜାପାନ, ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏଭଳି ‘ଆପ୍’ର ବ୍ୟବସ୍ଥା ହୋଇଛି।
ଏହି ଆପ୍ ବ୍ୟବହାରର ବିକେନ୍ଦ୍ରୀକୃତ ମେଡଲରେ ଦୁଇ ବ୍ୟକ୍ତିଙ୍କ ଭିତରେ ଆଦାନପ୍ରଦାନ କରାଯାଉଥିବା ଡାଟା କୌଣସି ସରକାରୀ ‘ସର୍ଭର’କୁ ଯାଏନାହିଁ। ତେବେ କଥା ହେଲା, ବିକେନ୍ଦ୍ରୀକୃତ ମଡେଲକୁ ସର୍ବସମ୍ମତକ୍ରମେ ଗ୍ରହଣ କରିବାକୁ ରାଷ୍ଟ୍ରମାନେ ରାଜି ହୋଇଥିଲେ ସୁଦ୍ଧା ଅଧିକାଂଶ ରାଷ୍ଟ୍ର କେନ୍ଦ୍ରୀକୃତ ମଡେଲ ବା ଏକ ମିଶ୍ରିତ ମଡେଲ ଆପଣାଇଛନ୍ତି। ଭାରତର ‘ଆରୋଗ୍ୟ ସେତୁ’ ଓ ସିଙ୍ଗାପୁରର ‘ଟ୍ରେସ୍ ଟୁଗେଦର’ ଏକ ମିଶ୍ରିତ ମଡେଲର ଉଦାହରଣ। କେନ୍ଦ୍ରୀକୃତ ମଡେଲରେ ସବୁ ତଥ୍ୟ ସର୍ଭରରେ ରହିଥିବା ହେତୁ ସର୍ଭର-ସଂଚାଳକଙ୍କ ଦ୍ବାରା ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ଏବଂ ତାର ଦାୟିତ୍ବପୂର୍ଣ୍ଣ ପରିଚାଳନା ଉପରେ ନାଗରିକଙ୍କ ଆସ୍ଥା ରହିବା ଜରୁରୀ। ସରକାରୀ ପ୍ରତିନିଧିଙ୍କ ‘ସର୍ଭର’ରେ ଅଶୋକଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ତଥା ତାଙ୍କ ବିଗତ ୩୦ ଦିନର ଚଳପ୍ରଚଳର ତାଲିକା ରହେ। ଯାହା ଜଣାପଡ଼େ, ‘ଆରୋଗ୍ୟ ସେତୁ’ର ‘ସର୍ଭର୍’ରେ ଡାଟା ବିଶ୍ଳେଷଣ ପ୍ରକ୍ରିୟାରେ ବ୍ୟକ୍ତିଗତ ପରିଚୟକୁ ଛଦ୍ମ ରଖା ଯାଇଥାଏ। ଏହି ପରିଚୟ ଛଦ୍ମ ରଖିବା ପ୍ରଣାଳୀକୁ ଇଂରେଜୀରେ ‘ଏନୋନିମାଇଜେସନ’ ବୋଲି କୁହାଯାଏ, ଯାହା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହା ମଧ୍ୟ ସତ ଯେ ସମ୍ପୂର୍ଣ୍ଣ ‘ଏନୋନିମାଇଜେସନ’ ମଧ୍ୟ ସମ୍ଭବ ନୁହେଁ। ଏହା ବ୍ୟତୀତ ତଥ୍ୟ ବିଶ୍ଳେଷଣ ପୂର୍ବରୁ ‘ଏନୋନିମାଇଜେସନ’ ନ ହେଇ ପରେ ହେଲେ ତାହା ମଧ୍ୟ କ୍ଷତିକାରକ ହୋଇପାରେ। ଯେହେତୁ ଭାରତରେ ଚିହ୍ନଟ ପ୍ରକ୍ରିୟା ‘ଇଣ୍ଡିଆନ୍ ମେଡିକାଲ ରିସର୍ଚ୍ଚ କାଉନ୍ସିଲ୍’ ବା ‘ଆଇ.ସି.ଏମ୍.ଆର୍.’ ଦ୍ୱାରା ହୁଏ, ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ‘ଆଇ.ସି.ଏମ୍.ଆର୍.’ର ଡାଟାବେସ୍ରୁ ମିଳେ। କିନ୍ତୁ ସିଙ୍ଗାପୁର ଆପ୍ରେ ବ୍ୟକ୍ତି ଜଣକ ନିଜେ ନିଜକୁ ଚିହ୍ନଟ କରି ଜଣାନ୍ତି। କିନ୍ତୁ ତଦ୍ଦ୍ବାରା ଏମିତି ବି ହୋଇପାରେ ଯେ ଜଣେ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ମିଛରେ ନିଜକୁ କୋଭିଡ୍ ପଜିଟିଭ୍ ବୋଲି ଅପଲୋଡ୍ କରିପାରନ୍ତି ଓ ଆତଙ୍କ ସୃଷ୍ଟି କରିପାରନ୍ତି। ‘ଆରୋଗ୍ୟ ସେତୁ’ରେ ସେ ସମ୍ଭାବନା ନାହିଁ।
ତେବେ ମୂଳ କଥା ହେଲା, ଏହି ପ୍ରଣାଳୀଟିର ସଫଳତା ନିମନ୍ତେ ଅନ୍ୟୂନ ଶତକଡ଼ା ଷାଠିଏ ନାଗରିକ ନିଜକୁ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ। ତେଣୁ ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀଙ୍କୁ ପଞ୍ଜିକୃତ କରାଯିବାର ଅନିବାର୍ଯ୍ୟତା ଯୁକ୍ତି ସଂଗତ। କରୋନା ସଂକ୍ରମଣର ଗତି ଓ ବେଗକୁ ଦୃଷ୍ଟିରେ ରଖି ଭାରତ ସରକାର ଅବିଳମ୍ବେ ଆପ୍ ପ୍ରଚଳନ କରିଥିବା ସ୍ବାଗତଯୋଗ୍ୟ। କିନ୍ତୁ ଏତେ କମ ସମୟରେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବାରେ ସମର୍ଥ ହେବା ମଧ୍ୟ ସ୍ବାଭାବିକ ନୁହେଁ। ତେଣୁ ତ୍ରୁଟି ଥିଲେ ଆପ୍ର ଆଗାମୀ ସଂସ୍କରଣରେ ସୁଧାର ଅଣାଯାଇପାରେ। ଜିପିଏସ୍ ତଥା ବ୍ଲୁ ଟୁଥ୍ ଡାଟା ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ତଥା ବିଭ୍ରାନ୍ତିକର ହୋଇଥାଏ। ଉଦାହରଣ ସ୍ବରୂପ େଗାଟିଏ ଆପାର୍ଟମେଣ୍ଟର ବିଭିନ୍ନ ମହଲାରେ ରହୁଥିବା ବ୍ୟକ୍ତିମାନେ ଜିପିଏସ୍ ଦ୍ୱାରା ଏକ ସ୍ଥାନରେ ରୁଣ୍ଡ ହୋଇଥିବା ଭଳି ଜଣା ପଡ଼ିପାରେ। ଏହା ଛଡ଼ା ସରକାରଙ୍କ ଦ୍ବାରା ବା ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ଦ୍ବାରା ବ୍ୟକ୍ତିଗତ ଡାଟା ସଂଗ୍ରହର ଯୌକ୍ତିକତା ନେଇ ଆଇନଗତ ଦିଗ ରହିଛି। ଇସ୍ରାଏଲେର ଆପ୍ ଲୋକେସନ ଡାଟା ସଂଗ୍ରହ କରୁଛି। ଏହି ସଂଦର୍ଭରେ ସେ ଦେଶର ସୁପ୍ରିମ୍ କୋର୍ଟ ଏ ପ୍ରକାର ଡାଟା ସଂଗ୍ରହ ପୂର୍ବରୁ ଉପଯୁକ୍ତ ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାରେ କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ଖୋଲାଖୋଲି ପ୍ରକାଶ କରିବା ବେଆଇନ। ଭାରତରେ ‘ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍-୨୦୧୯’(ବ୍ୟକ୍ତିଗତ ତଥ୍ୟ ସୁରକ୍ଷା) ତିଆରି ହେବାକୁ ଯାଉଛି।
ତେବେ ମୋଟାମୋଟି ଆରୋଗ୍ୟ ସେତୁ ଏକ ସଫଳ କ୍ରାନ୍ତିକାରୀ ପ୍ରୟାସ। କାରୋନା ମହାମାରୀ ବିରୋଧରେ ମାନବ ଜାତିର ଯୁଦ୍ଧରେ ଏହା ଏକ ଢାଲ ସଦୃଶ କାର୍ଯ୍ୟ କରିବ।
କୁଳପତି, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ମୋ- ୮୯୭୮୨୩୫୧୭୫