ନିଜ ବାଟ

ସ˚ପ୍ରତି ଏସିଆ ଅଞ୍ଚଳର ଭୂ-ରାଜନୀତି (ଜିଓ-ପଲିଟିକ୍‌ସ)ରେ ଘଟୁଥିବା ଭୂ-ଚଳନତୁଲ୍ୟ ପରିବର୍ତ୍ତନ ପରିପ୍ରେକ୍ଷୀରେ ସଦ୍ୟ ଆୟୋଜିତ ‘ସା˚ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ ବା ‘ଏସ୍‌.ସି.ଓ.’ ଶିଖର ସମ୍ମିଳନୀ ବିଶେଷ ଗୁରୁତ୍ବ ବହନ କରିଥାଏ, ଯହିଁରେ ଯୋଗ ଦେବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ରାଜଧାନୀ ସମରକନ୍ଦ ଯାତ୍ରା କରିଛନ୍ତି। ଚଳିତ ବର୍ଷର ଶିଖର ସମ୍ମିଳନୀରେ ଆଠଟି ଯାକ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଅ˚ଶ ଗ୍ରହଣ କରିଛନ୍ତି, ଯେତେବେଳେ କି ପୂର୍ବ ସମ୍ମିଳନୀଗୁଡ଼ିକରେ ଅ˚ଶୀଦାର ଦେଶର ଦ୍ବିତୀୟ ଧାଡ଼ିର ନେତାମାନେ ପ୍ରାୟତଃ ଯୋଗ ଦେଉଥିଲେ।

କହିବା ଅନାବଶ୍ୟକ ଯେ ଏହି ସମ୍ମିଳନୀରେ ଭାରତର ଯୋଗଦାନ ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଅସ୍ବାଦୁକର ହୋଇଥିବ; କାରଣ ଦକ୍ଷିଣ ଓ ମଧ୍ୟ-ଏସୀୟ ଭୂଖଣ୍ତରେ ଆମେରିକୀୟ ପ୍ରଭାବ କ୍ଷୁଣ୍ଣ କରିବା ଲାଗି ଚୀନ ନେତୃତ୍ବରେ ଚାଲିଥିବା ଏକ ବିଧିବଦ୍ଧ ପ୍ରୟାସ ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ତାର ‘ସ୍ବାଭାବିକ ସହଯୋଗୀ’ ବା ‘ନାଚୁରାଲ ଆଲାଏ’ ବୋଲି ବିଚାର କରୁଥିବା ଭାରତକୁ ଏଭଳି ଏକ ଚୀନ ଦ୍ବାରା ସୃଷ୍ଟ ଓ ଚୀନା ପ୍ରଭାବାଧୀନ ଗୋଷ୍ଠୀର ଅ˚ଶ ରୂପେ ଦେଖିବାକୁ ଚାହିଁ ନ ଥାଏ। ଏଣେ ଅନେକ ବିଶାରଦଙ୍କ ମତରେ ଏକ ଶତ୍ରୁଭାବାପନ୍ନ ଚୀନର ଚକ୍ରାନ୍ତ ଭାରତର ପ୍ରାୟ ସମସ୍ତ ପଡ଼ୋଶୀଙ୍କ ଠାରେ ଏକ ଭାରତ-ପ୍ରତିକୂଳ ମନୋଭାବ ସୃଷ୍ଟି କରିବା ସହିତ ଭାରତକୁ ଏକ ନିଃସଙ୍ଗ ରାଷ୍ଟ୍ରରେ ପରିଣତ କରିବାର ଧାରା ଜାରି ରଖିଥିବା ବେଳେ ଏହି ସମ୍ମିଳନୀରେ ଅ˚ଶ ଗ୍ରହଣ ଭାରତ ଲାଗି ମଧୢ ଅସ୍ବସ୍ତିକର ହୋଇଥିବା ଖୁବ୍‌ ସମ୍ଭବ। କିନ୍ତୁ ବାସ୍ତବତାଟି ହେଲା ସଂପ୍ରତି ଭାରତ ତାର ଦୃଢ଼ ବୈଦେଶିକ ନୀତି ଏବ˚ ଆଭିମୁଖ୍ୟ କାରଣରୁ ଏଭଳି ପ୍ରତିକୂଳ ପରିସ୍ଥିତକୁ ଅତିକ୍ରମ କରି ନିଜ ଲାଗି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି। ଏ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

କହିବା ଅନାବଶ୍ୟକ ଯେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଭାରତ ଲାଗି ଏକ ଘୋର ଭୂ-ରାଜନୈତିକ ଦ୍ବନ୍ଦ୍ବ ଉତ୍ପନ୍ନ କରିଥିଲା, ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ସମଗ୍ର ପଶ୍ଚାତ୍ୟ ଭୂଖଣ୍ତ ଏବ˚ କେତେକ ଏସୀୟ ରାଷ୍ଟ୍ର ରୁଷିଆ ଉପରେ ଏକ ଅତ୍ୟନ୍ତ କଠୋର ଆର୍ଥିକ ବାସନ୍ଦ ବ୍ୟବସ୍ଥାର ପୃଷ୍ଠପୋଷକ ହୋଇଥିଲେ। ସେତିକି ବେଳେ ଭାରତ ଆମେରିକା ସହିତ ସ୍ବର ନ ମିଳାଇବା ଅଥବା ଜାତିସ˚ଘରେ ରୁଷିଆ ବିରୋଧରେ ଭୋଟ ଦାନ ପ୍ରକ୍ରିୟାରେ ଅନୁପସ୍ଥିତ ରହିବା ଯଦିଓ ଆମେରିକା ସମେତ ଅଧିକା˚ଶ ରାଷ୍ଟ୍ରଙ୍କୁ ଚକିତ କରିଥିଲା; ପ୍ରତିରକ୍ଷା କ୍ଷେତ୍ରରେ ରୁଷିଆ ସହିତ ଦୀର୍ଘକାଳୀନ ସହଯୋଗ ଏବ˚ ଅ˚ଶୀଦାରି ଦୃଷ୍ଟିରୁ ସହସା ଆମେରିକାର ପକ୍ଷଭୁକ୍ତ ହୋଇଯିବା ଭାରତର ସ୍ବାର୍ଥର ପରିପନ୍ଥୀ ହେବ ବୋଲି ହୃଦ୍‌ବୋଧ କରି ଭାରତ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା। କହିବା ଅନାବଶ୍ୟକ ଯେ ଏହାକୁ ଭାରତର ରଣନୈତିକ ଓ କୂଟନୈତିକ ଅପରିପକ୍ବତା ରୂପେ ତୀବ୍ର ସମାଲୋଚନା କରାଯାଇଥିଲା।

କିନ୍ତୁ ଏଭଳି ସମାଲୋଚନାର ଝଡ଼ରେ ଅବିଚଳିତ ରହିବା ସହିତ ଭାରତ ରୁଷିଆ ଠାରୁ ଶସ୍ତାରେ ଖଣିଜ ତୈଳ କ୍ରୟ କରିବାର ଚମତ୍କାର ସୁଯୋଗର ମଧୢ ସଦ୍‌ ବ୍ୟବହାର କଲା, ଯାହା ଏ ଯାବତ୍‌ ଅବ୍ୟାହତ ଅଛି। ଆର୍ଥିକ କଟକଣା ଯୋଗେ ରୁଷିଆର ଅର୍ଥନୀତିକୁ ବିଧ୍ବସ୍ତ କରିବାର ଆମେରିକୀୟ ଯୋଜନା ଏହି କାରଣରୁ ବିଫଳ ହେବାରୁ ଭାରତ ଉପରେ ଆମେରିକାର ବିରକ୍ତି ଅତ୍ୟନ୍ତ ସ୍ବାଭାବିକ ଥିଲା। କିନ୍ତୁ ତାହାର ପ୍ରତ୍ୟୁତ୍ତର ସ୍ବରୂପ ସ୍ବରୂପ ଭାରତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କପଟାଚାରକୁ ସ୍ପଷ୍ଟ କରିଥିଲା, ଯେଉଁମାନେ ଆର୍ଥିକ କଟକଣାର ଦୃଢ଼ ସମର୍ଥକ ହୋଇଥିବା ସତ୍ତ୍ବେ ରୁଷୀୟ ଗ୍ୟାସ ଉପରେ ସେମାନଙ୍କ ନିର୍ଭରଶୀଳତା ହେତୁ ତାହା କ୍ରୟ କରିବାରେ ଲାଗିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏଭଳି ଦୃଢ଼ତା ପ୍ରଦର୍ଶନ ପ୍ରା˚ଜଳ କରିଛି ଯେ ଭାରତ ହେଉଛି ଆମେରିକାର ଏକ ସମାସ୍କନ୍ଦ ସହଯୋଗୀ; ତାର ବଶମ୍ବଦ ବା ଅଧସ୍ତନ ରାଷ୍ଟ୍ର ନୁହେଁ ଏବ˚ କୌଣସି ଚାପ ତାକୁ ରାଷ୍ଟ୍ର ସ୍ବାର୍ଥ ଅନୁକୂଳ ନିଷ୍ପତ୍ତି ନେବାରୁ ବିରତ କରି ପାରିବ ନାହିଁ। ଏହା ମଧୢ ଭୁଲିଗଲେ ହେବ ନାହିଁ ଯେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପରେ ପରିବର୍ତ୍ତିତ ଭୂ-ରାଜନୀତି ଦୃଷ୍ଟିରୁ ଏସିଆରେ ଏକ ଆମେରିକା ବିରୋଧୀ ଧ୍ରୁବ ସୃଷ୍ଟି ହୋଇଥିବା କାରଣରୁ ଭାରତ ସହିତ ସ˚ପର୍କ ମଳିନ ପଡୁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କଦାପି ଚାହିଁବ ନାହିଁ। ସୁତରା˚, ଏହା ଭାରତ ଲାଗି ଏକ ‘ଵିନ୍‌ ଵିନ୍‌’ ବା ଜିଣିବାର ସ୍ଥିତି ସୃଷ୍ଟି କରି ନାହିଁ କି?

ଏବେ ଚୀନ ଓ ଭାରତ ସ˚ପର୍କରେ ଦୃଶ୍ୟମାନ ହୋଇଥିବା ଏକ ଅତର୍କିତ ପରିବର୍ତ୍ତନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ତାହା ହେଲା ଗଲା ୮ ତାରିଖରେ ଚୀନ ଦ୍ବାରା ନିୟନ୍ତ୍ରଣ ରେଖା (ଗୋଗ୍ରା ହଟ୍‌ ସ୍ପ୍ରି˚’ ଅଞ୍ଚଳ) ନିକଟରୁ ସୈନ୍ୟ ପ୍ରତ୍ୟାହାର। ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଏହି ଅଞ୍ଚଳରେ ଉଭୟ ରାଷ୍ଟ୍ରର ସେନାବାହିନୀ ‘ଡୋଳାକୁ ଡୋଳା ମିଳାଇ’ ପରସ୍ପର ଉପରେ ଏକ ଆକ୍ରମଣ-ଉଦ୍ୟତ ମୁଦ୍ରାରେ ଛିଡ଼ା ହୋଇ ରହିଥିବା ବେଳେ ହଠାତ୍‌ ଚୀନ ଦ୍ବାରା ସେନା ଅପସାରଣ ପ୍ରକ୍ରିୟାର ପ୍ରାରମ୍ଭ ସ୍ବାଭାବିକ ଭାବେ ଏକ ବିସ୍ମୟ ସୃଷ୍ଟି କରିଥିଲା।

କିନ୍ତୁ ତହିଁରେ ମଧୢ ଭାରତର ଆଭିମୁଖ୍ୟଗତ ଦୃଢ଼ତା ଏକ କାରଣ ଭାବେ ନିହିତ। ଏଠାରେ ସ୍ମରଣ କରାଯାଇପାରେ କି ନିୟନ୍ତ୍ରଣ ରେଖା ନିକଟରେ ବଳବତ୍ତର ରହିଥିବା ଉତ୍ତେଜନା କାରଣରୁ ଚଳିତ ବର୍ଷ ‘ବ୍ରିକ୍‌ସ’ ଶିଖର ସମ୍ମିଳନୀରେ ଭାରତ ଯୋଗ ଦେବାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା, ଯାହା ଏକ ସଫଳ ଆୟୋଜକ ରୂପେ ଚୀନର ଭାବମୂର୍ତ୍ତିକୁ ମଳିନ କରିଥିଲା। ଏଣେ ‘ବ୍ରିକ୍‌ସ’ ସମ୍ମିଳନୀରେ ଯୋଗ ଦେବାକୁ ବେଜି˚ ଗସ୍ତ କରି ନ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ନେତୃତ୍ବରେ ଆୟୋଜିତ ଚତୁର୍ଦେଶୀୟ ‘କ୍ବାଡ୍‌’ ସମ୍ମିଳନୀରେ ଯୋଗ ଦେବାକୁ ଟୋକିଓ ଗସ୍ତ କରିଥିଲେ। ସୁତରା˚, ‘ଏସ୍‌.ସି.ଓ.’ ସମ୍ମିଳନୀରେ ଯେମିତି ଏହାର ପୁନରାବୃତ୍ତି ନ ଘଟେ, ସେଥି ଲାଗି ଚୀନ ଦ୍ବାରା ସେନା ଅପସାରଣ କରାଯାଇଛି ବୋଲି ବିଶେଷଜ୍ଞମାନେ କହିଥାଆନ୍ତି। ୨୦୧୭ ମସିହାରେ ମଧୢ ସମାନ ସ୍ଥିତି ଦୃଷ୍ଟିଗୋଚର ହୋଇଥିଲା, ଯହିଁରେ ଚୀନର ଜିଅମେନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବ୍ରିକ୍‌ସ’ ସମ୍ମିଳନୀରେ ଭାରତ ଯୋଗ ଦେବାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବାରୁ ସେହି ସମୟରେ ଭୁଟାନର ‘ଡୋକଲାମ’ ଠାରେ ଭାରତ ସେନାଙ୍କ ସହିତ ମୁହାଁମୁହିଁ ସ୍ଥିିତିରେ ଥିବା ଚୀନ ସେନା ପଛକୁ ହଟିବାକୁ ବାଧୢ ହୋଇଥିଲେ।

ଦକ୍ଷିଣ ଓ ମଧୢ-ଏସିଆ ଭୂଖଣ୍ତରେ କ୍ରମେ ନିଷ୍ପ୍ରଭ ହୋଇ ପଡୁଥିବା ଯୁକ୍ତରାଷ୍ଟ୍ର ଆମେରିକା ଏହି ସ୍ଥିତି ହୃଦୟଙ୍ଗମ କରିବା ପରେ ସ˚ପ୍ରତି ନେପାଳ ଏବ˚ ପାକିସ୍ତାନ ଆଡ଼କୁ ସହଯୋଗର ହାତ ପ୍ରସାର କରିଛି; କିନ୍ତୁ ବିଡ଼ମ୍ବନା ହେଲା ଏହି ଦୁଇ ରାଷ୍ଟ୍ର ଚୀନର ଋଣ ବୋଝ ତଳେ ରହି ଗୋଟିଏ ଗୋଟିଏ ବନ୍ଧୁ ତଥା ବଶମ୍ବଦ ରାଷ୍ଟ୍ରରେ ପରିଣତ ହୋଇଥିବା କାରଣରୁ ଧର୍ମ ସ˚କଟର ସମ୍ମୁଖୀନ ମଧୢ ହେଲେଣି। ଚୀନ ଏବ˚ ଆମେରିକା ଭଳି ପରସ୍ପର ବିରୋଧୀ ଦୁଇ ବୃହତ୍‌ ଶକ୍ତିଙ୍କ ସଣ୍ତୁଆଶି ଚାପରେ ଏଭଳି ରାଷ୍ଟ୍ର ପେଷି ହୋଇଯିବାର ସମ୍ଭାବନା ମଧୢ ରହିଛି। ପୁନଶ୍ଚ ପରିବର୍ତ୍ତିତ ଭୂ-ରାଜନୈତିକ ଦୃଶ୍ୟପଟରେ ଏଭଳି ରାଷ୍ଟ୍ରଗୁଡ଼ିକ କେଉଁ ପକ୍ଷଭୁକ୍ତ ହେବେ, ତାହା ମଧୢ ଘୋର ସ˚ଶୟ ରୂପେ ଆବିର୍ଭୂତ ହେବ। ଏହି ପରିପ୍ରେକ୍ଷୀରେ ଭାରତ ତାର ରଣନୈତିକ ବୁଦ୍ଧି ଓ କୂଟନୈତିକ ଦୃଢ଼ତା ବଜାୟ ରଖି ଏଭଳି ଆଶଙ୍କାରୁ ନିଜକୁ ମୁକ୍ତ ରଖିଛି। ଚୀନର ସର୍ବାଧିକ ଉଚ୍ଚାଭିଳାଷୀ ପ୍ରକଳ୍ପ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’କୁ ପୃଥିବୀର ୧୪୦ଟି ରାଷ୍ଟ୍ର ଗ୍ରହଣ କରିଥିବା ବେଳେ ଭାରତ ତାକୁ ଅଗ୍ରାହ୍ୟ କରି ୨୦୧୭ ମସିହାରୁ ତାର ଚିନ୍ତନର ଐକାନ୍ତିକ ଦୃଢ଼ତା ପ୍ରକାଶ କରି ସାରିଛି, ଯାହା ବର୍ତ୍ତମାନ ସ୍ଥିତିରେ ଭାରତ ସକାଶେ ସ୍ବ-ନିର୍ବାଚିତ ମାର୍ଗରେ ଚାଲିବା ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଛି ଏବ˚ ନିଜ ବାଟରେ ଚାଲିବାର ସୁଫଳ ମଧୢ ଭାରତ ପାଉଛି।

ସମ୍ବନ୍ଧିତ ଖବର