ମୃତକଙ୍କ ମାନହାନି: ଭେରିଅର୍ ଏଲଵିନ୍ ଓ ଉତ୍ତରପୂର୍ବ ଭାରତର ସତ

ରାମଚନ୍ଦ୍ର ଗୁହା

ମଣିପୁରରେ ଗୋଷ୍ଠୀ ହିଂସା ଆରମ୍ଭ ହେବାର ଠିକ୍ ପରେ, ମେ ମାସ ପ୍ରଥମ ସପ୍ତାହରେ ମୁଁ ଗୋଟିଏ ପ୍ରସଙ୍ଗକୁ ନେଇ କିଛି ପ୍ରଶ୍ନ ପାଇଲି। ପ୍ରଶ୍ନଗୁଡ଼ିକ ଥିଲା ସାମାଜିକ ଗଣମାଧ୍ୟମରେ ହେଉଥିବା ଏକ ଦାବିକୁ ନେଇ ଯେ ନେହରୁ ଖ୍ରୀଷ୍ଟିଆନ୍ ମିସ୍‌ନାରି ଭେରିଅର୍ ଏଲଵିନ୍‌ଙ୍କ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି ଚୁକ୍ତି ଅନୁସାରେ ହିନ୍ଦୁ ସାଧୁଙ୍କ ନାଗାଲାଣ୍ଡ ପ୍ରବେଶକୁ ନିଷିଦ୍ଧ କରାଯାଇଥିଲା। ଫଳ ହେଲା: ନେହରୁଙ୍କ ଶାସନ ଅଧୀନରେ ନାଗାଲାଣ୍ଡରେ ଖ୍ରୀଷ୍ଟିଆନ୍‌ମାନେ ସଂଖ୍ୟାଗରିଷ୍ଠ ପାଲଟିଲେ। ଆଜି ନାଗାଲାଣ୍ଡର ୮୮% ଜନସଂଖ୍ୟା ହେଉଛି ଖ୍ରୀଷ୍ଟ ଧର୍ମାବଲମ୍ବୀ।
ଲୋକମାେନ ମୋତେ ଉକ୍ତ ପ୍ରଶ୍ନ ଲେଖି ପଠାଇବାର କାରଣ ହେଲା ୧୯୯୯ରେ ମୁଁ ଭେରିଅର୍ ଏଲ୍‌ଵିନ୍‌ଙ୍କର ଏକ ଜୀବନୀ ଲେଖିଥିଲି। ମୁଁ ଉତ୍ତରରେ ଲେଖି ପଠାଇଲି ଯେ ସ୍ବାଧୀନତା ପରେ ଯଦିଓ ନାଗା ବିଦ୍ରୋହ କାରଣରୁ ନାଗାଲାଣ୍ଡକୁ ‘କେନ୍ଦ୍ରୀୟ ପ୍ରଦେଶ’ର ଲୋକଙ୍କ ଅବାଧ ପ୍ରବେଶକୁ ନିରୁତ୍ସାହିତ କରାଯାଉଥିଲା, କିନ୍ତୁ ନାଗାଲାଣ୍ଡ ବା ଆଉ କୌଣସି ବିଷୟ ନେଇ ‘ନେହରୁ-ଏଲଵିନ୍‌ ଚୁକ୍ତି’ କେବେହେଲେ ସ୍ବାକ୍ଷରିତ ହୋଇ ନ ଥିଲା। ମୁଁ ସେଥିରେ ଏ କଥା ମଧ୍ୟ ଉଲ୍ଲେଖ କରିଥିଲି ଯେ ଖ୍ରୀଷ୍ଟିଆନ୍ ମିସ୍‌ନାରିମାନେ ୧୮୭୦ ଦଶକରୁ ନାଗା ପାର୍ବତ୍ୟାଞ୍ଚଳରେ ସକ୍ରିୟ ଅଛନ୍ତି, ଯେତେବେଳେ ନେହରୁ ବା ଏଲ୍‌ଵିନ୍ ଜନ୍ମ ହୋଇ ନ ଥିଲେ। ମୁଁ ଆହୁରି କହିଥିଲି ଯେ ଏଲ୍‌ଵିନ୍ ପ୍ରକୃତରେ ଆର୍‌ଏସ୍‌ଏସ୍‌ ସହିତ ଖ୍ରୀଷ୍ଟିଆନ୍ ମିସ୍‌ନାରିମାନଙ୍କୁ ମଧ୍ୟ ନାପସନ୍ଦ କରୁଥିଲେ। ସେ ଚାହୁଁଥିଲେ ଯେ ଆଦିବାସୀମାନେ ହିନ୍ଦୁ ବା ଖ୍ରୀଷ୍ଟିଆନ୍ ନ ହୋଇ ସେମାନଙ୍କ ନିଜସ୍ବ ଆସ୍ଥା ଓ ରୀତିନୀତି ପାଳନ କରନ୍ତୁ।
ହ୍ବାଟ୍‌ସଆପ୍‌ ଜରିଆରେ ପ୍ରସାରିତ ଅସତ୍ୟଗୁଡ଼ିକର ଖଣ୍ଡନ ପାଇଁ ମୁଁ ସାଧାରଣତଃ ଏହି ସ୍ତମ୍ଭକୁ ବ୍ୟବହାର କରେ ନାହିଁ- କାରଣ ସେଭଳି କରି ବସିଲେ ଆଉ କିଛି କରିବା ଲାଗି ମୋତେ ସମୟ ମିଳିବ ନାହିଁ। କିନ୍ତୁ ତିନିଟି କାରଣରୁ ମୁଁ ଏବେ ଏହି ବ୍ୟତିକ୍ରମ କରୁଛି। ପ୍ରଥମ କାରଣ ହେଲା ଅନ୍‌ଲାଇନ୍‌ ଜଗତରେ ଭେରିଅର୍ ଏଲଵିନ୍‌ଙ୍କ ସମ୍ପର୍କରେ ଅନେକ ପ୍ରକାରର ମିଛ ପ୍ରସାର କରାଯାଉଛି। ନେହରୁଙ୍କୁ ବାଧ୍ୟ କରି ସେ ଏକ ‘ଚୁକ୍ତି’ ସ୍ବାକ୍ଷର କରିଥିବା ତାଙ୍କ ସମ୍ପର୍କିତ ଏକମାତ୍ର ମିଛ ନୁହେଁ। କୁହାଯାଉଛି ଯେ ଉତ୍ତରପୂର୍ବ ଭାରତରେ ଖ୍ରୀଷ୍ଟଧର୍ମର ପ୍ରସାରରେ ଏଲ୍‌ଵିନ୍‌ଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତେଣୁ ମଣିପୁରରେ ହିନ୍ଦୁ ମୈତଇ ଓ ଖ୍ରୀଷ୍ଟିଆନ୍‌ କୁକିଙ୍କ ମଧ୍ୟରେ ବର୍ତ୍ତମାନର ସଂଘର୍ଷ ପାଇଁ ସେ ମଧ୍ୟ ଦାୟୀ।
ଦ୍ବିତୀୟ କାରଣ ହେଲା କେବଳ ହିନ୍ଦୁ ଦକ୍ଷିଣପନ୍ଥୀ ପଦାତିକମାନେ ଏଲ୍‌ଵିନ୍‌ଙ୍କ ମୃତ୍ୟୁ ପରେ ତାଙ୍କୁ ଦାନବ ଭଳି ସଜାଇବାକୁ ଚେଷ୍ଟା କରୁନାହାନ୍ତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବୀୟ ସମସ୍ତ ରାଜ୍ୟର ବିଜେପି ମୁଖପାତ୍ର ପାଲଟିଥିବା ହିମନ୍ତ ବିଶ୍ବ ଶର୍ମା ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି। ତୃତୀୟ କାରଣ ହେଲା ଚରମ ହିନ୍ଦୁତ୍ବ ଛଡ଼ା ଅନ୍ୟ ସବୁ ଆସ୍ଥା ପ୍ରତି ବିଜେପି ଶତ୍ରୁତାଭରା ମନୋଭାବ ପୋଷଣ କରୁଥିବା ବେଳେ ଏଲ୍‌ଵିନ୍ ଏତେ ଉଦାରମନା ଥିଲେ ଯେ ଆଦିବାସୀ ସଂସ୍କୃତି ପ୍ରତି ଗଭୀର ସହାନୁଭୂତି ଯୋଗୁଁ ସେ ନିଜର ଖ୍ରୀଷ୍ଟିଆନ୍ ଧର୍ମ ତ୍ୟାଗ କରିଦେଇଥିଲେ।
ଏବେ ହିମନ୍ତ ବିଶ୍ବ ଶର୍ମା ଏଲ୍‌ଵିନ୍‌ଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଆସିବା। ତା’ ପୂର୍ବରୁ ଏଲ୍‌ଵିନ୍‌ଙ୍କ ଜୀବନୀ ପଢ଼ି ନ ଥିବା ପାଠକଙ୍କ ପାଇଁ ତାଙ୍କର ଏକ ସଂକ୍ଷିପ୍ତ ପରିଚିତି ଦେବା ସମୀଚୀନ ହେବ। (‘ସାଭେଜିଙ୍ଗ ଦି ସିଭିଲାଇଜ୍‌ଡ: ଭେରିଅର୍ ଏଲ୍‌ଵିନ୍, ହିଜ୍ ଟ୍ରାଇବାଲ୍‌ସ ଆଣ୍ଡ୍ ଇଣ୍ଡିଆ’ ଶୀର୍ଷକ ସହ ଉକ୍ତ ଜୀବନୀର ଦ୍ବିତୀୟ ସଂସ୍କରଣ ୨୦୧୧ରେ ପ୍ରକାଶିତ ହୋଇଥିଲା ଯାହା ଏବେ ବି ବଜାରରେ ଉପଲବ୍‌ଧ ଅଛି।) ୧୯୦୨ରେ ଜନ୍ମିତ ଭେରିଅର୍ ଏଲ୍‌ଵିନ୍ ଅକ୍ସଫୋର୍ଡରେ ପାଠପଢ଼ା ସାରି ଖ୍ରୀଷ୍ଟଧର୍ମକୁ ଆଦିବାସୀ ଅନୁକୂଳ କରିବା ପାଇଁ ୧୯୨୭ରେ ଭାରତକୁ ଆସିଥିଲେ। ମହାତ୍ମା ଗାନ୍ଧୀ ଓ ତାଙ୍କ ଗୋଷ୍ଠୀ ଦ୍ବାରା ଅନୁପ୍ରାଣିତ ହୋଇ ସେ ଚର୍ଚ୍ଚ ଛାଡ଼ି କେନ୍ଦ୍ର ଭାରତର ଆଦିବାସୀଙ୍କ ଗହଣରେ କାମ କରିବା ଆରମ୍ଭ କଲେ। ୧୯୩୦ ଓ ୧୯୪୦ ଦଶନ୍ଧିରେ ସେ ଆଦିବାସୀ ଜୀବନ, ଲୋକକଥା ଓ କଳାକୁ ଅନ୍ବେଷଣ କରି ଧାରାବାହିକ ଭାବେ ନୃତାତ୍ତ୍ବିକ ବିବରଣୀ ରଚନା କରିଥିଲେ।
ସ୍ବାଧୀତନା ପରେ ଏଲ୍‌ଵିନ୍ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ। ୧୯୫୪ରେ ସେ ନର୍ଥ ଇଷ୍ଟ ଫ୍ରଣ୍ଟିଅର୍ ଏଜେନ୍‌ସି ବା ‘ଏନ୍‌ଇଏଫ୍‌ଏ’ (ଅରୁଣାଚଳ ପ୍ରଦେଶ ସେବେ ଏହି ନାମରେ ପରିଚିତ ଥିଲା)ର ନୃତାତ୍ତ୍ବିକ ଉପଦେଷ୍ଟା ନିଯୁକ୍ତ ହୋଇଥିଲେ। ଏହି ଅଞ୍ଚଳ ଭାରତ ଓ ଚୀନ ସୀମାରେ ଅବସ୍ଥିତ। ପ୍ରଥମେ ଏହାର ମାନଚିତ୍ର ପ୍ରସ୍ତୁତ ହୋଇ ନଥିଲା କି ସେଠାରେ ବ୍ରିଟିସ୍ ଶାସନର କୌଣସି ଉପସ୍ଥିତି ନ ଥିଲା। ସେଠାରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟ ସହିତ ପ୍ରଶାସନର ସେତୁ ସ୍ଥାପନ କରିବାରେ ଏଲ୍‌ଵିନ୍‌ଙ୍କ ନୃତତ୍ତ୍ବ ସମ୍ବନ୍ଧୀୟ ପ୍ରଗାଢ଼ ଜ୍ଞାନ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଥିଲା।
ଏ ଉପାୟ ମଧ୍ୟ ଫଳପ୍ରଦ ହୋଇଥିଲା। ଉତ୍ତରପୂର୍ବର ରାଜ୍ୟମାନଙ୍କ ମଧ୍ୟରୁ ଅରୁଣାଚଳ ପ୍ରଦେଶରେ କୌଣସି ବଡ଼ ବିଦ୍ରୋହ ଦେଖା ନ ଦେବାର କାରଣଗୁଡ଼ିକ ମଧ୍ୟରୁ ଏଲ୍‌ଵିନ୍ ଜଣେ। ତାଙ୍କ ସହକର୍ମୀମାନେ ଆଦିବାସୀଙ୍କ ଭୂମି ଓ ଜଙ୍ଗଲ ଅଧିକାର ସୁରକ୍ଷା ଦେବା, ବିଭିନ୍ନ ଆଦିବାସୀ ସଂପ୍ରଦାୟକୁ ଯୋଡ଼ିବା ଲାଗି ହିନ୍ଦୀକୁ ଏକ ଯୋଗସୂତ୍ର ସ୍ଥାପନକାରୀ ଭାଷା ରୂପେ ପ୍ରସାର କରିବା ଏବଂ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ମିସ୍‌ନାରିଙ୍କୁ ଦୂରେଇ ରଖିବା ଲାଗି ଜୋରସୋର କାର୍ଯ୍ୟ କରିଥିଲେ।
ଜବାହରଲାଲ ନେହରୁଙ୍କ ମୃତ୍ୟୁର କିଛି ମାସ ପରେ ୧୯୬୪ ଫେବ୍ରୁଆରିରେ ଭେରିଅର୍ ଏଲ୍‌ଵିନ୍ ମୃତ୍ୟୁ ବରଣ କରିଥିଲେ। ଏହାର ଛଅ ଦଶନ୍ଧି ପରେ ୨୦୨୩ ଅଗଷ୍ଟ ୧୧ରେ ଆସାମ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରୁ ପ୍ରକାଶିତ ଏକ ଖବରକାଗଜରେ ଗୋଟିଏ ଲେଖା ପ୍ରକାଶ କରିଥିଲେ। ଏଥିରେ ସେ କହିଛନ୍ତି: ‘ପଣ୍ଡିତ ନେହରୁ ଜଣେ ୟୁରୋପ ଜନ୍ମିତ ବ୍ୟକ୍ତିଙ୍କୁ ତାଙ୍କର ପ୍ରଥମ ଉତ୍ତରପୂର୍ବ ଉପଦେଷ୍ଟା ନିଯୁକ୍ତ କରିଥିଲେ। ଆସାମରେ ତେଲର ସନ୍ଧାନ ମିଳିବା ପରେ ବି ସେଠାରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ନ କରିବା ପାଇଁ ସେହି ବ୍ୟକ୍ତି ତାଙ୍କୁ ଉପଦେଶ ଦେଇଥିଲେ କି? ତାଙ୍କର ଉପଦେଶ ଯୋଗୁଁ ସେ ଗୋପୀନାଥ ବର୍ଦୋଲୋଇଙ୍କୁ ଭାରତରତ୍ନ ଦେଇ ନ ଥିଲେ କି?’
ଉକ୍ତ ଲେଖାରେ ସେ ‘ୟୁରୋପ ଜନ୍ମିତ’ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିନାହାନ୍ତି। କିଛି ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀଙ୍କ ହ୍ୟାଣ୍ଡେଲ୍‌ରୁ ଏକ ଟୁଇଟ୍‌ କରାଯାଇଥିଲା ଯାହା ଅପେକ୍ଷାକୃତ ସିଧାସଳଖ ଥିଲା। ସେଥିରେ ହିମନ୍ତ ବିଶ୍ବ ଶର୍ମା ଲେଖିଥିଲେ: ‘ପଣ୍ଡିତ ନେହରୁ ୟୁରୋପ ଜନ୍ମିତ ଭେରିଅର୍‌ ଏଲ୍‌ଵିନ୍‌ଙ୍କୁ ଉତ୍ତରପୂର୍ବ ମାମଲାରେ ସରକାରଙ୍କୁ ଉପଦେଶ ଦେବା କାର୍ଯ୍ୟରେ ନିଯୁକ୍ତ କରିଥିଲେ। ସେଠାରୁ ହିଁ କଂଗ୍ରେସ୍‌ର ବିଭ୍ରାଟ ଆରମ୍ଭ ହୋଇଥିଲା।’
ଏଠାରେ କେତେକ ଭ୍ରମ ସଂଶୋଧନର ଆବଶ୍ୟକତା ରହିଛି। ଭେରିଅର୍ ଏଲ୍‌ଵିନ୍ କେବଳ ‘ଏନ୍‌ଇଏଫ୍‌ଏ’ର ଉପଦେଷ୍ଟା ଥିଲେ; ଉତ୍ତରପୂର୍ବର ଅନ୍ୟ କୌଣସି ରାଜ୍ୟ ପ୍ରଶାସନ କାର୍ଯ୍ୟରେ ତାଙ୍କର କୌଣସି ଭୂମିକା ନ ଥିଲା। ନାଗାଲାଣ୍ଡ ନୁହେଁ କି ମଣିପୁର ନୁହେଁ। ଆସାମ ତ କଦାପି ନୁହେଁ। ଏହା ସତ୍ତ୍ବେ ଆସାମ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଭାବେ କହୁଛନ୍ତି ଯେ ଏଲ୍‌ଵିନ୍ ଆସାମରେ ତୈଳ ବିଶୋଧନାଗାର ହେବାକୁ ଦେଇ ନ ଥିଲେ, ଗୋପୀନାଥ ବର୍ଦୋଲୋଇଙ୍କୁ ଭାରତରତ୍ନରୁ ବଞ୍ଚିତ କରିଥିଲେ ଏବଂ ଉତ୍ତରପୂର୍ବର ସମସ୍ତ ବିଭ୍ରାଟର ଉତ୍ସ ଥିଲେ ଏଲ୍‌ଵିନ୍। ଏହା କହି ବିଜେପି କଂଗ୍ରେସ ଉପରେ ଆକ୍ରମଣ କରୁଛି।
ଭ୍ରମ ସଂଶୋଧନ ଯେତିକି ଜରୁରି, ପୃଷ୍ଠଭୂମି ନିରୂପଣ ତା’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ତୀବ୍ର ହିନ୍ଦୁ ଦକ୍ଷିଣପନ୍ଥୀ ଗୋଷ୍ଠୀ ପ୍ରୟୋଗ କରୁଥିବା ଏହି ହ୍ବାଟ୍‌ସଆପ୍ ତର୍କ ହେଉଛି ମୂଳତଃ ନୈରାଶବାଦ ପ୍ରସୂତ ଏବଂ ବୋଧହୁଏ ଉତ୍ତରପୂର୍ବର ଆଲୋଚନାକୁ ବର୍ତ୍ତମାନ ଠାରୁ ଅତୀତକୁ ଘୁଞ୍ଚାଇ ନେବାର ଏକ ଖଳ ଉଦ୍ୟମ। ତିନି ମାସରୁ ଅଧିକ ସମୟ ହେଲା ମଣିପୁର ଜଳୁଛି। ଜାତିଗତ ସଂଘର୍ଷର ଅନ୍ତ ଘଟିବାର କୌଣସି ଲକ୍ଷଣ ପରିଲକ୍ଷିତ ହେଉ ନାହିଁ। ଇତିମଧ୍ୟରେ ଏ ହିଂସାର ଚିନ୍ତାଜନକ ପ୍ରଭାବ ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ ଦେଖା ଦେଲାଣି।
ମଣିପୁରର ହିଂସା ଓ ଯନ୍ତ୍ରଣା ତଥା ସମଗ୍ର ଉତ୍ତରପୂର୍ବରେ ଉତ୍କଟତର ହୋଇଚାଲିଥିବା ସ୍ପର୍ଶକାତର ସ୍ଥିତି ପାଇଁ ‘ଡବଲ୍ ଇଞ୍ଜିନ୍ ସରକାର’ ସଂପୂର୍ଣ୍ଣ ରୂପେ ଦାୟୀ। କଂଗ୍ରେସ ନୁହେଁ, ବିଜେପି ଅନେକ ବର୍ଷ ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ କ୍ଷମତାରେ ଅଛି। ଯେଉଁ ତିନି ଜଣ ଏହି ରକ୍ତାକ୍ତ ସଂଘର୍ଷ ଲାଗି ସର୍ବାଧିକ ଦାୟୀ ସେମାନେ ହେଉଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ। ଉତ୍ତରପୂର୍ବରେ କ୍ଷମାତାଧୀନ ଦଳର ‘ସମସ୍ୟା ସମାଧାନକାରୀ’ ପାଲଟିଥିବା ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ଦୋଷାରୋପରୁ ବର୍ତ୍ତିପାରିବେ ନାହିଁ।
ମଣିପୁର ଦୁର୍ଦ୍ଦଶାର ଦୋଷରୁ ନିଜକୁ ଓ ନିଜ ଦଳକୁ ବଞ୍ଚାଇବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଏବେ ସୁଦୂର ଅତୀତର ମୃତ ବ୍ୟକ୍ତିମାନଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି। ଏପରି କରିବାକୁ ଯାଇ ସେ ତାଙ୍କ ମାଲିକମାନଙ୍କୁ ଅନୁକରଣ କରୁଛନ୍ତି, ଯାହା। ଅମିତ ଶାହ ଓ ନରେନ୍ଦ୍ର ମୋଦୀ ନିୟମିତ ଭାବେ ପୁରୁଣା ଘଟଣାକୁ ମନେ ପକାଇ ପ୍ରସଙ୍ଗକୁ ଗୋଳମାଳିଆ କରିଦିଅନ୍ତି। ତାଙ୍କ ସରକାର ବ୍ୟକ୍ତି ସ୍ବାଧୀନତାକୁ ଦମନ କରୁଥିବାର ପ୍ରମାଣ ଦେଖାଇଲେ ସେମାନେ ଆମକୁ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତି କାଳକୁ ନେଇଯାଆନ୍ତି। ଭାରତୀୟ ଭୂଇଁରେ ଚୀନର ବ୍ୟାପକ ଅନୁପ୍ରବେଶ ନେଇ ଅକାଟ୍ୟ ପ୍ରମାଣ ଦେଲେ ସେମାନେ ଜବାହରଲାଲ ନେହରୁ ଶାସନ ଓ ୧୯୬୨ ଯୁଦ୍ଧ ସମୟକୁ ମନେ ପକାଇଦିଅନ୍ତି।
ମୁଁ କଂଗ୍ରେସ ସଦସ୍ୟ ନୁହେଁ, ତେଣୁ ସେ ଦଳର ଅତୀତର ପ୍ରଧାନମନ୍ତ୍ରୀମାନଙ୍କ ସମ୍ପର୍କରେ ଆଲୋଚନା କରେ ନାହିଁ। କିନ୍ତୁ ମୁଁ ଭେରିଅର୍ ଏଲ୍‌ଵିନ୍‌ଙ୍କ ଜୀବନୀ ଲେଖିଛି। ତେଣୁ ତାଙ୍କର ମରଣୋତ୍ତର ମିଥ୍ୟା ରଟନା ଦେଖି ମୁଁ ଚୁପ୍ ରହିପାରିବି ନାହିଁ। ଧର୍ମାନ୍ଧତା ଓ ବିଦେଶୀ ଦ୍ବେଷ ଯୋଗୁଁ ସେମାନେ କେବେ ବୁଝିପାରିବେ ନାହିଁ ଯେ ଜଣେ ଖ୍ରୀଷ୍ଟିଆନ୍ କିପରି ନିଜର ଚର୍ଚ୍ଚ ଛାଡ଼ି ନାନା ଧର୍ମର ଏକତ୍ର ଅବସ୍ଥାନକୁ ଗ୍ରହଣ କରିପାରନ୍ତି, ବା ଜଣେ ବ୍ୟକ୍ତି ବିଦେଶରେ ଜନ୍ମ ହୋଇ ବି ଏ ଦେଶକୁ ନିଜର କରି ବିପୁଳ ଅବଦାନ ଦେଇପାରନ୍ତି। ଏଭଳି ବ୍ୟକ୍ତିଙ୍କୁ ସେମାନେ ବୁଝିବାକୁ ତ ଅକ୍ଷମ, ପ୍ରଶଂସା କରିବା ଦୂରର କଥା।
ଏହା କୁହାଯାଇପାରେ ଯେ ଭେରିଅର୍ ଏଲ୍‌ଵିନ୍‌ ନିଖୁଣ ନଥିଲେ। ସେ ନିଜ ବିଷୟକୁ ନେଇ ବେଳେ ବେଳେ ଖୁବ୍ ରୋମାଣ୍ଟିକ୍ ହୋଇଯାଉଥିଲେ। ଜଣେ ଗୋଣ୍ଡ ଆଦିବାସୀ ମହିଳାଙ୍କ ସହିତ ତାଙ୍କର ବିବାହ ବିଫଳ ହେବା ଲାଗି ସେ ଅଧିକ ଦାୟୀ। (ଆଉ ଜଣେ ଆଦିବାସୀଙ୍କ ସହିତ ତାଙ୍କର ଦ୍ବିତୀୟ ବିବାହ ଅଧିକ ସଫଳ ହୋଇଥିଲା।) ଏହା ସତ୍ତ୍ବେ ଏଲ୍‌ୱିନ୍‌ଙ୍କ କାର୍ଯ୍ୟ ଓ ବୁନିଆଦ ଆଜି ବି ଗୁରୁତ୍ବ ହରାଇ ନାହିଁ। କେନ୍ଦ୍ର ଭାରତର ଆଦିବାସୀ ଜୀବନ ଉପରେ ତାଙ୍କର ଅଧ୍ୟୟନମାନ ଯେତିକି ସୁନ୍ଦର ଶୈଳୀରେ ରଚିତ ସେତିକି ସଂବେଦନଶୀଳ ଦୃଷ୍ଟିଭଙ୍ଗୀରେ ପରିପୂର୍ଣ୍ଣ। ତାଙ୍କର ‘ଏ ଫିଲୋସଫି ଫର୍ ଏନ୍‌ଇଏଫ୍‌ଏ’ ଶୀର୍ଷକ ପୁସ୍ତକଟି କାରଣରୁ ଆଜି ଆଦିବାସୀମାନେ ସେମାନଙ୍କ ଭୂମି ଓ ଜଙ୍ଗଲରୁ ବିତାଡ଼ିତ ନ ହୋଇ ବା ନିଜ ସଂସ୍କୃତିକୁ ନେଇ ଲଜ୍ଜା ଅନୁଭବ ନ କରି ଜୀବନରେ ଉନ୍ନତି ସାଧନ କରିବାର ପଥ ପାଇଛନ୍ତି।
ହ୍ବାଟ୍‌ସଆପ୍‌ ଫରଵାର୍ଡ‌୍ ସମେତ ବହି ପଢ଼ିବା ଲାଗି ଯାହାଙ୍କ ପାଖରେ ସମୟ ଅଛି ସେମାନେ ମୁଁ ଲେଖିଥିବା ଏଲ୍‌ଵିନ୍‌ଙ୍କ ଜୀବନୀ ଅଥବା ଏଲ୍‌ଵିନ୍‌ଙ୍କ ନିଜସ୍ବ କୃତିଗୁଡ଼ିକୁ ପଢ଼ିଲେ ଭାରତ ପ୍ରତି ଜଣେ ବିଦ୍ବାନ୍ ଓ ସରକାରୀ ଚାକିରିଆଙ୍କର ପ୍ରଗାଢ଼ ପ୍ରତିବଦ୍ଧତା ସମ୍ପର୍କରେ ଅଧିକ ଜାଣିପାରିବେ, ଯାହାଙ୍କୁ ହିନ୍ଦୁ ଦକ୍ଷିଣପନ୍ଥୀମାନେ ମିଛରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏହି ସ୍ତମ୍ଭକୁ ଏଲ୍‌ଵିନ୍‌ଙ୍କ ସମ୍ପର୍କରେ ପ୍ରଦତ୍ତ ତିନିଟି ଟିପ୍ପଣୀ ସହିତ ଶେଷ କରିବି ଯେଉଁଗୁଡ଼ିକୁ ତାଙ୍କର ସମସାମୟିକ ତଥା ସ୍ବଦେଶୀ ଲୋକମାନେ ପ୍ରଦାନ କରିଛନ୍ତି। ବରିଷ୍ଠ ନୃତତ୍ତ୍ବବିତ୍ ଏସ୍‌. ସି. ଦୁବେ ଲେଖିଥିଲେ ଯେ ଏଲ୍‌ଵିନ୍ କେବଳ ଜଣେ ଶୁଷ୍କ ଟେକ୍‌ନିସିଆନ୍ ନ ଥିଲେ; ସେ ଥିଲେ ଜଣେ କବି, ଚିତ୍ରକର ଓ ଦାର୍ଶନିକ ଯିଏ ତାଙ୍କର ନିଜସ୍ବ ଉଦ୍ୟମରେ ଦେଶର ଅଧିକାଂଶ ବିଶାଳ ତଥା ବ୍ୟୟବହୁଳ ଗବେଷଣା ସଂସ୍ଥା ଠାରୁ ଅଧିକ ସଂଖ୍ୟକ ଓ ଅଧିକ ଗୁଣାତ୍ମକ ରଚନା ସୃଷ୍ଟି କରିଥିଲେ। ଏଲ୍‌ଵିନ୍‌ଙ୍କ ମୃତ୍ୟୁ ପରେ ‘ଅମୃତ ବଜାର ପତ୍ରିକା’ରେ ପ୍ରକାଶିତ ଏକ ସମ୍ପାଦକୀୟରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ କେବଳ ତା’ର ସବୁଠାରୁ ପ୍ରଖ୍ୟାତ ନୃତତ୍ତ୍ବବିତ୍‌ଙ୍କୁ ହରାଇ ନାହିଁ, ବରଂ ଆଉ ଜଣେ – ବୋଧହୁଏ ଶେଷ – ଉଦାରମନସ୍କ ଇଂରେଜଙ୍କୁ ହରାଇଛି ଯିଏ ଏହି ଦେଶକୁ ନିଜ ଘର ଭାବେ ଗ୍ରହଣ କରିଥିଲେ ଏବଂ ଏଠାକାର ଲୋକମାନଙ୍କର ସହିତ ଏକାକାର ହୋଇଯାଇଥିଲେ। କଲିକତାର ଉକ୍ତ ସମ୍ପାଦପତ୍ରର ସେହି ସଂଖ୍ୟାରେ ପ୍ରସିଦ୍ଧ ବଙ୍ଗଳା ନାଟକ କମ୍ପାନି ‘ଦି ଲିଟିଲ୍ ଥିଏଟର୍‌ ଗ୍ରୁପ୍‌’ର କର୍ମଚାରୀମାନଙ୍କର ଏକ କ୍ଷୁଦ୍ର ବିଜ୍ଞାପନ ପତ୍ର ଥିଲା ଯେଉଁଥିରେ ଲେଖା ହୋଇଥିଲା:
ଜଣେ ଶ୍ରେଷ୍ଠତମ ଭାରତୀୟ
ଡକ୍ଟର ଭେରିଅର୍ ଏଲ୍‌ଵିନ୍‌ଙ୍କ ସ୍ମୃତିରେ।
[email protected]

ସମ୍ବନ୍ଧିତ ଖବର