ନାବାଳିକା ଦୁଷ୍କର୍ମ ମାମଲା: ଗର୍ଭବତୀ ଥିଲା ଝିଅ, ବେଆଇନ ଗର୍ଭପାତ କରାଇଥିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ଼: ଧରୁଆଡିହି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ୨୭ ତାରିଖରେ ଅଭିଯୁକ୍ତ ଲେଫ୍ରିପଡ଼ା ଥାନା ବଡ଼ଗାଁମାଲ ଡମପଡ଼ାର କୁନୁ କିସାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ମାମଲା ସହ ଜଡ଼ିତ ଆଉ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ପୀଡ଼ିତା ଗର୍ଭବତୀ ହେବା ପରେ ଗୋପନରେ ଜଣେ ଆୟୁଷ ଡାକ୍ତର ବେଆଇନ ଭାବେ ଔଷଧ ଦେଇ ଗର୍ଭପାତ କରାଇଥିଲେ। କିନ୍ତୁ ଗର୍ଭ ଓ ଗର୍ଭପାତ ସମ୍ପର୍କରେ ପୀଡ଼ିତାଙ୍କ ମା’ କି ଅଭିଭାବକଙ୍କୁ କୌଣସି ସୂଚନା ଦେଇ ନଥିଲେ। ଔଷଧ ଖାଇବା ପରେ ଝିଅର ରକ୍ତସ୍ରାବ ବନ୍ଦ ନହେବା ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କ ମା’ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଏହା ପରେ ଝିଅର ଗର୍ଭ ଓ ଗର୍ଭପାତ ସମ୍ପର୍କରେ ମା’ ଜାଣିବାକୁ ପାଇଥିଲେ।

ଏ ନେଇ ଝିଅର ମା’ ଗତ ୨୬ ତାରିଖରେ ଧରୁଆଡିହି ଥାନାରେ ଲିଖିତ ଅଭିଯୋଗ ଦେଇ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ତାଙ୍କ ଝିଅ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ମାମୁ ଘରେ ରହି ପାଠ ପଢ଼ୁଥିଲେ। ଏହି ସମୟରେ କୁନୁ କିସାନ ନାବାଳିକାକୁ ଭୁଲାଇ ଦୁଷ୍କର୍ମ କରିଥିଲା। ଗାଁକୁ ଆସିବା ପରେ ଝିଅ ଅସୁସ୍ଥ ହେବାରୁ ଗତ ଜୁଲାଇ ୪ ତାରିଖରେ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ମା’କୁ ବାହାରେ ବସିବାକୁ କହି ଝିଅକୁ ଭିତରକୁ ନେଇ କିଛି ଔଷଧ ଦେଇଥିଲେ। ଝିଅ ଗର୍ଭବତୀ ଥିବା ସମ୍ପର୍କରେ ମା’ଙ୍କୁ କିଛି ସୂଚନା ଦେଇ ନଥିଲେ ଡାକ୍ତର। ଝିଅ ଔଷଧ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲା ଓ ରକ୍ତସ୍ରାବ ବନ୍ଦ ହେଲା ନାହିଁ।

ଶେଷକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ପରେ ଝିଅର ଗର୍ଭବତୀ ଥିଲା ଓ ତାର ଗର୍ଭପାତ କରାଯାଇଥିବା ଜାଣିବାକୁ ପାଇଥିଲେ। ସରକାରୀ ଡାକ୍ତରଖାନାରେ ଜଣେ ଆୟୁଷ ଡାକ୍ତର ଅଭିଭାବକଙ୍କୁ ନଜଣାଇ ଏଲୋପ୍ୟାଥିକ ଔଷଧରେ ଗର୍ଭପାତ କରି ଝିଅର ଜୀବନକୁ ବିପଦରେ ପକାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର