ପାଣିରେ ପଡ଼ିଲା ୧୭ କୋଟିର ପ୍ରକଳ୍ପ!ଅଧା କାମ କରି ଛାଡିଦେଲା ଠିକାଦାର 

 

ରାଉରକେଲା: ହକି ବିଶ୍ବକପ୍‌ ବେ‌ଳେ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ପାଣି ବୋହିଲା ପରି ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା। ତେବେ ଦିନ କେଇଟା ନଜାଉଣୁ ତରବରିଆ ଓ ନିମ୍ନମାନର କାମ ଯୋଗୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାମର ମାନ ପଦାକୁ ଆସୁଛି। ହକି ବିଶ୍ବକପ୍‌ ପାଇଁ ଓଟିଡ଼ିସି ଦ୍ବାରା ପରିଚାଳିତ ରାଉରକେଲା ପାନ୍ଥନିବାସର ପୁନୁରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମରେ ପାଖାପାଖି ୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଠିକାସଂସ୍ଥାର ନିମ୍ନମାନର କାମ କାରଣରୁ ଉଦ୍‌ଘାଟନର ୧୭ ସପ୍ତାହ ପରେ ଗଳିଲା ବର୍ଷା ପାଣି।

ବ୍ୟବହାର ଉପଯୋଗୀ ନ ହେବାରୁ ଗତ ଜୁନ୍‌ ୨୦ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ପ୍ରାୟ ୨ ମାସ ଧରି ବନ୍ଦ ପଡ଼ିଲା। ପ୍ରଶାସନର ତାଗିଦ ପରେ ଠିକା ସଂସ୍ଥା ମରାମତି କାମ ଆରମ୍ଭ କଲେ। ୫/୬ ଦିନ କାମ କରିବା ପରେ ଏବେ ଠିକାଦାରଙ୍କ ଦେଖାଦର୍ଶନ ମିଳୁନି। ମାତ୍ର ୨୦% ମରାମତି କାମ ଛାଡି ଚାଲିଯାଇଛି। ପାନ୍ଥନିବାସର ପରିଚାଳକ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁନି। ପ୍ରାୟ ଅଢ଼େଇ ମାସ ଧରି ପାନ୍ଥନିବାସର ଗୋଟିଏ ପାର୍ଶ୍ବର ବନ୍ଦ ରହିଥିବାରୁ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଲା। ଅନ୍ୟପଟେ ପାନ୍ଥନିବାସର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ କରିଥିବା ଠିକାସଂସ୍ଥାକୁ ରାଉରକେଲା ବିମାନବନ୍ଦର ପାର୍ଶ୍ବ ହକି ଷ୍ଟାଚ୍ୟୁର ନିର୍ମାଣ କାମ ବି ଦିଆଯାଇଥିଲା। ସେଠି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଥିଲା। ସାମାନ୍ୟ ପବନରେ ଷ୍ଟାଚ୍ୟୁ ଭାଙ୍ଗିଗଲା।

ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଦୁର୍ନୀତି ‌ଲୁଚାଇବାକୁ ଷ୍ଟାଚ୍ୟୁକୁ ପ୍ରାୟ ମାସେରୁ ଅଧିକ ଦିନ ଘୋଡାଇ ରଖିଲେ। ପରେ ରାଉରକେଲା ମହାନଗରନ ନିଗମ (ଆର୍‌ଏମ୍‌ସି) ଖଣ୍ଡ ଖଣ୍ଡ କରି ନେଇଗଲା। ଦୁଇ ଦୁଇଟି ପ୍ରକଳ୍ପ ନିମ୍ନମାନର ହୋଇଥିବା ସତ୍ବେ ଏଯାଏଁ ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ୍‌ ସହ ପାନ୍ଥନିବାସକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ୫ଟି ସଚିବ ଭି.କେ. ପାଣ୍ଡିୟାନ, ଓଟିଡ଼ିସିର ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗତ ୧୧ ତାରିଖରେ ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ ଭାଙ୍ଗିଯାଇଥିଲା। ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି। ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଥିଲା। ହକି ପରେ ସ୍ମାର୍ଟସିଟି ଓ ବିଭିନ୍ନ ପାଣ୍ଠିରୁ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ‌ହୋଇଥିବା ବିଭିନ୍ନ ବିକାଶମୂଳକ ଲୋକଙ୍କ କାମରେ ଆସୁନି।

ସମ୍ବନ୍ଧିତ ଖବର