‘ଫାରିସି’ ନ୍ୟାୟ

ବାଇବ୍‌ଲର ବର୍ଣ୍ଣନା ଅନୁସାରେ ଯୀଶୁଙ୍କୁ ଅକଳରେ ପକାଇବା ଉଦ୍ଦେଶ୍ୟରେ ଦଳେ ‘ଫାରିସି’ (ରକ୍ଷଣଶୀଳ ଇହୁଦୀ ଧର୍ମଗୁରୁ) ଜଣେ ମହିଳାଙ୍କୁ ଦୋଚାରୁଣୀ ରୂପେ ଅଭିଯୁକ୍ତ କରି ଯୀଶୁଙ୍କ ସମ୍ମୁଖରେ ହାଜର କରାଇ ଏପରି ଏକ ଯୁକ୍ତି ଉପସ୍ଥାପିତ କଲେ ଯେପରି ଯୀଶୁ ଯାହା ନିଷ୍ପତ୍ତି ନେଲେ ବି ତାଙ୍କର ସୁନାମ ନଷ୍ଟ ହେବ। ସେ କାଳରେ ପ୍ରଚଳିତ ମୋଜେସ୍‌ ପ୍ରଦତ୍ତ ନ୍ୟାୟବିଧି ଅନୁସାରେ ପରକୀୟା ପ୍ରୀତିର ଦଣ୍ତ ଥିଲା ଦୋଷୀ ଉପରେ ଟେକା ମାଡ଼ କରିବା (ଇସଲାମର ସାରିଆ ଆଇନ ଅନ୍ତର୍ଗତ ଦଣ୍ତବିଧି ପରି)। ସେମାନେ ଅଭିଯୁକ୍ତ ମହିଳାଙ୍କର ବିଚାର କରିବା ପାଇଁ ଯୀଶୁଙ୍କୁ ଆହ୍ବାନ ଦେଲେ। ସେମାନେ ଭାବିଥିଲେ ଯୀଶୁ ଯଦି ମହିଳାଙ୍କ ଉପରେ ପଥର ମାଡ଼ ପାଇଁ ଆଦେଶ ଦିଅନ୍ତି, ତେବେ ସେ ନିଜେ ପ୍ରଚାର କରୁଥିବା ଦୟା, କ୍ଷମା ଆଦି ନୀତିର ଉଲ୍ଲ˚ଘନ କରିବେ; ଆଉ ଯଦି ସେ ଅଭିଯୁକ୍ତାଙ୍କୁ ଦଣ୍ତ ନଦେଇ କ୍ଷମା କରି ଦିଅନ୍ତି, ତା’ହେଲେ ସେ ମୋଜେସ୍‌ ପ୍ରଦତ୍ତ ଆଇନ୍‌ର ଅବମାନନା କରିବେ।

ଯୀଶୁ କିନ୍ତୁ ସେମାନଙ୍କୁ ହତବାକ୍‌ କରିଦେଇ ଯେଉଁ ରାୟ ଦେଲେ, ତାହା ହେଲା: ‘‘ତୁମମାନଙ୍କ ମଧୢରୁ ଯିଏ କେବେହେଲେ କିଛି ପାପ କରିନାହିଁ, ସେ ପ୍ରଥମ ଟେକାଟି ମହିଳାଙ୍କ ଉପରକୁ ପକାଉ।’’ ଯୀଶୁଙ୍କର ଏହି ଉକ୍ତି ‘ଫାରିସି’ମାନଙ୍କର ନିଜ ନିଜର ବିବେକକୁ ଏପରି ଦ˚ଶନ କଲା ଯେ ସେମାନେ ସମସ୍ତେ ଚୁପ୍‌ଚାପ ସେଠାରୁ ପଳାଇ ଗଲେ। ଏବେ ସରକାରଙ୍କର କୃଷି ସ˚ସ୍କାର ଆଇନ ବିରୋଧରେ ପଞ୍ଜାବ, ହରିଆନାର କେତେକ ଗୋଷ୍ଠୀ ଚଳାଇଥିବା ଆନ୍ଦୋଳନକୁ କ˚ଗ୍ରେସ ଦଳ ପ୍ରଦାନ କରୁଥିବା ସମର୍ଥନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡ୍‌ଡା କ˚ଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ପୁରୁଣା ଲୋକସଭା ଭାଷଣର ଭିଡିଓ ପ୍ରସାର ଯଦି ତତ୍‌କ୍ଷଣାତ୍‌ କେଉଁ ଏକ ତୁଳନା ମନକୁ ଆଣୁଥାଏ, ତାହା ହେଉଛି ବାଇବ୍‌ଲ ବର୍ଣ୍ଣିତ ଫାରିସିମାନଙ୍କ ସମ୍ପର୍କିତ ଏଇ ଘଟଣା।

କାରଣ ନଡ୍‌ଡାଙ୍କର ରାହୁଲ ଗାନ୍ଧୀଙ୍କ ଉପରେ ଏଇ ତୀର୍ଯକ ଆକ୍ରମଣର ସାମାନ୍ୟ ପୂର୍ବରୁ ତାଙ୍କ ଦଳର ନେତା ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବର୍ଗତ ଅରୁଣ ଜେଟ୍‌ଲି ଏକ ଆନ୍ତର୍ଜାତିକ ଦରବାରରେ ଯେଉଁ ଅଭିଯୋଗର ସମ୍ମୁଖୀନ ହୋଇଥିଲେ, ତାହା ରାହୁଲ ଗାନ୍ଧୀଙ୍କ ଅପରାଧ ସହିତ ଠିକ୍‌ ସେଇଭଳି ମେଳ ଖାଇ ଯାଉଥିଲା, ଯେମିତି ଯୀଶୁଙ୍କ ସମ୍ମୁଖରେ ଦଣ୍ତାୟମାନା ଅଭିଯୁକ୍ତାଙ୍କ ପାପ ସହିତ ‘ଫାରିସି’ମାନଙ୍କର ଗୋପନ ପାପ ସବୁ ମେଳ ଖାଇ ଯାଇଥିଲା। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଉତ୍ତର ପ୍ରଦେଶର ଆଳୁଚାଷୀମାନଙ୍କର ଦୁର୍ଦଶାର କାରଣ ପ୍ରଚଳିତ ଆଇନ ଯୋଗୁଁ ଆଳୁଚାଷୀମାନେ ସିଧାସଳଖ ଆଳୁ ଚିପ୍‌ସ ପ୍ରସ୍ତୁତ କରୁଥିବା କାରଖାନାମାନଙ୍କୁ ନିଜର ଉତ୍ପନ୍ନ ଆଳୁକୁ ବିକ୍ରି କରିବାର ଅକ୍ଷମତା ବୋଲି ସ˚ସଦରେ ରାହୁଲ ଗାନ୍ଧୀ ନିଜର ଭାଷଣରେ ଜୋର‌୍‌ ଦେଇ କହୁଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ସ˚ସ୍କାର କୃଷକମାନଙ୍କୁ ଠିକ୍‌ ଏହି କ୍ଷମତା ପ୍ରଦାନ କରୁଥିଲେ ହେଁ ରାହୁଲ ଗାନ୍ଧୀ ଓ କ˚ଗ୍ରେସ୍‌ ଏହାର ତୀବ୍ର ବିରୋଧ କରିବା ତେଣୁ ଏମାନଙ୍କର ଶଠତାର ପରିଚୟ ଦିଏ ବୋଲି ପ୍ରମାଣିତ କରିବା ହେଉଛି ନଡ୍‌ଡାଙ୍କର ଭିଡିଓ ପ୍ରସାରର ଉଦ୍ଦେଶ୍ୟ।

କଳ୍ପନା କରାଯାଉ ନଡ୍‌ଡା ଏହି ଭିଡିଓ ନେଇ ନ୍ୟାୟ ପ୍ରଦାନ ପାଇଁ ଯୀଶୁଙ୍କ ନିକଟରେ ରାହୁଲଙ୍କ ବିରୋଧରେ ଫେରାଦ୍‌ ହୁଅନ୍ତେ। ଏଥିରେ ସନ୍ଦେହ ନାହିଁ ଯେ ଯୀଶୁ ତତ୍‌କ୍ଷଣାତ୍‌ ନଡ୍‌ଡାଙ୍କ ଦୃଷ୍ଟି ହଲାଣ୍ତ୍‌ର ରାଜଧାନୀ ‘ଦି ହେଗ୍‌’ଠାରେ ଘଟିଥିବା ଏକ ସଦ୍ୟ ଘଟଣା ପ୍ରତି ଆକର୍ଷିତ କରନ୍ତେ, ଯାହା ସେ ‘ଫାରିସି’ମାନଙ୍କୁ ପଚାରିଥିବା ପ୍ରଶ୍ନ ସଦୃଶ। ସେଠାରେ ଅବସ୍ଥିତ ‘ସ୍ଥାୟୀ ଆର୍ବିଟ୍ରେସନ୍‌ କୋର୍ଟ’ ବ୍ରିଟିସ୍‌ କମ୍ପାନି ‘କେଆର୍ନ ଏନର୍ଜି’ ଏବ˚ ଭାରତ ସରକାରଙ୍କ ମଧୢରେ ଏକ ଟିକସ ଆଦାୟ ବିବାଦର ବିଚାର କରି ‘କେଆର୍ନ ଏନର୍ଜି’ ସପକ୍ଷରେ ଯେଉଁ ସୁଦୀର୍ଘ ୫୮୨ ପୃଷ୍ଠା ବ୍ୟାପୀ ରାୟ ପ୍ରଦାନ କରିଛନ୍ତି, ସେଥିରେ ଅନ୍ୟାନ୍ୟ କାରଣ ସହିତ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାଜପା ନେତା ଅରୁଣ ଜେଟ୍‌ଲି ତାଙ୍କ ଦଳ କ୍ଷମତାକୁ ଆସିଲେ କିପରି କ˚ଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାର ପିଛିଲା ତାରିଖରୁ ଟିକସ ଆଦାୟ କରିବାକୁ ପ୍ରଣୟନ କରିଥିବା ‘ରେଟ୍ରୋସ୍ପେକ୍‌ଟିଭ୍‌ ଟ୍ୟାକ୍ସେସନ’ ଆଇନ ପ୍ରୟୋଗ କରି କୌଣସି କାର୍ଯ୍ୟାନୁଷ୍ଠାନ କରିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଘୋଷଣା କରିଥିଲେ ବୋଲି ଦର୍ଶାଇଛନ୍ତି।

ରାହୁଲ ଗାନ୍ଧୀ ନିଜର ପୂର୍ବ ବକ୍ତବ୍ୟର ବିପରୀତାଚରଣ ପ୍ରଦର୍ଶନ କରି ବର୍ତ୍ତମାନ ମୋଦୀ ସରକାରଙ୍କର କୃଷି ସ˚ସ୍କାର ଆଇନ ସବୁକୁ ବିରୋଧ କଲା ଭଳି ମୋଦୀ ସରକାର ସେ ସମୟରେ ତାଙ୍କ ଦଳ ଦେଇଥିବା ପ୍ରତିଶ୍ରୁତିର ନଗ୍ନ ଉଲ୍ଲ˚ଘନ କରି କ˚ଗ୍ରେସ ସରକାରର ପଦାଙ୍କରେ ଯାଇ ‘କେଆର୍ନ ଏନର୍ଜି’ ବା ‘ଭୋଡ଼ାଫୋନ୍‌’ ଭଳି କମ୍ପାନିମାନଙ୍କ ଠାରୁ ତତ୍‌କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଉଦ୍ଭାବନ କରିଥିବା ସମ୍ପୂର୍ଣ୍ଣ ଅନୈତିକ କୌଶଳ ‘ରେଟ୍ରୋସ୍ପେକ୍‌ଟିଭ୍‌ ଟ୍ୟାକ୍‌ସ’ ପ୍ରୟୋଗ କରି ଏହି ବିଦେଶୀ କମ୍ପାନିମାନଙ୍କ ଠାରୁ ବିପୁଳ ଟିକସ ଆଦାୟ କରିବା ଉଦ୍ୟମ ଅବ୍ୟାହତ ରଖିଛି। କଟା ଘା’ରେ ଲୁଣ ଛିଟା ଭଳି ଟ୍ରିବ୍ୟୁନାଲ୍‌ର ଯେଉଁ ତିନିଜଣିଆ ବେଞ୍ଚ୍‌ ଉପରୋକ୍ତ ସର୍ବସମ୍ମତ ରାୟ ପ୍ରଦାନ କରିଛି, ସେଥିମଧୢରୁ ଜଣେ ସଦସ୍ୟ ଖୋଦ୍‌ ଭାରତ ସରକାରଙ୍କ ଦ୍ବାରା ମନୋନୀତ ହୋଇଥିଲେ। ଏହି ରାୟ ଦେଇ ଟ୍ରିବ୍ୟୁନାଲ୍‌ ଭାରତ ସରକାର ‘କେଆର୍ନ ଏନର୍ଜି’ ଉପରେ ଜାରି କରିଥିବା ୧୦,୨୪୭ କୋଟି ଟଙ୍କାର ଟିକସ ପୈଠ ଦାବିକୁ ଖାରଜ କରିବା ସହିତ କ୍ଷତିପୂରଣ ବାବଦରେ ‘କେଆର୍ନ ଏନର୍ଜି’କୁ ୮,୦୦୦ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଯାହା ସୁବିଦିତ, ସୁପ୍ରିମ୍‌ କୋର୍ଟ ‘ଭୋଡ଼ାଫୋନ୍‌’ ସପକ୍ଷରେ ରାୟ ଦେବା ପରେ ଏକ ସମ୍ପୂର୍ଣ୍ଣ ଅନୈତିକ ଓ ଅଭାବିତ ପଦକ୍ଷେପ ନେଇ ସେ ରାୟକୁ ଅକାମି କରିବା ପାଇଁ ତତ୍‌କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ବରେ ୨୦୧୨ରେ ପାର୍ଲିଆମେଣ୍ଟ ସମ୍ପୃକ୍ତ ଆଇନ୍‌ରେ ସ˚ଶୋଧନ କରି ତାହାକୁ ପିଛିଲା ତାରିଖ ୧୯୬୨ରୁ ବଳବତ୍ତର କରି ଦେଲା। ଏକ କୁଟିଳ ତୃପ୍ତି ଲାଭ କଲା ପରି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ତାଙ୍କର ସଦ୍ୟ ପ୍ରକାଶିତ ବିବଦମାନ ଆତ୍ମଜୀବନୀରେ ଉଲ୍ଲେଖ କରିଥିବା ଦେଖାଯାଇଛି ଯେ ସେତେବେଳେ ‘ମତେ’ ସମାଲୋଚନା କରାଯାଇଥିଲେ ମଧୢ ପାଞ୍ଚ ବର୍ଷ ବିତିଯିବା ପରେ ମଧୢ ଉଭୟ ‘ମୋ’ ଦଳ ଭିତରେ ଏବ˚ ବାହାରେ ସେଇ ଆଇନ ସ˚ଶୋଧନକୁ ସମସ୍ତେ ସମର୍ଥନ କରିବା ଏବ˚ ପ୍ରତ୍ୟେକ ଅର୍ଥମନ୍ତ୍ରୀ ତାହାକୁ ବଳବତ୍ତର ରଖିବା ଦେଖାଯାଇଛି। ଏଥିରେ ତେଣୁ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ମୋଦୀ ସରକାର ହିଁ ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ଭୂଷିତ କରିଥିଲା। ଏଇ ଭୂଷଣ ସିନା ପ୍ରଣବ ମୁଖାର୍ଜୀଙ୍କ ନିଜର ମର୍ଯ୍ୟାଦାରେ ବୃଦ୍ଧି ଘଟାଇଥିଲା, କିନ୍ତୁ ତାଙ୍କର ସେଇ ଗୋଟିଏ ପଦକ୍ଷେପ ଆନ୍ତର୍ଜାତିକ ନିବେଶକ ଓ ବ୍ୟବସାୟ ମହଲରେ ଭାରତର ବିଶ୍ବସନୀୟତା ପ୍ରତି ଯେଉଁଭଳି ଆଘାତ ପହଞ୍ଚାଇଥିଲା ତାହା ସେହିପରି ଅପୂରଣ ହୋଇ ରହିଛି।

ମୋଦୀ ସରକାର ଗୋଟିଏ ପଟେ ଭାରତକୁ ବିଦେଶୀ ପୁଞ୍ଜି ନିବେଶକମାନଙ୍କୁ ଆକର୍ଷିତ କରିବା ପାଇଁ ଦିନରାତି ଆହ୍ବାନ ଦେଇ ଚାଲିଥିବା ବେଳେ ଏଠାରେ ଆଇନର ଶାସନର ଦୁର୍ବଳତାକୁ ‘ଭୋଡ଼ାଫୋନ୍‌’ ଓ ‘କେଆର୍ନ’ ମାମଲାଦ୍ବୟ ଯେଉଁଭଳି ପଦାରେ ପକାଇଥାଏ, ସେଥିରେ କୌଣସି ଉନ୍ନତି ଘଟାଇବା ପରିବର୍ତ୍ତେ, ଯେଉଁ ଭଳି ସେମାନଙ୍କ ପିଛା ପଡ଼ିଛି ତାହା ଭାରତରେ ବ୍ୟବସାୟ କରିବାର ନିରାପତ୍ତା ନେଇ ବିଦେଶୀ ନିବେଶକମାନଙ୍କ ମନରେ ଘୋର ସ˚ଶୟ ସୃଷ୍ଟି କରିଥାଏ। ସୂଚାଇବା ଅନାବଶ୍ୟକ, ଏଥିପୂର୍ବରୁ ‘ଦି ହେଗ୍‌’ ସ୍ଥିତ ସେଇ ଟ୍ରିବ୍ୟୁନାଲରେ ଭାରତ ସରକାର ଭୋଡ଼ାଫୋନ ମାମଲାରେ ମଧୢ ପରାଜିତ ହୋଇଛନ୍ତି। ସୂଚନା ଅନୁସାରେ ମୋଦୀ ସରକାର ନିଜର ଆଚରଣରେ ପରିବର୍ତ୍ତନ ଆଣି ଟ୍ରିବ୍ୟୁନାଲ୍‌ଙ୍କ ଆଦେଶ ମାନି ନେଇ ପ୍ରଣବଙ୍କ କୁକର୍ମରେ ସ˚ଶୋଧନ ଆଣିବା ପରିବର୍ତ୍ତେ ଏ ଦୁଇ ରାୟ ବିରୋଧରେ ଅପିଲ୍‌ କରିବା ପାଇଁ ସିଙ୍ଗାପୁରସ୍ଥିତ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହେବାକୁ ଚିନ୍ତା କରୁଛି। ଏହି ପରିପ୍ରେକ୍ଷୀରେ ସେମାନେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ‘ଫାରିସି’ମାନେ ନ୍ୟାୟ ପାଇଁ ଯୀଶୁଙ୍କ ଦ୍ବାରସ୍ଥ ହେବା ପରି ନୁହେଁ କି?

ସମ୍ବନ୍ଧିତ ଖବର