ଏକ ‌କଥୋପକଥନ

କଥାଟିଏ-ଯାଯାବର

ଜଣେ ଦରିଦ୍ର ଶଯ୍ୟଶାୟୀ ରୋଗୀ ଡାକ୍ତରଙ୍କୁ କହିଲା- ଆଜ୍ଞା, ଆପଣ ଦିନ ରାତି ଭୁଲି ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ପଛରେ ପକାଇ କାହିଁକି ରୋଗୀ ସେବା କରୁଛନ୍ତି। ତାହା ପୁଣି ଦରିଦ୍ର ରୋଗୀଙ୍କର ସେବା, ଯେଉଁମାନଙ୍କ ଠାରୁ କିଛି ମିଳିବାର ନ ଥାଏ।
ଡାକ୍ତର ହସିଲେ ଓ କହିଲେ- କିଛି ମିଳେନାହିଁ ବୋଲି କହିଲା କିଏ? ମୋ କାମରୁ ଅନେକ କିଛି ମୁଁ ପାଏ। ଏଥିରୁ ମୁଁ ଯେଉଁ ଆନନ୍ଦ ପାଏ ତା’ର କୌଣସି ମୂଲ୍ୟାୟନ କରାଯାଇପାରିବ ନାହିଁ।
ରୋଗୀ ପଚାରିଲା- ଆପଣ ନିଶ୍ଚୟ ଈଶ୍ବର ବିଶ୍ବାସୀ ହୋଇଥିବେ। କାରଣ ଈଶ୍ବର ବିଶ୍ବାସୀ ଲୋକେ କେବଳ ଏମିତି ପୁଣ୍ୟାତ୍ମା ହୋଇପାରିବେ।
ଡାକ୍ତର କହିଲେ- ମୁଁ ଈଶ୍ବରଙ୍କୁ ବିଶ୍ବାସ କରେ କି ନାହିଁ ତାହା ଜାଣେନା। କିନ୍ତୁ ଯାହା କିଛି ଈଶ୍ବରୀୟ ତାକୁ ବିଶ୍ବାସ କରେ। ପୁଣ୍ୟ ଲାଭର ମୋର କୌଣସି ଇଚ୍ଛା ନାହିଁ। କେବଳ ଆନନ୍ଦ ଲାଭ କରିବା ଲାଗି ମୁଁ ଏହା କରେ।
ରୋଗୀ ପଚାରିଲା- ଆଜ୍ଞା, ଆପଣ ପ୍ରାର୍ଥନା କରନ୍ତି?
ଡାକ୍ତର କହିଲେ- ପ୍ରାର୍ଥନା କରିବା ଲାଗି ମୁଁ ସମୟ ପାଏନା ବନ୍ଧୁ। ମୋ କାମଟି ପ୍ରାର୍ଥନା ବୋଲି ମୁଁ ଭାବେ।
ତା’ ପରେ ଡାକ୍ତର କହିଲେ- ସ୍ବର୍ଗ କିଏ ଦେଖିଛି? ମୃତ୍ୟୁ ପରେ କ’ଣ ହୁଏ ତାହା କିଏ ଜାଣିଛି? ପୁଣ୍ୟ ଅର୍ଜନ କରି ସ୍ବର୍ଗକୁ ଯିବାର ଅଭିଳାଷ ମୋର ନାହିଁ। ତେବେ ଏତିକି କହିବି ସ୍ବର୍ଗଟି ଯେମିତି ସ୍ଥାନ ବୋଲି ଆମେ ଭାବୁ ସେମିତି ସ୍ଥାନଟିଏ କେମିତି ଏ ପୃଥିବୀରେ ତିଆରି କରିହେବ, ସେଇ ଚେଷ୍ଟାରେ ମୁଁ ରହିଛି। ତୁମ ଜୀବନରେ ଯଦି ଟିକିଏ ସ୍ବର୍ଗ ମୁଁ ତିଆରି କରିପାରିଲି ତେବେ ମୋର କର୍ତ୍ତବ୍ୟ ମୁଁ କରିପାରିଲି ବୋଲି ଜାଣିବି।

ସମ୍ବନ୍ଧିତ ଖବର